୪ ମିନିଟ୍ ବିଳମ୍ବ ହେବାରୁ ଯୁପିଏସ୍ସି ପରୀକ୍ଷାରେ ପ୍ରବେଶ ମିଳିଲାନି, ଉପାୟଶୂନ୍ୟ ହୋଇ ଆତ୍ମହତ୍ୟା କଲେ ଛାତ୍ର
ନୂଆଦିଲ୍ଲୀ : ଦିଲ୍ଲୀରେ ରହି ୟୁପିଏସସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଜଣେ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ସେ ଦୀର୍ଘ ଏକ ବର୍ଷ ହେବ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ମାତ୍ର ୪ ମିନିଟ୍ ବିଳମ୍ବ ହେବାରୁ ତାଙ୍କୁ ପରୀକ୍ଷାଗୃହ ମଧ୍ୟରେ ପ୍ରବେଶ କରାଯାଇନଥିଲା। ଏଣୁ ଉପାୟଶୂନ୍ୟ ହୋଇ ଛାତ୍ର ଜଣଙ୍କ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଉଠାଇଥିବା ସେ ତାଙ୍କ ଆତ୍ମହତ୍ୟା ପତ୍ରରେ ଉଲ୍ଲେଖ କରିଛନ୍ତି । ପୁଲିସ୍ ଘଟଣା ସମ୍ବନ୍ଧୀୟ ଏକ ମାମଲା ରୁଜୁ କରିବା ସହ ମୃତ ଶରୀରର ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ପରିଜନଙ୍କୁ ହସ୍ତାନ୍ତର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୨୮ ବର୍ଷିୟ ବରୁଣ ସୁବାଷ ଚନ୍ଦ୍ର ଗତ ଏକ ବର୍ଷ ହେବ ଦିଲ୍ଲୀର ରାଜେନ୍ଦ୍ର ନଗରରେ ରହି ୟୁପିଏସସି ପରୀକ୍ଷାର ପ୍ରସ୍ତୁତି କରୁଥିଲେ । ତାଙ୍କ ପରିବାର କର୍ଣ୍ଣାଟକରେ ରହୁଥିବା ବେଳେ ତାଙ୍କ ପିତା ଜଣେ ଅବସରପ୍ରାପ୍ତ ବୈଜ୍ଞାନିକ ଥିଲେ। ଏହି ବର୍ଷ ୟୁପିଏସସି ପରୀକ୍ଷା ଦେବା ପାଇଁ ତାଙ୍କର ଶେଷ ବର୍ଷ ରହିଥିବା ବେଳେ କେବଳ ୪ ମିନିଟ୍ ବିଳମ୍ବ ପାଇଁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ ।
ବରୁଣଙ୍କ ୟୁପିଏସସି ପରୀକ୍ଷା ସେଣ୍ଟର ରବିବାର ପହାଡ଼ଗଞ୍ଜର କେସୁରବାଲନ୍ରେ ପଡ଼ିଥିଲା। ପରୀକ୍ଷା ୯:୨୦ରେ ଆରମ୍ଭ ହେବାକୁ ଥିବା ବେଳେ ସେଠାରେ ସେ ୯:୨୪ ମିନିଟ୍ରେ ପହଞ୍ଚିଥିଲେ । ଯାହା ଫଳରେ ୪ ମିନିଟ୍ ବିଳମ୍ବ ଥିବାରୁ ତାଙ୍କୁ ପରୀକ୍ଷା ଗୃହରେ ପ୍ରବେଶ ମିଳି ନଥିଲା । ଯେଉଁ କାରଣରୁ ସେ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ । ପରୀକ୍ଷା ଶେଷ ହେବା ପରେ ବରୁଣଙ୍କ ଜଣେ ସାଙ୍ଗ ତାଙ୍କୁ ଫୋନ୍ କରିଥିବା ବେଳେ ସେ କିଛି ଉତ୍ତର ଦେଇନଥିଲେ ।
ଏଣୁ ବରୁଣଙ୍କ ସାଙ୍ଗ ତାଙ୍କୁ ଦେଖା କରିବା ପାଇଁ ତାଙ୍କ ଫ୍ଲାଟ୍ରେ ପହଞ୍ଚିଥିଲେ । ସେଠାରେ ସେ ବହୁଥର କବାଟ ବାଡ଼େଇବା ପରେ ମଧ୍ୟ ବରୁଣ କବାଟ ଖୋଲି ନଥିଲେ । ପରେ ସେ ତାଙ୍କୁ ପଙ୍ଖାରେ ଝୁଲୁଥିବାର ଘର ଝରକା ଆଡ଼ୁ ଦେଖିବାକୁ ପାଇଲେ ଯାହା ପରେ ସେ ତୁରନ୍ତ ପୁଲିସ୍କୁ ଘଟଣା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ସେଠାରୁ ବରୁଣଙ୍କ ଦ୍ୱାରା ଲେଖା ହୋଇଥିବା ଏକ ଆତ୍ମହତ୍ୟା ପତ୍ର ପାଇଥିଲା । ଯେଉଁଥିରେ ତାଙ୍କ ଆତ୍ମହତ୍ୟା ପଛର କାରଣ ଉଲ୍ଲେଖ ହୋଇଥିଲା । ପତ୍ରରେ ସେ ଲେଖିଥିଲେ “ ନିୟମ ଠିକ୍ ଅଛି କିନ୍ତୁ କିଛି ମାତ୍ରାରେ ଏଥିରେ ଉଦାରତା ମଧ୍ୟ ରହିବା ଦରକାର , ତେବେ ମୁଁ ମୋର ପରିବାରକୁ ମତେ ଯେତେ ଶୀଘ୍ର ହେବ ଭୁଲି ଯାଆନ୍ତୁ କହିବା ପାଇଁ ଚାହିଁବି।”