ରୋହତକ୍: ହରିଆଣାର ଜିନ୍ଦ୍ ଜିଲ୍ଲାରେ ଥିବା ବୁଧଖେଡ଼ା ଗ୍ରାମରେ ଗତ ସପ୍ତାହରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ଅର୍ଦ୍ଧନଗ୍ନ ମୃତ ଶରୀର ଉଦ୍ଧାର ହୋଇଥିଲା। ଏ ନେଇ ପରିବାର ଲୋକେ ପୁଲିସ୍ରେ ଅଭିଯୋଗ କରିଥିଲେ। ସେହି ମାମଲାର ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ନାବାଳିକାଙ୍କୁ ଜଣେ ଦ୍ୱାଦଶ ଶ୍ରେଣୀର ପୁଅ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୁଲିସ୍ ସନ୍ଦେହ କରିଛି। ଅଭିଯୁକ୍ତ ଫେରାର୍ ଅଛି। ଅଭିଯୁକ୍ତ ଜଣକ ନାବାଳକ ହୋଇଥିବାରୁ ପୁଲିସ୍ ତା ନାମ ଗୁପ୍ତ ରଖିଛି। ବାସ୍ତବରେ ଅଭିଯୁକ୍ତକୁ କେତେ ବର୍ଷ ସେ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ସଂପୃକ୍ତି ଥିବା ସନ୍ଦେହ କରି ଶିନିବାର ପୁଲିସ୍ ନିକଟସ୍ଥ ଜିଲ୍ଲା କୁରୁକ୍ଷେତ୍ରରୁ ୬ ଜଣ ଲୋକଙ୍କୁ ପଚରାଉଚରା କରିଛି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସଂଧ୍ୟାରେ ବୁଧଖେଡ଼ା ଗ୍ରାମ ରାସ୍ତା କଡ଼ରୁ ଯୁବତୀଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା। ଯୁବତୀଙ୍କ ବ୍ୟକ୍ତିଗତ ଅଙ୍ଗରେ ଚିହ୍ନ ଥିବା ସହ ସେ ଅର୍ଦ୍ଧନଗ୍ନ ଅବସ୍ଥାରେ ପଡ଼ି ରହିଥିଲେ। ଯୁବତୀଙ୍କ ମୃତ ଶରୀର ଉଦ୍ଧାର ପରେ ତାଙ୍କୁ ରୋହତକ୍ର ପିଜିଆଇଏମ୍ଏସ୍ ହସ୍ପିଟାଲ୍କୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଡାକ୍ତରୀ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କୁ ଅପହରଣ କରି ଏକାଧିକ ଜଣ ବଳପୂର୍ବକ ଦୁଷ୍କର୍ମ କରିବା ପରେ ତାଙ୍କ ନିଶ୍ୱାସ ବନ୍ଦ କରି ତାଙ୍କୁ ହତ୍ୟା କରିଛନ୍ତି।
ମୃତ ପୀଡ଼ିତାଙ୍କ ବାପାଙ୍କ କହିବା ଅନୁଯାୟୀ, ‘ମୋ ଝିଅକୁ କ୍ରୁରତାର ସହ ହତ୍ୟା କରାଯାଇଛି। ମୁଁ ନ୍ୟାୟ ଚହେଁ। ମାତ୍ର ନ୍ୟାୟ ପାଇଁ ମୁଁ ଦୀର୍ଘ ଦିନ ଅପେକ୍ଷା କରିବି ନାହିଁ କି ଯୁଦ୍ଧ ବି କରିପାରିବ ନାହିଁ।’
ଅନ୍ୟପକ୍ଷରେ ଏହି ମାମାଲା ନେଇ ପରିବାର ଲୋକ ପୁଲିସ୍କୁ ଦୋଷ ଦେଇଛନ୍ତି। ଜାନୁଆରି ୯ ତାରିଖ ଦିନ ନାବାଳିକା ଜଣକ ଟିଉସନ୍ ପାଇଁ ଘରୁ ବାହାରି ଯାଇଥିଲେ। ମାତ୍ର ତା’ପରେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ପୁଲିସ୍ରେ ଏକ ଅପହରଣ ମାମଲା ରୁଜୁ କରିଥିଲେ। ୩ ଦିନ ପୂର୍ବରୁ ପୁଲିସ୍ରେ ଅଭିଯୋଗ ହୋଇଥିବା ସତ୍ୱେ ପୁଲିସ୍ କାହିଁକି ତତ୍ପରତା ଦେଖାଇନଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।