ସୋସିଆଲ ମିଡିଆରେ ସାପକୁ ପିଟି ମାରିବାର ଦୃଶ୍ୟ, କ୍ରାଇମ ବ୍ରାଞ୍ଚ‌ରେ ଅଭିଯୋଗ

ଭୁବନେଶ୍ବର: ସୋସିଆଲ ମିଡିଆ ‘ଭିଗୋ’ରେ ନାଗ ସାପକୁ ଝିଅମାନେ ଚୁମ୍ବନ ଦେବା ଦୃଶ୍ୟକୁ ଅପ୍‌ଲୋଡ୍‌ କରି ବରଗଡ଼ ଜିଲ୍ଲାରେ ଜଣେ ଯୁବକ ଗିରଫ ହୋଇଥିଲା। ଘଟଣାକୁ ବର୍ଷେ ନ ପୂରୁଣୁ ସାପମାନଙ୍କ ସହ ‘ଟିକ୍‌ଟକ୍’ ଭିଡିଓ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓରେ ବ୍ୟାକ୍ ଗ୍ରାଉଣ୍ଡରେ ଏକ ଓଡ଼ିଆ ଗୀତ ବାଜୁଥିବା ବେଳେ ଜଣେ ଯୁବକ ୨ଟି ସାପ(ଢମଣା)କୁ ବାଡ଼େଇ ମାରୁଛି। ଏହା ପରେ ମୃତ ସାପକୁ ପାନ ପତ୍ର ଆକୃତିରେ ସଜେଇ ତା’ ଉପରେ ଚକା ପକାଇ ବସୁଛି। ସାପକୁ ମାରିବା ପରେ ଏଭଳି ଆଚରଣ କରିବା ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରୁଛି। ଏଣୁ ସମ୍ପୃକ୍ତ ଯୁବକକୁ ଗିରଫ କରିବା ପାଇଁ ଖୋର୍ଧା ଜିଲ୍ଲା ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ତଥା ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। ଏହା ସହ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଓ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କୁ ମଧ୍ୟ ସେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ସାପ(ଢମଣା) ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨ ଅନୁଯାୟୀ ତଫସିଲ-୨ରେ ସଂରକ୍ଷିତ। ଏହି ସାପକୁ ମାରିବା ଅପରାଧ। ଏଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ଅଛି। ଭିଗୋ ଭିଡିଓ ଓ ୟୁ’ ଟ୍ୟୁବରେ ସାପକୁ ନେଇ ଭିଡିଓ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହେଉଛି। ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଅଭିଯୋଗ ଉପରେ ବନ ବିଭାଗ ଆଖି ବୁଜି ଦେଇଛି।

ସମ୍ବନ୍ଧିତ ଖବର