୩ କୋଟି ଟଙ୍କା ଠକେଇ, ଚିଟ୍‌ଫଣ୍ଡ ସଂସ୍ଥା ନିର୍ଦେଶକ ଗିରଫ

ଭୁବନେଶ୍ବର : ଜମାକାରୀଙ୍କୁ ଅଧିକ ସୁଧ ଦେବାର ପ୍ରଲୋଭନ ଦେଖାଇ ୩ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆମ୍ବିସିୟସ୍ ଡିଭର୍ସିଫାଏଡ୍‌ ପ୍ରୋଜେକ୍ଟ ମ୍ୟାନେଜ୍‌ମେଣ୍ଟ ଲିମିଟେଡ୍‌ର ନିର୍ଦେଶକକୁ ଗିରଫ କରିଛି। ସେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ବର୍ଦ୍ଧମାନ ଆସାନ୍‌ସୋଲ୍‌ ସାଉଥ୍‌ ଥାନା ଅଞ୍ଚଳର ମ୍ରିଙ୍ଗଙ୍କା ଶେଖର ଚକ୍ରବର୍ତ୍ତୀ(୩୬)। ତେବେ ଇଓଡବ୍ଲ୍ୟୁ ଚକ୍ରବର୍ତ୍ତୀଙ୍କୁ ପଶ୍ଚିମବଙ୍ଗ ସ୍ଥିତ ଘରୁ ଗିରଫ କରିବା ପରେ ସ୍ଥାନୀୟ ପଶ୍ଚିମ ବର୍ଦ୍ଧମାନ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରକୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ଏଠାରେ କଟକ ସ୍ଥିତ ସ୍ବତନ୍ତ୍ର କୋର୍ଟରେ ହାଜର ପରେ ଜେଲ୍‌ ହେପାଜତକୁ ପଠାଯାଇଛି।

ସୂଚନା ମୁତାବକ, ଗତ ୨୦୧୧ରେ ସଂସ୍ଥା ଓଡ଼ିଶା ବଜାରରେ ପ୍ରବେଶ କରିଥିଲା। ଜମାକାରୀଙ୍କୁ ଜମା ଟଙ୍କାର ଅଧିକ ସୁଧ ଦେବାର ଲୋଭ ଦେଖାଇ ଏଜେଣ୍ଟଙ୍କ ଜରିଆରେ ବଜାରରେ ନିଜର କାୟା ବିସ୍ତାର କରିଥିଲା। ୨୦୧୧ରୁ ୨୦୧୪ ୩ ବର୍ଷ ମଧ୍ୟରେ ସଂସ୍ଥା ଏଜେଣ୍ଟମାନଙ୍କ ସହାୟତାରେ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ ଆଦି ଜିଲ୍ଲାରୁ ଜମାକାରୀଙ୍କୁ ବିଭିନ୍ନ ସ୍କିମ୍‌ ମାଧ୍ୟମରେ ୩ କ‌ୋଟିରୁ ଊର୍ଧ୍ବ ଟଙ୍କା ନେଇଯାଇଥିଲା। ତେବେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଜମାକାରୀମାନେ ସୁଧ ତ ଦୂରର କଥା ମୂଳଧନ ବି ପାଇ ନଥିଲେ। ଜମାକାରୀଙ୍କ ଟଙ୍କା ନେଇ ସଂସ୍ଥା ରାତାରାତି ଓଡ଼ିଶାରୁ ଉଭାନ ହୋଇଯାଇଥିଲା। ଏନେଇ ସୁବାସ ଚନ୍ଦ୍ର ପ୍ରଧାନଙ୍କ ସେମେତ ବହୁ ଜମାକରୀ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ୨୦୧୫ ମେ ୮ ତାରିଖରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୩ରେ ଆଇପିସି ଦଫା ୧୨୦(ବି),୪୦୬, ୪୬୭,୪୬୮,୪୭୧,୪୨୦ ଏବଂ ଆର୍‌/ଡବ୍ଲ୍ୟୁ ଦଫା ୪, ୫ ଓ୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପ୍ରକାଶ ଥାଉ କି, ଏହି ମାମଲାରେ ପୂର୍ବରୁ ଇଓଡବ୍ଲ୍ୟୂ ସଂସ୍ଥାର ନିର୍ଦେଶକ ଓମ୍‌କାର ସିଂ, କୁନାଲ୍‌ ତିୱାରୀ ଏବଂ ଆର୍ଶଦ ହୋସିଆନ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର