ନୂଆଦିଲ୍ଲୀ: ଛିନ୍ଦୱାଡା ଜିଲ୍ଲାର ଧନୋରା ଆଉଟପୋଷ୍ଟ ଅଞ୍ଚଳର ନନ୍ଦନୱାଡି ଗାଁରେ ଘଟିଥିବା ଏକ ଅଭବନୀୟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚତୁର୍ଥ ସନ୍ତାନକୁ ଜନ୍ମ ଦେବା ପରେ ଚାକିରି ହରାଇବା ଭୟରେ ଶିକ୍ଷକ ଦମ୍ପତି ସେମାନଙ୍କର ତିନି ଦିନର ଶିଶୁକୁ ଜଙ୍ଗଲରେ ପଥର ତଳେ ପୋତି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି। କଥାରେ ଅଛି ପରା... ଯାହାକୁ ରଖିବେ ଅନନ୍ତ , କି କରି ପାରେ ବଳବନ୍ତ l ପଥରତଳେ ଅନେକ ସମୟ ରହିଥିବା ସତ୍ତ୍ବେ ଗ୍ରାମବାସୀଙ୍କ ସାହାଯ୍ୟ ହେତୁ ଶିଶୁର ଜୀବନ ବଞ୍ଚିଯାଇଛି।
ଧାନୋରା ପୁଲିସ ଏହି ଘଟଣାକୁ ନେଇ କହିଛି, ଅଭିଯୁକ୍ତ ପିତା ବବଲୁ ଦଣ୍ଡୋଲିଆ ଏବଂ ମା’ ରାଜକୁମାରୀ ଦଣ୍ଡୋଲିଆ ମୂଳତଃ ତାମିଆ ଥାନା ସିଧୌଲି ଗ୍ରାମର ବାସିନ୍ଦା। ଉଭୟ ଅମରୱାଡାରେ ବସବାସ କରୁଥିବା ବେଳେ ନନ୍ଦନୱାଡି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବରେ କାମ କରନ୍ତି।
ଉକ୍ତ ଦମ୍ପତିଙ୍କର ପୂର୍ବରୁ ତିନୋଟି ସନ୍ତାନ ଥିବା ବେଳେ ନିକଟରେ ରାଜକୁମାରୀ ଚତୁର୍ଥ ସନ୍ତାନକୁ ଜନ୍ମ ଦେଇଥିଲେ। ସରକାରୀ ନିୟମ ଅନୁଯାୟୀ, ଦୁଇରୁ ଅଧିକ ସନ୍ତାନ ଥିବା ସରକାରୀ କର୍ମଚାରୀମାନେ ଅନେକ ସୁବିଧା ପାଇବାରୁ ବଞ୍ଚିତ ରହିବେ। ଏହି ଭୟରେ ଦମ୍ପତି ସେମାନଙ୍କ ଚତୁର୍ଥ ସନ୍ତାନକୁ ଜନ୍ମଦେବା ପରେ ଜଙ୍ଗଲକୁ ନେଇ ଏକ ପଥରତଳେ ଚାପି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି।
ଗ୍ରାମବାସୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଏହି ଘଟଣାରେ କ୍ରୋଧିତ ହୋଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି କହିଛନ୍ତି, ‘ ଯଦି ଏହି ଘଟଣାରେ ସମ୍ପୃକ୍ତ ଥିବା ଦମ୍ପତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ସେମାନେ ସରକାର ଏବଂ ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିବେ।
ଏପରି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଭବିଷ୍ୟତରେ ଏପରି ଅମାନବୀୟ ଘଟଣା ପୁନରାବୃତ୍ତି ହୋଇପାରେ। ଏହି ଘଟଣା କେବଳ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇନାହିଁ ବରଂ ସମାଜକୁ ମଧ୍ୟ ଚକିତ କରୁଛି ଯେ ଚାକିରି ଏବଂ ନିୟମ ଭୟରେ କୌଣସି ପିତାମାତା କିପରି ନିଜର ନିଷ୍ପାପ ପିଲାର ଜୀବନ ସହିତ ଖେଳିପାରିଲେ।’