୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ପରେ ଆଖିକୁ ଛେଚି ଜଙ୍ଗଲରେ ଫିଙ୍ଗି ଦେଲା ଅଭିଯୁକ୍ତ, ତା’ ପରେ…

ଭୋପାଳ: ପୋସ୍କୋ ପରି କଡା ନିୟମ ସତ୍ତ୍ବେ ପିଲାମାନଙ୍କ ଉପରେ ହେଉଥିବା ଅପରାଧ ଥମିବାର ନାଁ ନେଉନାହିଁ | ଦେଶ ଏବେ କରୋନା ଭଳି ମହାମାରୀ ସହ ଲଢ଼ୁଥିବା ବେଳେ ବୁଧବାର ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଜଣେ ୭ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରାଯାଇ ନିର୍ମମ ଭାବେ ହତ୍ୟା କରିବାର ଉଦ୍ୟମ କରାଯାଇଥିବା ଜଣା ପଡିଛି |

ଘଟଣା ପରେ ପୀଡ଼ିତାଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ବେଳେ ଅଭିଯୁକ୍ତ ଦୁଷ୍କର୍ମ ପରେ ପୀଡିତାର ଆଖିକୁ ପଥରେ ଛେଚି ରକ୍ତାକ୍ତ କରିଦେଇଥିବା ଦେଖିବାକୁ ମିଳିଥିଲା | ବର୍ତ୍ତମାନ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇ ଜବଲପୁରର ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିବା ବେଳେ ସେଠାରେ ବର୍ତ୍ତମାନ ତାଙ୍କର ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି।

ମିଳିଥିବା ସୂଚନା ମୁତାବକ, ଏହି ଅପରାଧ ପାଇଁ ଗୁରୁବାର ଜଣେ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି। ସେପଟେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାର ପ୍ରକୃତ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅପରାଧ ପଛରେ ଥିବା ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି।

ସମ୍ବନ୍ଧିତ ଖବର