ନୂଆଦିଲ୍ଲୀ: ଦିଲ୍ଲୀର ଦ୍ବାରକାରେ ୧୪ବର୍ଷର ଛାତ୍ରୀ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସେକ୍ଟର-୧୬ରେ ଘଟିଛି। ଗତ ସୋମବାର କୋଠାରୁ କିଛି ପଡ଼ିଯିବାର ଜୋରରେ ଶବ୍ଦ ହୋଇଥିଲା। ଲୋକେ ଏହି ଶବ୍ଦ ଶୁଣି ଘର ବାହାରକୁ ଚାଲି ଆସିଥିଲେ। ସେମାନେ ଘରୁ ବାହାରି ଯେଉଁ ଦୃଶ୍ୟ ଦେଖିଥିଲେ ସ୍ତବ୍ଧ ହୋଇଯାଇଥିଲେ। ଜଣେ ବାଳିକା କୋଠା ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ।
ଉକ୍ତ ବାଳିକାଙ୍କ ପରିବାର ବି ବାହାରକୁ ଆସି ଦେଖନ୍ତି କି ତାଙ୍କ ଝିଅ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲା। ସଙ୍ଗେସଙ୍ଗେ ପରିବାରଲୋକେ ଝିଅକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେବାକୁ ବାହାରିଥିଲା ବେଳେ ସେତେବେଳକୁ ବାଳିକାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଳିକାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ବିଭିନ୍ନ ଦିଗରୁ ବାଳିକା ଜୀବନ ହାରିବା ଘଟଣାର ଯାଞ୍ଚ କରୁଛି ପୁଲିସ।
ଏହି ଘଟଣାକୁ ନେଇ ପରିବାରଲୋକ କାନ୍ଦିକାନ୍ଦି ପୁଲିସକୁ କହିଥିଲେ, ‘ଝିଅ ଏମିତି କାହିଁକି କଲା ସେବିଷୟରେ ଆମେ କିଛି ବି ଜାଣିନାହୁଁ।’
ପରିବାରଲୋକଙ୍କ ଠାରୁ ଏଭଳି କଥା ଶୁଣି ପୁଲିସ ସଙ୍ଗେସଙ୍ଗେ ମୃତ ବାଳିକା ରହୁଥିବା କୋଠରି ଯାଞ୍ଚ କରିଥିଲା। ଏହି ଯାଞ୍ଚରୁ କୋଠରି ଭିତରୁ ଏକ ହାତଲେଖା ଚିଠି ମିଳିଥିଲା। ଏହି ଚିଠିରେ ଲେଖାଥିଲା,‘ମୋର ପାଠପଢ଼ା ପ୍ରତି ଆଦୌ ମନ ଲାଗୁନାହିଁ। ସବୁବେଳେ ଜୀବନ ହାରିଦେବା କଥା ମନରେ ଆସୁଛି। ଯେଉଁଥିପାଇଁ ମୁଁ କୌଣସି କାମରେ ମନ ଲଗାଇ ପାରୁନାହିଁ। ଆଜି ସେଥିପାଇଁ ଏଭଳି ପଦକ୍ଷେପ ନେଉଛି। ମୋର ଏହି ନିଷ୍ପତ୍ତିରେ ମୋତେ କେହି ଭୁଲ ବୁଝିବନି। ବାପା ଓ ମା’ ମନ ଦୁଃଖ କରିବନି। ଝିଅ ପାଠପଢ଼ିବାକୁ ବାହାରକୁ ଯାଇଛି ବୋଲି ଭାବି ମନକୁ ବୁଝାଇ ଦେବ।’