ଯୁବତୀଙ୍କୁ ପ୍ରତାରଣା; ବନ୍ଧାହେଲେ କନେଷ୍ଟବଳଙ୍କ ପୁଅ

ଖଣ୍ଡଗିରି : ଜଣେ ଯୁବତୀଙ୍କ ସହ ଦୀର୍ଘ ୫ ବର୍ଷ କାଳ ପ୍ରେମ ସମ୍ପର୍କ ରଖିବା ପରେ ପ୍ରତାରଣା କରିବା ଓ ରାସ୍ତାରୁ ହଟିଯିବା ପାଇଁ ଆକ୍ରମଣ କରିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଭୁବନେଶ୍ୱର କମିସନରେଟ୍‌ ପୁଲିସରେ କାମ କରୁଥିବା ଜଣେ କନ୍‌ଷ୍ଟେବଳଙ୍କ ପୁଅ ବିକାଶ କୁମାର ମଲ୍ଲିକ(୩୦)। ଯାଜପୁର ବରିରାମଚନ୍ଦ୍ରପୁର ବ୍ରହ୍ମପୁର ଅଞ୍ଚଳର ବିକାଶ ମଧ୍ୟ ୨ଟି ବସ୍‌ର ମାଲିକ। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

କଟକ ଜିଲ୍ଲା ମାହାଙ୍ଗା ପାଇକିରାପୁର ଗ୍ରାମର ମିତା(ଛଦ୍ମନାମ) ନାମକ ଜଣେ ଯୁବତୀଙ୍କ ଅଭିଯୋଗ ଅନୁସାରେ ୫ ବର୍ଷ ପୂର୍ବରୁ ବିକାଶ ଓ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସେତେବେଳେ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ନର୍ସଭାବେ କାମ କରୁଥିଲେ ଓ ବିକାଶ ମାଲିକଭାବେ ୨ଟି ବସ୍‌ର ପରିଚାଳନା କରୁଥିଲେ। ପାଖାପାଖି ଅଞ୍ଚଳ ଓ ଏକା ଜାତିର ହୋଇଥିବାରୁ ପ୍ରେମ ସମ୍ପର୍କ ଧୀରେ ଧୀରେ ନିବିଡ଼ ହୋଇ ବିବାହ ଦିଗକୁ ମୁହାଁଇଥିଲା। ଏମିତିକି ଦୁଇ ପରିବାର ମଧ୍ୟ ଏହି ସମ୍ପର୍କକୁ ସ୍ୱୀକୃତି ଦେବା ଅବସ୍ଥାକୁ କଥା ଆସିଯାଇଥିଲା। ଏ ଭିତରେ ଦୁଇ ଜଣ ଏତେ ନିକଟତର ହୋଇଯାଇଥିଲେ ଯେ ସେମାନେ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରାତି କଟାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ଫଳରେ ମିତା ଗର୍ଭବତୀ ହୋଇଥିଲେ ଓ ଫୁସୁଲାଫୁସୁଲି କରି ବିକାଶ ତାଙ୍କ ଗର୍ଭ ନଷ୍ଟ କରାଇଥିଲା ବୋଲି ମିତା ଅଭିଯୋଗରେ ଦର୍ଶାଇଛନ୍ତି। ଏହା ପରେ ମିତା ତୁରନ୍ତ ବିବାହ କରିବା ପାଇଁ କହିବାରୁ ବିକାଶ ଦିନ ଗଡ଼ାଇ ଚାଲିଲେ। କେତେବେଳେ ଅର୍ଥାଭାବ ତ କେତେବେଳେ ଘରୋଇ ସମସ୍ୟାକୁ ନେଇ ବିକାଶ ବିବାହ ଗଡ଼ାଇ ଚାଲିବାରୁ ମିତାଙ୍କ ସନ୍ଦେହ ହୋଇଥିଲା। ଏ ଭିତରେ ମିତା କଟକରେ ନର୍ସ ଚାକିରି ପାଇବାରୁ ଦୁହିଁଙ୍କ ଭିତରେ ଦୂରତା ବଢ଼ିବାରେ ଲାଗିଲା। ପରେ ସେ ଜାଣିବାକୁ ପାଇଲେ ଯେ ବିକାଶ ଡୁମୁଡୁମା ହାଉସିଂ ବୋର୍ଡ କଲୋନିରେ ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କରେ ଅଛନ୍ତି। ତେଣୁ ଗତ ୨୦ ତାରିଖରେ ସେ ପିଛା କରି କରି ଡୁମୁଡୁମାରେ ପହଞ୍ଚି ଲିପା(ଛଦ୍ମନାମ) ନାମକ ଜଣେ ବିବାହିତା ମହିଳାଙ୍କ ଘରେ ତାଙ୍କ ସହ ବିକାଶଙ୍କୁ ଦେଖିଥିଲେ। ଫଳରେ ଘଟଣାସ୍ଥଳରେ ବିକାଶ ଓ ମିତାଙ୍କ ମଧ୍ୟରେ ବଚସା ହୋଇଥିଲା ଓ ରାଗରେ ବିକାଶ ମିତାଙ୍କୁ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରୁ ଖସି ଆସି ମିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସ ବିକାଶଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର