ପୁଣି ସେଲଫି ନେବା ହେଲା କାଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ବାଳକ

ରାମଗଡ଼: ଆଜିକାଲି ଯୁବପଢ଼ିଙ୍କୁ ସେଲଫି ନିଶା ବାୟା କରିଛି। ପ୍ରତିଦିନ ଏହି ସେଲଫି ପାଇଁ ବିଭିନ୍ନ ପ୍ରକାର ଅଘଟଣ ଘଟୁଥିବା ଖବର ସାମ୍ନାକୁ ଆସୁଛି। ତେଣୁ ବାରମ୍ବାର ଏସବୁ ପ୍ରତି ସଚେତନ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଯୁବପିଢ଼ି ଏଥିରୁ ଓହରୁ ନାହାନ୍ତି।

ନିକଟରେ ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ପରିବାର ଲୋକଙ୍କ ସହ ଘୋଘର ନିକଟ ଇବନଦୀ କନାକୁଣ୍ଡକୁ ବଣଭୋଜି କରିବାକୁ ଯାଇଥିଲେ। ସେ ସେଠାରେ ସେଲଫି ନେବା ବେଳେ ଇବନଦୀରେ ଭାସି ଯାଇଥିବା ଖବର ମିଳିଥିଲା।

ନିକଟରେ ଏମିତି ଏକ ଦୁର୍ଘଟଣା ଗତ ରବିବାର ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ମାଇଲ୍ ରେଳ ଷ୍ଟେସନରେ ଘଟିଛି। ଚିତ୍ତରପୁରର ଜଣେ ବାଳକ ତାଙ୍କ ସାଙ୍ଗଙ୍କ ସହିତ ରେଲଓ୍ବେ ଷ୍ଟେସନକୁ ବୁଲିବାକୁ ଯାଇଥିଲେ। ସେଠାରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା  ୧୬ ବର୍ଷୀୟ ବାଳକଙ୍କୁ ମହଙ୍ଗା ପଡ଼ିଛି ।

ଟ୍ରେନ୍ ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାରର ସଂସ୍ପର୍ଶରେ ଆସିବାରୁ ବାଳକ ଜଣକ ଆଖି ପିଛୁଳାକେ ଜଳି ଯାଇଥିବା ରେଲଓ୍ବେ ପୁଲିସ ଫୋର୍ସର ଅଧିକାରୀ ଆର୍.କେ. ତିୱାରି କହିଛନ୍ତି।

ମୃତବାଳକଙ୍କ ମୃତଦେହକୁ ଉଦ୍ଧାର କରି ରେଲୱେ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ବାଳକଙ୍କ ପରିବାକୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର