ଭୁବନେଶ୍ବର : ଚିଟ୍‌ଫଣ୍ଡ ସଂସ୍ଥା ଶସ୍ତ୍ର ଏଣ୍ଟରପ୍ରାଇଜର୍ସର ନିର୍ଦ୍ଦେଶକ ବଲରାଜୁ ମଲ୍ଲିକାର୍ଜୁନ ରାଜୁ(୫୪)ଙ୍କୁ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ତାଙ୍କ ଘର ଆନ୍ଧ୍ରପ୍ରଦେଶ ତିରୁପତି ଅଞ୍ଚଳରେ। ଗିରଫ ପରେ ଇଓଡବ୍ଲୁ ତାଙ୍କୁ ତିରୁପତି ଅତିରିକ୍ତ ଜେସିଜେ କୋର୍ଟରେ ହାଜର କରାଇ ଟ୍ରାଞ୍ଜିଟ୍‌ ରିମାଣ୍ଡ‌ରେ ଆଣିଛି। ଖୁବ୍‌ଶୀଘ୍ର ତାଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯିବ।

Advertisment

ସୂଚନା ମୁତାବକ, ୨୦୦୯-୧୦ ମସିହାରେ ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ଓ ମେସର୍ସ ଆର୍ନମାକ୍ସ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ସଂସ୍ଥା ଜମାକାରୀଙ୍କୁ ଦୁଇଗୁଣା ଟଙ୍କା ଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିଲେ। ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ସଂସ୍ଥା ବିଭିନ୍ନ ବିଜ୍ଞାପନ ଓ ଲିଫ୍‌ଲେଟ୍‌ ମାଧ୍ୟମରେ ପ୍ରଚାରପ୍ରସାର କରିଥିଲା। ତେବେ ଜମାକାରୀଙ୍କ ଟଙ୍କା ଫେରସ୍ତ ଅବଧି ଆରମ୍ଭ ପୂର୍ବରୁ ସଂସ୍ଥା ଅନ୍ତର୍ଧାନ ହୋଇଯାଇଥିଲା। ଏନେଇ ୨୦୧୧ ମସିହାରେ ବାରିପଦାର କ୍ଷୀରୋଦ ଚନ୍ଦ୍ର ବାରିକ ନାମକ ଜମାକାରୀ ଇଓଡବ୍ଲୁରେ ଅଭିଯୋଗ କରିବାରୁ ନମ୍ବର ୧୬ରେ ଆଇପିସି ଧାରା ୪୬୭, ୪୬୮, ୪୭୧, ୪୨୦, ୪୦୬, ଏବଂ ୧୨୦ (ବି)ରେ ମାମଲା ରୁଜୁ ହୋଇଥିଲା। ପ୍ରକାଶଯୋଗ୍ୟ, ଏହି ଠକେଇ ମାମଲାରେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ବାରିପଦା କାର୍ଯ୍ୟାଳୟର ପାର୍ଥସାରଥି ଜେନା, ତପନ ବାରିକ, ସଦାଶିବ ନାଏକ ଏବଂ ପରିଚାଳନା ନିର୍ଦେଶକ ଭି. ସମ୍ପଥ୍‌। ଭି ସମ୍ପଥ୍‌ ଏବେ ଜେଲ୍‌‌ରେ ଅଛନ୍ତି।