ନୂଆଦିଲ୍ଲୀ: ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଘୃଣ୍ୟ ଏବଂ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଗର୍ଭବତୀଙ୍କୁ କନଷ୍ଟେବଳ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଜେଲ ପଠାଇ ଦେବାକୁ କନଷ୍ଟେବଳ ଧମକ ଦେଇଥିଲେ।
ପୀଡ଼ିତା ଅନ୍ତସତ୍ତ୍ବା ସାଙ୍ଗାନେର ଥାନାରେ ବିଳମ୍ବିତ ରାତିରେ ପହଞ୍ଚି ଅଭିଯୋଗ କରି କହିଥିଲେ, ‘ପାରିବାରିକ କଳହକୁ ନେଇ ମୁଁ ଥାନାରେ ମାମଲା ରୁଜୁ କରିବାକୁ ଯାଇଥିଲି। ଏହି ସମୟରେ ଜଣେ କନଷ୍ଟେବଳ ମୋତେ କହିଲେ ଥାନାରେ ସାର ନାହାନ୍ତି। ମାମଲା ରୁଜୁ ପାଇଁ ହୋଟେଲକୁ ଯିବାକୁ ପଡ଼ିବ।
ମୁଁ ତାଙ୍କ କଥାକୁ ବିଶ୍ବାସ କରି ନେଇଥିଲି। ସେ ମୋତେ ଯେଉଁ ସ୍ଥାନକୁ କହିଥିଲେ ମୁଁ ଚାଲି ଯାଇଥିଲି।
ସେ ପୂର୍ବରୁ ଯୋଜନା କରି ରଖିଥିବା ଏକ ହୋଟେଲକୁ ମୋତେ ନେଇ ଯାଇଥିଲେ। ସେଠାରେ ମୋର ଅଭିଯୋଗ ରେକର୍ଡ କରିବା ପରେ ମୋ ତିନିବର୍ଷର ଝିଅ ସାମ୍ନାରେ ମୋତେ ଦୁଷ୍କର୍ମ କରିଥିଲେ।’
ମହିଳାଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଅନ୍ତସତ୍ତ୍ବା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ସାମିଲ ଥିବା କନଷ୍ଟେବଳଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି। ଘଟଣାରେ ଯଦି କନଷ୍ଟେବଳ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି।