ଯୁବତୀଙ୍କ ସହ ପ୍ରତାରଣା, କନ୍‌‌ଷ୍ଟେବଲ ଗିରଫ

ଭୁବନେଶ୍ବର : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋରେ ନୂଆପଲ୍ଲୀ ଥାନା ପୁଲିସ ସିଆର୍‌ପିଏଫ୍‌ର ଜଣେ କନ୍‌ଷ୍ଟେବଲ୍‌କୁ ଗିରଫ କରିଛି। ସେ ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ରାଇବରୁଆଁ ଅଞ୍ଚଳର ଜଗନ୍ନାଥ ପରିଡ଼ା(୨୩)। ତେବେ ସେ ଏଠାରେ ନୂଆପଲ୍ଲୀ ସ୍ଥିତ ସିଆର୍‌ପିଏଫ୍ କ୍ୟାମ୍ପସରେ ରହୁଥିଲେ।

ପୁଲିସ ସୂଚନା ମୁତାବକ, ଗତ ୩ ବର୍ଷ ହେବ ଜଗନ୍ନାଥ ସ୍ଥାନୀୟ ଅଞ୍ଚଳର ଜେଣ ଯୁବତୀଙ୍କୁ ଭଲପାଉଥିଲେ। ଉଭୟ ଫୋନ୍‌ରେ ଘଣ୍ଟା ଘଣ୍ଟା କଥା ହେଉଥିଲେ। ବାହାରକୁ ବୁଲିବାକୁ ମଧ୍ୟ ଯାଉଥିଲେ। ପରେ ଜଗନ୍ନାଥ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। କିଛିଦିନ ତଳେ ଯୁବତୀ ଜଣଙ୍କ ଜଗନ୍ନାଥଙ୍କୁ ବିବାହ ପାଇଁ କହିବାରୁ ସେ ରାଗି ଗାଳିଗୁଲଜ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେ ବିବାହ କରିବ ନାହିଁ‌ ବୋଲି ସିଧା ସିଧା ଯୁବତୀଙ୍କୁ ମନା କରିଥିଲା। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ରବିବାର ରାତିରେ ପୁଲିସ ସିଆର୍‌ପିଏଫ୍‌ କ୍ୟାମ୍ପସରୁ ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

୧୮ଜୁଆଡ଼ି ଗିରଫ, ୫୧ ହଜାର ଟଙ୍କା ଜବତ

ଭୁବନେଶ୍ବର : ୟୁନିଟ୍‌-୧ ଗୋଦାମ ପଡ଼ିଆ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି କ୍ୟାପିଟାଲ ଥାନା ପୁଲିସ ୧୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୫୧ ହଜାର ୬ଶହ ୩୦ ଟଙ୍କା ଜବତ କରିଛି। ସେଠାରେ ଜୁଆ ଆଡ଼ା ଚାଲିଥିବା ସଂପର୍କରେ ସୂଚନା ପାଇ ପୁଲିସର ଏକ ଟିମ୍‌ ସୋମବାର ଅପରାହ୍ଣରେ ଚଢ଼ଉ କରିଥିଲା।

ପୁଲିସ ଏକ ମାମଲା ରୁଜୁ କରି ଗିରଫ ୧୮ଜୁଆଡ଼ିଙ୍କୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର