କୁଆଖାଇ ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣା : ଚିହ୍ନା ବ୍ୟକ୍ତି ହିଁ ହତ୍ୟାକାରୀ

ନଦୀପଠାରେ ଅଟକିଛି ପୁଲିସ

ତଦନ୍ତକାରୀ ପୁଲିସ ଟିମ୍‌ ଓ ଡିସିପିଙ୍କ ମନରେ ଗୋଟିଏ ସନ୍ଦେହ କାହିଁକି ଉନ୍ମୟ ନହରକଣ୍ଟା ନଦୀପଠାକୁ ଯାଇଥିଲେ ? ଯଦି ସେ କହୁଥିଲେ ତାଙ୍କୁ ସଂପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ୍‌ କରୁଛନ୍ତି ଓ ହତ୍ୟା କରିବେ, ତେଣୁ ଉନ୍ମୟ ସେଠାକୁ ଯିବାର ପ୍ରଶ୍ନ ଉଠୁ ନାହିଁ। କେହି ତୃତୀୟ ବ୍ୟକ୍ତି ଯିଏ ଉନ୍ମୟଙ୍କ ଚିହ୍ନା ପରିଚୟ ହୋଇଥିବ ତାଙ୍କୁ ଭରସା କରି ସେ ବିଜେବିନଗରରୁ ନହରକଣ୍ଟା ପର୍ଯ୍ୟନ୍ତ ଆସିଥିଲେ। ଆଉ ସାଙ୍ଗରେ ଲାପଟପ୍‌, ପେନ୍‌ ଡ୍ରାଇଭ ମଧ୍ୟ ଆଣିଥିଲେ। କିଏ ସେହି ତୃତୀୟ ବ୍ୟକ୍ତି ? ଯିଏ ହତ୍ୟାକାଣ୍ଡ ପରେ ଗୋଟିକ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରୁନାହାନ୍ତି ତ। ସେହି ତୃତୀୟ ବ୍ୟକ୍ତିଙ୍କୁ କେବଳ ଉନ୍ମୟ ଜାଣିଛନ୍ତି ନା ଭାଇରାଲରେ ଥିବା ଯୁବତୀଙ୍କର ମଧ୍ୟ ସେ ଚିହ୍ନା। ସେହି ତୃତୀୟ ବ୍ୟକ୍ତିଙ୍କୁ ଭାଇରାଲ ଭିଡିଓରେ ଯୁବତୀ ଉନ୍ମୟ ହତ୍ୟା କରାଇ ନାହାନ୍ତି ତ। ନାଁ ଯୁବତୀଙ୍କୁ ଫସାଇବାକୁ ସେହି ତୃତୀୟ ବ୍ୟକ୍ତି ଏଭଳି ଚାଲ ଖେଳୁଛନ୍ତି। ଏଭଳି ପରିସ୍ଥିତିରେ ଉନ୍ମୟଙ୍କ ପାଦରେ ଲାଗିଥିବା ଅଳତା ଆଉ କିଛି ସୂଚାଉଛି। ପୁଲିସ ଏ ସବୁ ଦିଗରେ ଏବେ ତଦନ୍ତ ଚଳାଇଛି।

ଖୋଲୁଛି ଭାଇରାଲ ଭିଡିଓର ଭାନୁମତି ପେଡ଼ି, ହତ୍ୟାକାରୀକୁ ଧରିବାକୁ ଗଠନ ହେଲା ୩ଟି ଟିମ୍‌

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଅଧୀନ ନହରକଣ୍ଟାସ୍ଥିତ କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀ ନାମକ ଜଣେ ଯୁବକଙ୍କ ଅଧାପୋଡ଼ା ଶବ ଜବତ ହେବା ଘଟଣାକୁ ଦୁଇ ଦିନ ବିତି ଗଲାଣି। କିନ୍ତୁ ଏଯାଏ ପୁଲିସ ଏହି ରହସ୍ୟମୟ ହତ୍ୟା ଘଟଣାର ପର୍ଦାଫାସ କରିବାକୁ ସକ୍ଷମ ହୋଇ ନାହିଁ। ପୁଲିସ ତଦନ୍ତ ଯେତିକି ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ହତ୍ୟାକାରୀ ଏତେ ଚାଲାକିର ସହିତ ହତ୍ୟାକାଣ୍ଡ ଭିଆଇଛି ଯେ ପୁଲିସ ତା ନିକଟରେ ପହଞ୍ଚିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ପୁଲିସ ମୃତ ଉନ୍ମୟଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର, ଲାପଟପକୁ ଆଧାର କରି ଖୋଳତାଡ଼ ଆରମ୍ଭ କରିଛି। ଏଥିପାଇଁ କମିସନରେଟ ପୁଲିସ ୩ଟି ସ୍ୱତନ୍ତ୍ର ଟିମ ଗଠନ କରିଛି। ସ୍ପେସାଲ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ, ମଞ୍ଚେଶ୍ୱର ଥାନା ପୂର୍ବତନ ଇନ୍ସପେକ୍ଟର ହିମାଂଶୁ ସ୍ୱାଇଁ, ଖାରବେଳନଗର ଥାନା ଏସିପି ଅନୁପ କାନୁନଗୋ ପ୍ରମୁଖ ଏହିସବୁ ଟିମ୍‌ର ନେତୃତ୍ୱ ନେଉଛନ୍ତି। ନିଜେ ଡିସିପି ସତ୍ୟବ୍ରତ ଭୋଇ ବ୍ୟକ୍ତିଗତ ଭାବେ ମାମଲାର ତଦାରଖ କରୁଛନ୍ତି। ଏହି ହତ୍ୟାକାଣ୍ଡର ପର୍ଦାଫାସ କରିବା ପୁଲିସ ପାଇଁ ଏକ ଚ୍ୟାଲେଞ୍ଚ ହୋଇ ପଡ଼ିଛି। ତାଙ୍କର ବଦଳି ପୂର୍ବରୁ ଘଟଣାର ପର୍ଦାଫାସ କରିବାକୁ ଏକ ପ୍ରକାର ସ୍ଥିର କରି ସାରିଛନ୍ତି ଡିସିପି ଶ୍ରୀ ଭୋଇ।

ହତ୍ୟାକାଣ୍ଡ ପରଠାରୁ ଭାଇରାଲ ହେଲାଣି ୭ଟି ଭିଡିଓ
ଉନ୍ମୟଙ୍କ ହତ୍ୟାକାଣ୍ଡ ପରଠାରୁ ଆଜି ଯାଏ ୭ଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଲାଣି। ଆହୁରି ଭିଡିଓ ମଧ୍ୟ ସୁଟିଂ ହୋଇଛି ବୋଲି ଶୁଣା ଯାଉଛି। କିଛି ଭିଡିଓକୁ କେତେକ ପର୍ଣ୍ଣ ସାଇଟ୍‌ରେ ମଧ୍ୟ ଛଡ଼ା ଯାଇଛି। ଯଦି ଭିଡିଓକୁ ଉନ୍ମୟ ସୋସିଆଲ ମିଡିଆରେ ଛାଡୁଥିଲେ, ସେ ତ ଏବେ ଆରପାରିରେ। ଏବେ ପୁଣି କିଏ ଦୁହିଁଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛି ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡ ପରେ ଉନ୍ମ୍ମୟଙ୍କ ଭାଇ ଚିନ୍ମୟ ଓ ନିଜେ ଯୁବତୀ ପରସ୍ପର ବିରୋଧରେ ଅଭିଯୋଗ କରୁଛନ୍ତି ଯେ ସେମାନେ ହିଁ ଭିଡିଓ ଭାଇରାଲ କରୁଛନ୍ତି। ତେବେ ଏଭଳି ଗୋଟିକ ଗୋଟିକ ପରେ ଗୋଟିଏ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ତୃତୀୟ ବ୍ୟକ୍ତିଙ୍କ ଉପରେ ନଜର ପକାଇବା ଆରମ୍ଭ କରିଛି ପୁଲିସ। କିଏ ସେହି ତୃତୀୟ ବ୍ୟକ୍ତି ତାକୁ ପୁଲିସ ଖୋଜିବା ଆରମ୍ଭ କରିଛି।

ଫରେନସିକ୍‌ ଲାବୋରେଟାରି ଗଲା ପୋଡ଼ା ଲାପଟପ୍‌ ଓ ପେନ୍‌ ଡ୍ରାଇଭ
ଘଟଣାସ୍ଥଳରୁ ପୁଲିସ ଜବତ କରିଥିବା ଉନ୍ମୟଙ୍କ ଅଧା ପୋଡ଼ା ଲାପଟପ୍‌ ଓ ପେନଡ୍ରାଇଭକୁ ପୁଲିସ ଜବତ କରିବା ସହିତ ଯାଞ୍ଚ ପାଇଁ ରସୁଲଗଡ଼ଠାରେ ଥିବା ରାଜ୍ୟ ଫୋରେନସିକ ଲାବୋରେଟାରିକୁ ପଠାଇବ। ସେଥିରେ ଥିବା ଡାଟାକୁ ରିକଭରି କରାଯିବ। କାରଣ ପୂର୍ବରୁ ଖାରବେଳନଗର ଥାନା ପୁଲିସ ଉନ୍ମୟକୁ ଗିରଫ କରିବାବେଳେ ଏକ ଲାପଟପ୍‌ ଓ ୧୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଯେଉଁଥିରେ ସେ ଯୁବତୀଙ୍କ ସହିତ ବିତାଇଥିବା ଅନ୍ତରଙ୍ଗ ମୁହୂର୍ତର ଏକାଧିକ ଭିଡିଓ ଥିଲା ବୋଲି ଯୁବତୀ ଜଣକ ଅଭିଯୋଗ କରିଥିଲେ। ପୁଲିସ ସେ ସବୁକୁ ଜବତ କରି କୋଲକାତା ଫୋରେନସିକ ଲାବୋରେଟାରିକୁ ପଠାଇଥିଲା। କିନ୍ତୁ ସେଥିରୁ କିଛି ବାହାରି ନ ଥିଲା। ତେଣୁ ଅଧା ପୋଡ଼ି ଯାଇଥିବା ଲାପଟପ୍‌ରେ ଏକାଧିକ ଅଶ୍ଳୀଳ ଭିଡିଓ ରହିଛି ବୋଲି ପୁଲିସ ଏବେ ସନ୍ଦେହ କରୁଛି।

ଅଶ୍ଳୀଳ ଭିଡିଓକୁ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଦେଖାଇଥିଲେ ଉନ୍ମୟ
ଆଜି ମଧ୍ୟ ଯୁବତୀ ଜଣକ ବୈଦ୍ୟୁତିକ ଗଣମାଧ୍ୟମ ସମ୍ମୁଖରେ ନିଜ ମତ ରଖିଛନ୍ତି। କହିଛନ୍ତି, ଉନ୍ମୟ ତାଙ୍କୁ ଚାକିରି ଦେଇ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଉଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରୁଥିଲେ। ଏପରିକି କିଛି ଭିଡିଓକୁ ସେ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦେଖାଇଥିଲେ। ତେବେ ଉନ୍ମୟଙ୍କ ହତ୍ୟାକାଣ୍ଡ ପରେ ପୁଣି କିଏ ଭିଡିଓ ଭାଇରାଲ କରୁଛି ତାହା ସେ ଜାଣି ନାହାନ୍ତି। ଏହାଛଡ଼ା ଉନ୍ମୟଙ୍କ ହତ୍ୟାକାଣ୍ଡରେ ସେ ଆଦୌ ସଂପୃକ୍ତ ନାହାନ୍ତି ବୋଲି ଦୋହରାଇଛନ୍ତି।

କୋଲକାତା କାର୍ଯ୍ୟାଳୟକୁ ଇ-ମେଲ୍‌ କରିଥିଲେ ଉନ୍ମୟ
ହତ୍ୟାକାଣ୍ଡର ୪/୫ ଦିନ ପୂର୍ବରୁ ଉନ୍ମୟ ଆଇସିଏର କୋଲାକାତା ମୁଖ୍ୟ କାର୍ଯ୍ୟାଳୟକୁ ଇ-ମେଲ୍‌ ପଠାଇଥିଲେ। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ କି, ତାଙ୍କୁ ଜଣେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ୍‌ କରୁଛନ୍ତି। ତାଙ୍କୁ ଧମକ ଚମକ ଦେଉଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଅଛି। ଏପରିକି ଉନ୍ମୟ ତାଙ୍କୁ ବ୍ଲାକ୍‌ମେଲ କରାଯାଉଥିଲା ବୋଲି ତାଙ୍କର କେତେକ ଘନିଷ୍ଠ ସହଯୋଗୀମାନଙ୍କୁ ମଧ୍ୟ ମୋବାଇଲ୍‌ ଫୋନ୍‌ରେ ଏସ୍‌ଏମ୍‌ଏସ୍‌ ଦେଇଥିଲେ। ମାନ ସମ୍ମାନକୁ ଜଗି ଉନ୍ମୟ ସଂପୃକ୍ତ ଯୁବତୀଙ୍କୁ ଦୁଇଟି ପର୍ଯ୍ୟାୟରେ ୧୨ ଓ ୧୪ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ତାଙ୍କ ସାଙ୍ଗସାଥୀମାନଙ୍କୁ କହିଥିଲେ।

୨ ମାସ ତଳୁ ଫେସବୁକ୍‌ ଆକାଉଣ୍ଟ ଡିଲିଟ୍‌ କରି ଦେଇଥିଲେ ଉନ୍ମୟ
ଉନ୍ମୟ ୨ ମାସ ତଳୁ ତାଙ୍କ ଫେସବୁକ୍‌ ଆକାଉଣ୍ଟକୁ ଡିଲିଟ୍‌ କରି ଦେଇଥିଲେ। ଏପରିକି ସେ ତାଙ୍କ ମୋବାଇଲ୍‌ ଫୋନ୍‌ରେ କାହା ସହିତ କଥାବାର୍ତା ନ କରି କେବଳ ଏସ୍‌ଏମ୍‌ଏସ୍‌ ଦେଉଥିଲେ। ଏହି ନମ୍ବର ତାଙ୍କ ଭାଇ ମଧ୍ୟ ଜାଣିନାହାନ୍ତି। ପୁଲିସ କେବଳ ପୁରୁଣା ନମ୍ବରକୁ ଆଧାର କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର