ଲକ୍ଷ୍ନୌ: ସାଧାରଣତନ୍ତ୍ର ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରାକୁ କେନ୍ଦ୍ର କରି ଉତ୍ତରପ୍ରଦେଶର କାସଗଞ୍ଜରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାର ୪ ଦିନ ପରେ ଆମେଠିରେ ମଙ୍ଗଳବାର ସଂଗଠିତ ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷ ସମ୍ପର୍କରେ ସୂଚନା ମିିଳିବା ପରେ ଏଡିଜିପି ଓ ଡିଆଇଜି ପୁଲିସ ଫୋର୍ସ ସମେତ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଏହି ଘଟଣାକୁ ନିୟନ୍ତ୍ରଣ କରି ପାରି ନଥିବା ଯୋଗୁଁ ଜଣେ ଏସଏଚଓଙ୍କୁ ନିଲମ୍ବନ କରାଯାଇଛି।

Advertisment

publive-image

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। କିଛି ସମୟ ମଧ୍ୟରେ ହିଁ ହିଂସା ଉଗ୍ର ରୂପ ନେଇଥିଲା। ଫଳରେ ଉଭୟ ଗୋଷ୍ଠୀ ପକ୍ଷରୁ ଫାୟରିଂଗ ହୋଇଥିଲା। ଘଟଣାସ୍ଥଳରେ ହିଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିଲେ। ସେମାନଙ୍କର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏଡିଜିପି ଅଭୟ ପ୍ରସାଦ ଓ ଡିଆଇଜି ଫୈଜାବାଦ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରସାଦ କହିଛନ୍ତି, ଏହା ଦୁଇଟି ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲା ଅଟେ। ଏଥିରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ସ୍ଥାନୀୟ ବାସିନ୍ଦା ନୁହଁନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଜଗଦୀଶପୁର ଥାନାଧ୍ୟକ୍ଷକୁ ନିଲମ୍ବନ କରାଯାଇଛି। ସ୍ଥିତି ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ଅଛି ବୋଲି ସେ କହିଛନ୍ତି। ବ୍ୟାପକ ପରିମାଣରେ ପୁଲିସ ମୁତୟନ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି।