ବୁଲନ୍ଦସହର: ବୁଲନ୍ଦସହର ଜିଲ୍ଲାର ଶିକାରପୁର ଥାନାର ସୁରଜଭାନ ସରସ୍ୱତୀ ବିଦ୍ୟା ମନ୍ଦିର ଇଣ୍ଟର କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ର ତାର ସହପାଠୀକୁ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି।
ତେବେ ଗତ ବୁଧବାର ଶ୍ରେଣୀଗୃହରେ ରଖାଯାଇଥିବା ଚେୟାର ଘୁଞ୍ଚାଇବାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ ବିବାଦ ଲାଗିଥିଲା। ଏହାକୁ କେନ୍ଦ୍ରକରି ଦଶମ ଶ୍ରେଣୀରେ ପଢ଼ୁଥିବା ବାଳକ ଗୁରୁବାର ତାର କାକାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକକୁ ବ୍ୟାଗରେ ପୂରାଇ ସ୍କୁଲକୁ ଯାଇଥିଲା। ସ୍କୁଲରେ ପୁଣିଥରେ ଦୁଇଜଣଙ୍କ ମଧ୍ୟରେ ଚୌକି ଘୁଞ୍ଚାଇବାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଛାତ୍ର ଜଣକ ରାଗି ଯାଇ ବ୍ୟାଗରୁ ବନ୍ଧୁକ ବାହାର କରି ସହାପାଠୀ ଉପରକୁ ଗୁଳି ଚଳାଇଥିଲା।
ସୂଚନାଯୋଗ୍ୟ, ଆଞ୍ଜରୁକଳାରେ ବସବାସ କରୁଥିବା ରବି କୁମାରଙ୍କ ୧୪ ବର୍ଷର ପୁଅ ଟାର୍ଜନ ସୁରଜଭାନ ସରସ୍ୱତୀ ବିଦ୍ୟାମନ୍ଦିର ଇଣ୍ଟର କଲେଜରେ ଦଶମ ଶ୍ରେଣୀ ଛାତ୍ର । ପ୍ରତିଦିନ ଭଳି ଆଜି ବି ଟାର୍ଜନ ଅନ୍ୟ ଛାତ୍ରମାନଙ୍କ ସହିତ ବିଦ୍ୟାଳୟରେ ପହଞ୍ଚିଥିଲା। କ୍ଲାସ୍ ଆରମ୍ଭ ହେବା ପୂର୍ବରୁ ଜଣେ ସହପାଠୀ ଟାର୍ଜନକୁ ଏକ ଚେୟାର ଉଠାଇ ଅନ୍ୟ ପାର୍ଶ୍ୱରେ ରଖିବାକୁ କହିଥିଲା | ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାର କିଛି ସମୟରେ ପରେ ଛାତ୍ରଜଣକ ଗୋଟିଏ ପରେ ଗୋଟିଏ ଏପରି ଗୁଳି ଟାର୍ଜନ ଉପରକୁ ଚଳାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଛାତ୍ର ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପ୍ରଧାନ ଶିକ୍ଷକ ପିଅନକୁ ସ୍କୁଲର ମୁଖ୍ୟଦ୍ବାର ବନ୍ଦ କରିବାକୁ କହିବା ସହିତ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଛାତ୍ରକୁ କାବୁ କରିବା ସହିତ ତା’ଠାରୁ ବନ୍ଧୁକ ଜବତ କରି ନେଇଛି।