ନାବାଳିକାକୁ ଦୁଷ୍କର୍ମ, ରଙ୍ଗମିସ୍ତ୍ରି ଗିରଫ

ଖଣ୍ଡଗିରି : ଚାରି ଚାରିଟା ଛୁଆର ବାପା। ପେସାରେ ରଙ୍ଗମିସ୍ତ୍ରି। ଜଣେ ନାବାଳିକାକୁ ପ୍ରଲୋଭିତ କରିି ଅପହରଣ କରିବା ପରେ ତାକୁ ଦୁଷ୍କର୍ମ କରିଥିିଲା। ଏମିତିି ଏକ ସଂଗିନ୍‌ ଅପରାଧ ଅଭିଯୋଗରେ ଶନିବାର ଖଣ୍ଡଗିରିି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ବରବାରୀରେ ରହୁଥିବା ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଗାଲାଡ଼ି ଗାଁର ରାଜା ନାଏକ(୨୫)। ଜାମିନ୍‌ ନାମଞ୍ଜୁର ହେବାରୁ ରାଜାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ରାଜା ଗତ କିଛି ଦିନ ହେବ ବରମୁଣ୍ଡା ଅଞ୍ଚଳର ଜଣେ ୧୪ ବର୍ଷିଆ ନାବାଳିକାକୁ ଭଲ ପାଇ ବସିଥିଲା। ସେ ବିବାହିତ ଓ ତାର ଚାରିଟି ସନ୍ତାନ ଅଛନ୍ତି ବୋଲି ନାବାଳିକା ଜଣଙ୍କୁ କହି ନଥିଲା। ତେଣୁ ନାବାଳିକା ଜଣଙ୍କ ରାଜାର ପ୍ରେମ ଫାଶରେ ପଡ଼ି ଯାଇଥିଲା। ଗତ ୧୧ ତାରିଖ ଦିନ ରାଜା ନାବାଳିକାଙ୍କୁ ବିବାହ କରିବ ବୋଲି ଫୁସୁଲାଇ ଅପହରଣ କରି ନେଇଥିଲା। ଘାଟିକିଆ ଅଞ୍ଚଳରେ ରହୁଥିବା ଭଉଣୀଘରେ ରାଜା ନାବାଳିକାକୁ ରଖିଥିଲା। ସେଠାରେ ହିଁ ନାବାଳିକା ଜଣଙ୍କ ରାଜା ବିବାହିତ ଓ ୪ ସନ୍ତାନର ବାପା ବୋଲି ଜାଣିବାକୁ ପାଇଥିଲା। ତେଣୁ ତାକୁ ଛାଡ଼ିଦେବାକୁ ସେ ରାଜାକୁ କହିଥିଲା। କିନ୍ତୁ ରାଜା ଜୋର୍‌ ଜବରଦସ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲା ଓ ଭଉଣୀ ଘରେ ତାଙ୍କୁ ନଜରବନ୍ଦୀ କରି ରଖିଥିଲା। ମାତ୍ର ନାବାଳିକା ଜଣଙ୍କ ସେଠାରୁ ଖସିବା ପାଇଁ ମଉକା ଅପେକ୍ଷାରେ ଥିଲା। ଗତ ୨୨ ତାରିଖ ସନ୍ଧ୍ୟାରେ କୌଶଳକ୍ରମେ ନାବାଳିକା ଜଣଙ୍କ ସେଠାରୁ ଖସି ଆସିଥିଲା। ପରେ ପରିବାର ଲୋକଙ୍କ ସହାୟତାରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ପାଇବା ମାତ୍ରେ ଖଣ୍ଡଗିରି ଥାନା ପୁଲିସ ନାବାଳିକାକୁ ନେଇ ଘାଟିକିିଆ ଅଞ୍ଚଳରେ ଚଢ଼ଉ କରି ରାଜାକୁ ଗିରଫ କରିଥିଲା। ଆଜି ସେମାନଙ୍କର ଡାକ୍ତରୀ ମାଇନା କରାଯିବା ସହ ୧୬୪ରେ ନାବାଳିକାର ବୟାନ ରେକର୍ଡ କରାଯାଇଥିଲା।

ଅପହର୍ତା ଗିରଫ, ନାବାଳିକା ଉଦ୍ଧାର

ଭୁବନେଶ୍ୱର : ଜଣେ ନାବାଳିକାକୁ ଅପହରଣ ପରେ ଅସଦାଚରଣ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅପହର୍ତାକୁ ଗିରଫ କରିଛି। ସେ ହେଲା ରେଣ୍ଟାଲ କଲୋନି ସହିଦ ଲକ୍ଷ୍ମଣ ନାୟକ ବେହେରା ବସ୍ତି ଅଞ୍ଚଳର ବାପୁନ ଦାସ(୨୩)। ଏଥିସହିତ ପୁଲିସ ନାବାଳିକାକୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବାପୁନ ନାବାଳିକାକୁ ଏକତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ତା ପିଛା କରିବା ସହ ବାଟଘାଟରେ ହଇରାଣ କରୁଥିଲା। ଏମିତିକି ତାକୁ ପ୍ରେମ ନିବେଦନ କରିଥିଲା। ହେଲେ ନାବାଳିକା ଜଣଙ୍କ ବାପୁନ କଥାରେ ରାଜି ହୋଇ ନଥିଲା। ବାପୁନ ପ୍ରତିଶୋଧ ପରାୟଣ ହୋଇ ନାବାଳିକାକୁ ଅପହରଣ ଯୋଜନା କରିଥିଲା। ଗତ ଫେବ୍ରୁଆରି ୨୨ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ସପିଂ ସାରି ଘରକୁ ଫେରୁଥିବା ବେଳେ ବାପୁନ ତାକୁ ଅପହରଣ କରିନେଇଥିଲା। ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବାପୁନର ଫୋନ୍‌ ଟ୍ରାକିଂ କରି ତାର ଗତିବିଧି ଉପରେ ନଜର ରଖିଥିଲା। ଶୁକ୍ରବାର ବାପୁନ ନାବାଳିକାକୁ ରେଣ୍ଟାଲକଲୋନି ସ୍ଥିତ ଘରେ ରଖିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ବିଳମ୍ବିତ ରାତିରେ ସେଠାରେ ଚଢ଼ଉ କରି ତାକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।

ଲୁଟେରା ଗିରଫ, ସୁନାମୁଦି ଓ ରୁପା ବ୍ରେସ୍‌ଲେଟ୍‌ ଜବତ

ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ପାଟ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଲୁଟେରା ଓ ବଣିଆକୁ ଗିରଫ କରିଛି। ପୁଲିସ ତାଠାରୁ ଏକ ସୁନା ମୁଦି ଓ ରୁପା ବ୍ରେସଲେଟ୍‌ ଜବତ କରିଛି। ସେ ହେଲା ଅନୁଗୁଳ ଜିଲ୍ଲା ଚୁଲିଆପୁର ଅଞ୍ଚଳର ଜ୍ୟୋତିରାଜ ବେହେରା(୨୫)। ଏଠାରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ରୁହେ। ୨୨ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ନୂଆପଲ୍ଲୀ ବେହେରାସାହି ଅଞ୍ଚଳର ଶକ୍ତି ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଅଟୋରେ ଶୋଇଥିଲେ। ଏହାର ସୁଯୋଗରେ ଜ୍ୟୋତି ଶକ୍ତିଙ୍କ ସୁନାମୁଦି ଓ ରୁପା ବ୍ରେସଲେଟ୍‌ ନେଇଯାଇଥିଲା। ଏନେଇ ଶକ୍ତି ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ପୁଲିସ ଜ୍ୟୋତି ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର