ବାରିପଦା: ପ୍ରେମିକାଙ୍କ ନଗ୍ନ ଫଟୋ ଭାଇରାଲ : କଲେଜ ଛାତ୍ର ଗିରଫ

ଭୁବନେଶ୍ୱର/ବାରିପଦା: ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ଉଲଗ୍ନ କରି ତାଙ୍କ ନଗ୍ନ ଫଟୋ ଭାଇରାଲ୍‌ କରିବା ଅଭିଯୋଗରେ ବାରିପଦା ପୁଲିସ ତିନିଜଣଙ୍କୁ ଗିରଫ କରିିଛି। ସେମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଅଞ୍ଚଳର ମୋତିଲାଲ ମହାତୋ, ଦୀପକ ମହାତୋ ଓ ପୁରୁଷୋତ୍ତମ ମହାତୋ। ସୁଟିଂ ବେଳେ ବ୍ୟବହାର ହୋଇଥିବା ମୋବାଇଲ୍‌ ଫୋନକୁ ମଧ୍ୟ ପୁଲିସ ଜବତ କରିଛି। ଏହି ଘଟଣାରେ ଅଭିଯୁକ୍ତମାନେ ଗିରଫ ହେବାର ୨୪ ଘଣ୍ଟା ନ ପୁରୁଣୁ ପୁଣି ଏକ ନଗ୍ନ ଭିଡିଓ ଭାଇରାଲ ନେଇ ସହରରେ ଚର୍ଚ୍ଚା ହୋଇଛି। ପୁଣି ଆଉ ଜଣେ ଯୁବତୀଙ୍କ ନଗ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଜଣାପଡ଼ିବା ପରେ ବାରିପଦା ପୁଲିସ ତଦନ୍ତ କରି ଏହି ଘଟଣାରେ ଶମ୍ଭୁନାଥ ଘୋଷ ନାମକ ଜଣେ କଲେଜ ଛାତ୍ରଙ୍କୁ ଗତକାଲି ରାତିରେ ଗିରଫ କରିଛି। ଶମ୍ଭୁନାଥ ତାଙ୍କ ପ୍ରେମିକାଙ୍କ ନଗ୍ନ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲିଂ କରିବା ସହିତ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଦେଇଥିଲେ। ସୋସିଆଲ ମିଡିଆରେ ଏକାଧିକ ଯୁବତୀଙ୍କ ନଗ୍ନ ଭିଡିଓ ଭାଇରାଲ ହେଉଛି। କେଉଁଠି ପୁଲିସ ମାମଲା ରୁଜୁ କରି ଗିରଫ କରୁଛି ତ ଆଉ କେଉଁଠି ଘଟଣାକୁ ଅଣଦେଖା କରି ଏଡ଼ାଇ ଯାଉଛି। ସାଇବର ପୁଲିସ ଘଟଣାର ଠିକ୍‌ଭାବେ ତଦନ୍ତ କରୁନାହିଁ କିମ୍ବା ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ ନିଷ୍କ୍ରିୟତାର ଫାଇଦା ଉଠାଇ, ଅପରାଧୀମାନେ ଏଭଳି ଅଭାବନୀୟ କାଣ୍ଡ ଭିଆଉଛନ୍ତି ଓ ମହିଳାଙ୍କ ସମ୍ମାନ ସହିତ ଖେଳ ଖେଳୁଥିବା ଅଭିଯୋଗ ହେଉଛି।


ବାରିପଦା ସହରର ବହୁ ଚର୍ଚ୍ଚିତ ନାବାଳିକାଙ୍କ ନଗ୍ନ ଭିଡ଼ିଓ ଭାଇରାଲ୍‌ ଘଟଣା ଏବେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ପୁଣି ଏକ ଭାଇରାଲ୍‌ ଫଟୋ ମାମଲା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ନାବାଳିକା ନଗ୍ନ ଭିଡ଼ିଓ ମାମଲାରେ ମୟୂରଭଞ୍ଜ ପୁଲିସ ୩ ଜଣଙ୍କୁ ଗିରଫ କରିିଥିବାବେଳେ ଅନ୍ୟ ଏକ ସେକ୍ସ ଫଟୋ ଭାଇରାଲ କରି ଜଣେ କଲେଜ ପଢୁଆ ଛାତ୍ର ଗିରଫ ହୋଇଛନ୍ତି। ନଗ୍ନ ଫଟୋ ଭାଇରାଲ୍‌ ହୋଇଥିବା କଲେଜ ଛାତ୍ରୀର ବାପା ଗତକାଲି ରାତିରେ ବାରିପଦା ଟାଉନ୍‌ ଥାନରେ ଏତଲା ଦେବାର ଅଳ୍ପ କେତେଘଣ୍ଟା ପରେ ପୁଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଛି। ଗିରଫ ହୋଇଥିବା ଛାତ୍ରର ନାମ ଶମ୍ଭୁନାଥ ଘୋଷ (୧୮)। ଛାତ୍ରର ଘର କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆରେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଘଟଣାରୁ ପ୍ରକାଶ, ଗିରଫ ହୋଇଥିବା ଛାତ୍ର ଶମ୍ଭୁୁନାଥ ବାରିପଦା ସହରର ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟରେ ପାଠ ପଢୁଥିଲେ। ଶମ୍ଭୁୁନାଥ ସେହି ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲେ। ଶମ୍ଭୁନାଥ ନିଜ ପ୍ରେମିକାର କେତେକ ଦୁର୍ବଳ ମୁହୂର୍ତ୍ତର ନଗ୍ନ ଫଟୋ ଉଠାଇ ତାକୁ ବ୍ଲାକ୍‌ମେଲିଂ କରିଆସୁଥିଲା। ତେବେ ଛାତ୍ରୀର ନଗ୍ନ ଫଟୋ ଭାଇରାଲ୍‌ ହେବାପରେ ତା’ ବାପା ଗତକାଲି ବାରିପଦା ଟାଉନ୍‌ ଥାନାରେ ଏତଲା ଦେଇଥିଲେ। ବାରିପଦା ଟାଉନ୍‌ ପୁଲିସ ଏତଲା ପାଇବା ପରେ ଗତକାଲି ରାତିରେ ଶମ୍ଭୁନାଥକୁ ତାଙ୍କ ଘରୁ ଉଠାଇ ଆଣି ପଚରା ଉଚରା କରିବା ପରେ ଗିରଫ କରିଥିଲା।


ସୂଚନାଯୋଗ୍ୟ ଯେ ଜଣେ ଯୁବତୀଙ୍କୁ ଜୋର ଜବରଦସ୍ତ ଉଲଗ୍ନ କରି ତାଙ୍କ ନଗ୍ନ ଫଟୋ କୁ ସେସିଆଲ ମିଡିଆରେ ତିନିଜଣ ଯୁବକ ଭାଇରାଲ କରି ଦେଇଥିଲେ। ଏ ନେଇ ସମଗ୍ର ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟଇ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏହି ଭାଇରାଲ ଭିଡିଓକୁ ଫେସବୁକ୍‌, ହ୍ଵାଟସଆପ୍‌ ଓ ୟୁ ଟ୍ୟୁବରୁ ହଟାଇବାକୁ ଆଜି ଓଡ଼ିଶା ପୁଲିସ ପକ୍ଷରୁ ଚିଠି କରାଯାଇଛି। ଭିଡିଓକୁ ଆଉ ଭାଇରାଲ ନ କରିବା ଲାଗି ମଧ୍ୟ ସମସ୍ତଙ୍କୁ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦୀର୍ଘ ସାତମାସ ପରେ ଭାଇରାଲ ହୋଇଥିବା ଛାତ୍ରୀଙ୍କ ନଗ୍ନ ଭିଡିଓ ଘଟଣା ଉପରୁ ଗତକାଲି ପରଦା ଉଠିଥିଲା। ଗତ ଏପ୍ରିଲ ୪ ତାରିଖରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ୍‌ ହୋଇଥିଲେ ହେଁ, ହାଲୁକା ଭାବେ ନେଇ ପୁଲିସ ଚୁପ୍‌ ବସିଥିଲା। କିନ୍ତୁ ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପରେ ପୁଲିସ କମିସନରଙ୍କ ଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାସାଙ୍ଗରେ ତତ୍ପର ହୋଇ ଉଠିଥିଲେ। ଆଜି ସକାଳେ କମିସନର ଟ୍ଵିଟ୍‌ କରି ମାମଲାଟି ମୟୂରଭଞ୍ଜର ବୋଲି ଜଣାଇଥିଲେ। ସେପଟେ ଡିଜି ଘଟଣାର ତନାଘନା ଆରମ୍ଭ କରିଥିଲେ। କେଉଁ ଜିଲ୍ଲାରେ ଏହି ଘଟଣାଟି ଘଟିଛି, ତାହା ତୁରନ୍ତ ଜଣାଇବା ପାଇଁ ସମସ୍ତ ଏସ୍‌ପି, ଡିଆଇଜି ଓ ରେଞ୍ଜ ଆଇଜିଙ୍କୁ କୁହାଯାଇଥିଲା। ସକାଳ ପ୍ରାୟ ୧୧ଟାବେଳେ ଜଣାପଡ଼ିଥିଲା ଯେ ଘଟଣାଟି ବାରିପଦା ସଦର ଥାନା ଅଧୀନସ୍ଥ ଜ୍ୟୋତିପୁରର। ପରେ ସଂପୃକ୍ତ ଯୁବତୀଙ୍କ ବାପା ଥାନାରେ ଏତଲା ଦେଇଥିଲେ ଓ ଏହାକୁ ଭିତ୍ତି କରି ପୁଲିିସ ମାମଲା ( ନମ୍ବର ୯୨/୧୭ ଦଫା ୩୯୨/୩୫୪(ବି)/ ୫୦୦/ ୬୬ ସି/୬୬ଡି/ ୬୭ ଏ/ ଆଇଟି ଆକ୍ଟ, ୧୨ ପୋକ୍ସୋ ଆକ୍ଟ/୩୪) ରୁଜୁ କରିଥିଲା। ମୟୂରଭଞ୍ଜ ଏସ୍‌ପି ଅନିରୁଦ୍ଧ ସିଂହଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ଗଠନ କରାଯାଇ ଚଢାଉ ଆରମ୍ଭ ହୋଇଥିଲା ଓ ପୁଲିସ ତିନିଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୂର୍ବରୁ ଏହା ରାଜଧାନୀର ଜୟଦେବ ବାଟିକା ଅଞ୍ଚଳରେ ଘଟିଥିବା ନେଇ କୁହାଯାଉଥିଲା।
ପୀଡିତାଙ୍କ ବାପା ଥାନାରେ ଦେଇଥିବା ଅଭିଯୋଗ ମୁତାବକ, ଘଟଣାଟି ଗତ ଏପ୍ରିଲ ମାସ ୪ ତାରିଖରେ ଘଟିଥିଲା। ପୀଡ଼ିତା ଜଣେ ନବମ ଶ୍ରେଣୀ ଛାତ୍ରୀ। ସେ ତାଙ୍କ ଜଣେ ସାଙ୍ଗଙ୍କ ସହିତ ନିକଟସ୍ଥ ଗାଁକୁ ଏକ ଭୋଜି ଖାଇବାକୁ ଯାଇଥିଲେ। ଫେରିବା ସମୟରେ ଏହି ତିନିଜଣ ତାଙ୍କୁ ପିଛା କରି ମାଡ଼ ମାରିବା ସହିତ ମୋବାଇଲ୍‌ ଫୋନ ଛଡ଼ାଇ ନେଇ ନଗ୍ନ ଚିତ୍ର ଓ ଭିଡିଓ ଉତ୍ତୋଳନ କରିଥିଲେ। ପରେ ତାକୁ ସୋସିଆଲ ମିଡିଆରେ ଛାଡି ଭାଇରାଲ କରିଥିଲେ।
ଆଜି ‘ ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତାଙ୍କ ମନରେ ବଳ ଆସିଥିଲା। ପୁଲିସ ମଧ୍ୟ ସହଯୋଗର ହାତ ବଢ଼ାଇବାର ପ୍ରତିଶ୍ରୁତି ଦେଇଥିଲା। ଏହା ପରେ ଛାତ୍ରୀଙ୍କ ବାପା ଥାନାରେ ଏତଲା ଦେବାର କିଛି କ୍ଷଣ ମଧ୍ୟରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେଲା ବୋଲି ଏସ୍‌ଡିପିଓ ଅଭିମନ୍ୟୁ ନାୟକ କହିଛନ୍ତି। ସିଆରପିସିର ଧାରା ୧୬୧ ଅନୁଯାୟୀ ତଦନ୍ତକାରୀ ଅଫିସର ସମ୍ମୁଖ ଓ ସିଆରିପିସିର ଧାରା ୧୬୪ ଅନୁଯାୟୀ କୋର୍ଟରେ ବୟାନ ରେକର୍ଡ କରାଯିବ। ଯେଉଁ ମୋବାଇଲ୍‌ ଫୋନ୍‌ରେ ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ଉତ୍ତୋଳନ ହୋଇଛି ସେହି ମୋବାଇଲ୍‌ଗୁଡିକର ଫୋରେନସିକ୍‌ ଯାଞ୍ଚ ପାଇଁ ଭୁବନେଶ୍ୱର ପଠାଯିବ ବୋଲି ଏସ୍‌ଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର