ଆନନ୍ଦପୁର: ଦୁଇ ଭାଇଙ୍କ କଳିରେ ବଳି ପଡ଼ିଛି ଜଣେ ନିଷ୍ପାପ ଶିଶୁ। ନିଜ ବାପାର ଠେଙ୍ଗା ମାଡ଼ରେ ମା’ କୋଳରେ ଥିବା ଶିଶୁକନ୍ୟାର ଜୀବନ ଯାଇଛି। ଘଟଣା ପରେ ଅଭିଯୁକ୍ତ ବାପାର ଖୋଜଖବର ମିଳୁନି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ଖପରାଖାଇ ସାଉଁଟିସାହିରେ । ଆଜି ଦିନ ଗୋଟାଏ ବେଳେ ସ୍କୁଟିର ପାର୍ଟସ ଭାଙ୍ଗିବାକୁ ନେଇ ସାଉଁଟି ସାହିର ସନାତନ ଦେହୁରୀ ଏବଂ ତାଙ୍କ ବଡ଼ଭାଇ ରଞ୍ଜନ ଦେହୁରୀ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟ ମଦ ନିଶାରେ ମାରପିଟ୍ ଲାଗିଥିଲେ। ଏହି ସମୟରେ ସନାତନ ଏକ ଠେଙ୍ଗାରେ ରଞ୍ଜନଙ୍କୁ ପିଟିବାକୁ ଉଦ୍ୟମ କରିଥିଲେ। ଉଭୟଙ୍କୁ ଛଡ଼ାଇବାକୁ ସନାତନଙ୍କ ପତ୍ନୀ ଝୁମୁରୀ ଉଦ୍ୟମ କରିଥିଲେ। ସନାତନ ଠେଙ୍ଗାରେ ପ୍ରହାର କରିବାବେଳେ ଏହା ରଞ୍ଜନ ଦେହରେ ନବାଜି ନିଜ ପତ୍ନୀଙ୍କ କୋଳରେ ଥିବା ୮ ମାସର ଝିଅ ନିମ୍‌କୀ ମୁଣ୍ଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ଶିଶୁଟିକୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ଯାଜପୁର ନିକଟରେ ମୃତ୍ୟୁ ହୋଇ ଯାଇଥିଲା। ଖବରପାଇ ଘସିପୁରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି। ଘଟଣାପରେ ସନାତନର ପତ୍ତା ମିଳୁନି। ପୁଲିସ୍‌ ତାକୁ ଖୋଜୁଥିବା ଜଣାପଡିଛି।

Advertisment

ବଡ଼ଭାଇର ଭୁଜାଲି ଚୋଟରେ ସାନ ମୃତ
ଖଇରା/ସିମୁଳିଆ: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବିଷ୍ଣପୁର ଗ୍ରାମରେ ସମ୍ପତ୍ତି ପାଇଁ ବଡ଼ଭାଇ ନିଜ ସାନଭାଇକୁ ଭୁଜାଲିରେ ହାଣି ହତ୍ୟା କରିବା ଘଟଣା ଚା‌ଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପରେ ବଡ଼ଭାଇ ଫେରାର ଥିବା ବେଳେ ମୃତକଙ୍କ ଭାଉଜକୁ ପୁଲିସ ଥାନାରେ ଅଟକ ରଖିଛି। ପ୍ରକାଶ ଯେ, ଗ୍ରାମର ସ୍ବର୍ଗତ ଲୋକନାଥ ମାଝିଙ୍କ ବଡ଼ପୁଅ କୈଳାସ ଓ ସାନପୁଅ ସୁରେଶଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଗଣ୍ତଗୋଳ ଲାଗି ରହିଥିଲା। ଇତିମଧ୍ୟରେ ସାନଭାଇ ସୁରେଶଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଘର ଆସିବାରୁ ଘର କରିବାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଆକ୍ରୋଶ ବଢ଼ିଥିଲା। ଏହାକୁ କେନ୍ଦ୍ର କରି ଆଜି ଦୁଇ ଭାଇଙ୍କ ମଧ୍ୟରେ ଉଚ୍ଚବାଚ ହେବା ପରେ ବଡ଼ଭାଇ କୈଳାସ ଘରୁ ଏକ ଭୁଜାଲି ଆଣି ସାନଭାଇକୁ ମରଣାନ୍ତକ ଆକ୍ରମଣ କରିଥିଲା। ଭୁଜାଲି ଚୋଟରେ ସାନଭାଇର ବେକ, କାନ, ମୁଣ୍ତ, ହାତ ପାପୁଲି କଟିଯିବା ସହିତ ପେଟରୁ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ଏହି ଘଟଣା ପରେ ବଡ଼ଭାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା ବେଳେ ସୁରେଶଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଆମ୍ବୁଲାନ୍‌ସ ଯୋଗେ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁରେଶଙ୍କୁ ମୃତ ଘୋଷଣା କରିଥିଲେ। ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂପର୍କ‌ରେ ମୃତ ସୁରେଶଙ୍କ ପତ୍ନୀ ସବିତା ସମ୍ପତ୍ତି ଭାଗବଣ୍ଟାକୁ ନେଇ ବଡ଼ଭାଇ ତାଙ୍କ ସ୍ବାମୀଙ୍କୁ ମାରି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି। ସିମୁଳିଆ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହିତ କୈଳାସଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି।