ହାଇଦ୍ରାବାଦ୍: ତେଲେଙ୍ଗାନାର ସଦନଗରରେ ଜଣେ ଅଭିଯୁକ୍ତ ଏକ ୪ବର୍ଷୀୟା ଶିଶୁକୁ ଅପହରଣ କରିବାର ୫ଘଣ୍ଟା ମଧ୍ୟରେ ପୁଲିସ ଜିମା ଦେଇଛି। ପ୍ରଥମେ ଅପହରଣ ଓ ପରେ ଅଭିଯୁକ୍ତର ଏଭଳି କାମ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମେ ସାଇବରାବାଦ୍ ପୁଲିସ ଅଭିଯୁକ୍ତର ଏଭଳି କରିବା ପଛର କାରଣ ବୁଝି ପାରି ନ ଥିବା ବେଳେ ପରେ ଏଭଳି ଅପରାଧ ପଛର ଦୁଃଖଭରା କାହାଣୀ ସାମ୍ନାକୁ ଆସିଥିଲା। ଅଭିଯୁକ୍ତର କୌଣସି ସନ୍ତାନ ନ ଥିବାରୁ ସେ ଏଭଳି କରିଥିବା ଜାଣି ସମସ୍ତଙ୍କ ଆଖିରେ ଲୁହ ଆସି ଯାଇଥିଲା। ତେବେ ସବୁ ପରେ ମଧ୍ୟ ଅପହରଣ ଭଳି ଅପରାଧ କରିଥିବାରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।
ସୂଚନା ମୁତାବକ, ପୀଡ଼ିତା ସ୍କୁଲରୁ ୪ଟା ୩୦ମିନିଟରେ ଘରକୁ ଫେରିବା ପରେ ଘରେ କେହି ନ ଥିଲେ। ଫଳରେ ସେ ନିଜ ସାଙ୍ଗମାନଙ୍କ ସହ ଖେଳିବାକୁ ଚାଲି ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ରବି ନିଜ ଗାଡ଼ି ନେଇ ଆସିବା ସହ ପୀଡ଼ିତାଙ୍କୁ ବସିବା ପାଇଁ କହିଥିଲେ। ଗାଡ଼ିରେ ବସିବା ପାଇଁ ଭଲ ପାଉଥିବା ପୀଡ଼ିତା ତୁରନ୍ତ ରବିର ଗାଡ଼ିରେ ବସି ପଡ଼ିବା ପରେ ରବି ସିଧା ଗାଡ଼ି ନେଇ ନିଜ ଘରେ ପହଞ୍ଚିଥିଲେ। ନିଜର କୌଣସି ସନ୍ତାନ ନଥିବାରୁ ରବି ଏଭଳି କରିଥିଲେ ମଧ୍ୟ ତାଙ୍କ ପତ୍ନୀ ଏହାକୁ ସମର୍ଥନ କରି ନଥିଲେ। ଏହା ପରେ ରବି ୫ଘଣ୍ଟା ମଧ୍ୟରେ ସାଇବରାବାଦ୍ ପୁଲିସକୁ ସଂପର୍କ କରି ପୀଡ଼ିତାଙ୍କୁ ହସ୍ତାନ୍ତର କରିବା ସହ ନିଜର ଦୋଷ ସ୍ବୀକାର କରିଥିଲେ।