ନୂଆଦିଲ୍ଲୀ: ଚାକିରି ପାଇବା ଆଶାରେ ଯାଇଥିବା ଜଣେ ଚୀନ୍ ନାଗରିକଙ୍କୁ କମ୍ବୋଡିଆରେ ଅପହରଣ କରି ନିଆଯାଇଥିଲା। ଅପହରଣକାରୀମାନେ ପ୍ରତି ମାସରେ ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ରକ୍ତ ନେଇ ଯାଉଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।
ଅପହରଣକାରୀଙ୍କ ଠାରେ ପ୍ରାୟ ୭ମାସ ଧରି ବନ୍ଧକ ରହିଥିବା ଏହି ବ୍ୟକ୍ତି ଜଣକ ଶେଷରେ ସୁଯୋଗ ଦେଖି ଖସି ପଳାଇ ଆସିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଖସି ପଳାଇ ଆସିବାରେ ଅପହରଣକାରୀଙ୍କ ମଧ୍ୟରୁ ଜଣେ ସଦସ୍ୟ ତାଙ୍କୁ ସାହାଯ୍ୟ କରିଥିଲା।
ସାଉଥ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୀଡିତ ଜଣକଙ୍କ ନାମ ଲି ବୋଲି ଜଣାପଡିଛି। ଚଳିତ ମାସରେ ସେ ଅପହରଣକାରୀଙ୍କଠାରୁ ବହୁତ କଷ୍ଟରେ ନିଜକୁ ମୁକ୍ତ କରିବାରେ ସକ୍ଷମ ହୋଇଥିଲେ। ଏହି ବ୍ୟକ୍ତିଙ୍କୁ କମ୍ବୋଡିଆର ସିଆନକଭିଲରେ ବନ୍ଧକ ରଖାଯାଇଥିଲା। ଯଦିଓ ବର୍ତ୍ତମାନ ଲି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
ପୀଡିତଙ୍କ କହିବାନୁସାରେ, ତାଙ୍କୁ ଚାକିରି ଲୋଭ ଦେଖାଇ ଅଗଷ୍ଟ ୨୦୨୧ରେ ଅପହରଣ କରାଯାଇଥିଲା ଅପହରଣକାରୀମାନେ ପ୍ରତି ମାସରେ ତାଙ୍କ ଶରୀରରୁ ପ୍ରାୟ ୭୯୮ ମିଲିଲିଟର ରକ୍ତ ନେଇ ଯାଉଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ଏହି ରକ୍ତକୁ ବେଆଇନ ଭାବେ ବିକ୍ରି କରୁଥିଲେ ବୋଲି କୁହାଯାଉଛି। ଗତ ସପ୍ତାହରେ ଯେତେବେଳେ ଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ତାଙ୍କ ହାତର ଅନେକ ସ୍ଥାନରେ ଛୁଞ୍ଚିର ଆଘାତ ଚିହ୍ନଟ ବି ଥିଲା।
ଲି କହିଛନ୍ତି ଯେ ଯେତେବେଳେ ଗ୍ୟାଙ୍ଗର ଲୋକମାନେ ଜାଣିବାକୁ ପାଇଲେ ଯେ ସେ ଜଣେ ଅନାଥ, ଅପହରଣ ହୋଇଥିବା ଜାଣି କେହି ତାଙ୍କୁ ମୁକୁଳାଇବାକୁ ଆସିବେ ନାହିଁ, ଏହାପରେ ସେମାନେ ନିର୍ଦୟ ଭାବେ ଶରୀରରୁ ପ୍ରତିମାସରେ ରକ୍ତ ନେବା ଆରମ୍ଭ କରିଥିଲେ। ତାଙ୍କ ସହ କୋଠରୀରେ ଅନ୍ୟ ୭ ଜଣଙ୍କୁ ମଧ୍ୟ ବନ୍ଧକ ରଖାଯାଇଥିଲା। ତେବେ ତାଙ୍କ ରକ୍ତ ‘ଓ ନେଗେଟିଭ’ ଥିଲା, ତେଣୁ ଅନ୍ୟମାନଙ୍କ ତୁଳନାରେ ତାଙ୍କ ଶରୀରରୁ ଅଧିକ ରକ୍ତ ନିଆଯାଇଥିଲା ।