ପାଟ୍ନା: ବିହାରର ରାଜଧାନୀ ପାଟ୍ନାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଅବସରପ୍ରାସ୍ତ ଇନ୍ସ୍ପେକ୍ଟର ଜେନେରାଲ୍ ଅଫ୍ ପୁଲିସ୍ଙ୍କ ଝିଅ ରବିବାର ସକାଳୁ ପାଟ୍ନାରେ ଥିବା ନିଜ ବାସଭବନର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ ପାଟ୍ନାର ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ସିନିୟର୍ ପୁଲିସ୍ ସୁପରିଟେଣ୍ଡେଣ୍ଟ୍ଙ୍କ ସହ ପୁଲିସ୍ ଟିମ୍ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ବହୁତ ଖୋଜିବା ପରେ ବି ଘଟଣାସ୍ଥଳରୁ କିମ୍ବା ଯୁବତୀଙ୍କ ଘରୁ ସୁଇସାଇଡ୍ ନୋଟ ମିଳିପାରି ନାହିଁ।
ମୃତକ ଯୁବତୀ ଜଣକ ବୃତ୍ତିରେ ଜଣେ ଡାକ୍ତର ଥିଲେ ବୋଲି ଜାଣିବାକୁ ମିଳିଛି। ନିକଟରେ ତାଙ୍କର ନିର୍ବନ୍ଧ ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି କି ଯୁବତୀ ଜଣକ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣକ ଛାତରୁ ଡେଇଁ ଆତ୍ମହତ୍ୟା କରିବା କଥା ହାଉସିଂ ସୋସାଇଟିର ଜଣେ ସିକ୍ୟୁରିଟି ଗାର୍ଡ ପ୍ରଥମେ ଦେଖିବା ପରେ ତାଙ୍କ ପରିବାର ଲୋକ ଓ ବିବାହ ପାଇଁ ଘରେ ରୁଣ୍ଡ ହୋଇଥିବା ବନ୍ଧୁ ବାନ୍ଧବଙ୍କୁ କହିଥିଲେ।
ପୁଲିସ୍ ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ହସ୍ପିଟାଲ୍କୁ ପଠାଇଛି। ଘଟଣାସ୍ଥଳରୁ ପୁଲିସ୍ ଏକ ମୋବାଇଲ୍ ଫୋନ୍ ଜବତ କରିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଶକ୍ତ ଧକ୍କା ଲାଗିଥିବା ହେତୁ ତାଙ୍କୁ ଏଯାବତ୍ ପଚରାଉଚରା କରାଯାଇ ନାହିଁ। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/b14cf572eedeb56ef1caedea7baf657a.jpg)