ଅପରାଧୀଙ୍କ ଚରାଭୂଇଁ ଏନଏଚ୍‌-୬୦: ଡ୍ରାଇଭର, ହେଲପରଙ୍କୁ ନିଶା ଦେଇ ‌ଲୁଟିନେଲେ କଣ୍ଟେନର

୪୦ ଲକ୍ଷ ଟଙ୍କାର ତେଲ ଆସୁଥିଲା, ଖବର ଦେବା ପରେ ବି ଘଟଣାସ୍ଥଳକୁ ଆସିଲାନି ପୁଲିସ

ବାଲେଶ୍ବର: ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିବା ଏକ ଖାଇବା ତେଲ ବୋଝେଇ କଣ୍ଟେନରକୁ ଗତକାଲି ବିଳମ୍ବିତ ରାତିରେ ରାଜଘାଟ ନିକଟ ଚାଲନ୍ତିଠାରେ ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗାଡ଼ି ଅଟକାଇ ଡ୍ରାଇଭର ଓ ହେଲପରକୁ ବନ୍ଧୁକ ଦେଖାଇ ଧମକାଇବା ସହ ତଳକୁ ଓହ୍ଲାଇ ବଳପୂର୍ବକ ନିଶା ଖୁଆଇ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି।

ଆଜି ମଧ୍ୟାହ୍ନରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଡ୍ରାଇଭର ଓ ହେଲପରଙ୍କୁ ରାସ୍ତାର ପ୍ରାୟ ୧୫ ଫୁଟ୍‌ ତଳେ ଏକ ବୁଦାମୂଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ରାସ୍ତାରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ସ୍ଥାନୀୟ ପୁଲିସର ନିଷ୍କ୍ରିୟତା ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପଶ୍ଚିମବଙ୍ଗରୁ ଏହି କଣ୍ଟେନର ଫର୍ଚୁନ କମ୍ପାନିର ୪୦ ଲକ୍ଷରୁ ଅଧିକ ଟଙ୍କାର ସନଫ୍ଲାୱାର ରିଫାଇନ ତେଲ ନେଇ ଓଡ଼ିଶା ଆସୁଥିଲା। ତେବେ ଲକ୍ଷ୍ମଣନାଥ ଟୋଲଗେଟ୍‌ ନିକଟ‌ରୁ ‌ଏକ ଖାଲିଟ୍ରକ ଏବଂ ଏକ ବୋଲେରୋରେ କିଛି ଯୁବକ ତେଲ ବୋଝେଇ ଗାଡ଼ିକୁ ପିଛା କରିଥିଲେ। ରାଜଘାଟ ନିକଟ ଚାଲନ୍ତି ଛକ ପୂର୍ବରୁ ଉକ୍ତ ଟ୍ରକ ଓ ବୋଲେରୋ କଣ୍ଟେନର ଆଗକୁ ଆସି ଅଟକାଇଥିଲେ। ଡ୍ରାଇଭର ଗାଡ଼ି ରଖିବା ପରେ ତାଙ୍କୁ ଏବଂ ହେଲପରଙ୍କୁ ଦୁର୍ବୃତ୍ତମାନେ ତଳକୁ ଓହ୍ଲାଇ ମୁଣ୍ଡରେ ବନ୍ଧୁକ ଲଗାଇବା ସହିତ ଜବରଦସ୍ତ ନିଶାଦ୍ରବ୍ୟ ଖୁଆଇଦେ‌ଲେ। ଏହାପରେ ଦୁହିଁଙ୍କୁ ରାସ୍ତାତଳକୁ ଠେଲିଦେଇ ଉକ୍ତ ତେଲ କଣ୍ଟେନରକୁ ଆଖି ପିଛୁଳାକେ ଲୁଟି ନେ‌ଇଥିଲେ ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ୧୨ଟା ବେଳେ ସେହିବାଟ ଦେଇ କିଛି ଲୋକ ବିଲକୁ କାମ କରିବାକୁ ଯାଉଥିବା ବେଳେ ବୁଦାମୂଳେ କେହି ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଡାକିବା ସହ ଜଳେଶ୍ବର ଥାନାକୁ ଖବର ଦେଇଥିଲେ। ହେଲେ ବହୁ ସମୟ ପର୍ଯ୍ୟନ୍ତ ପୁଲିସ ନପହଞ୍ଚିବାରୁ ରାସ୍ତା ତଳକୁ ଯାଇ ଏ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ନିଶା ଖାଇଥିବା ଯୋଗୁଁ ‌ଉଭୟ ଡ୍ରାଇଭର ଓ ହେଲପର ନିଜ ପରିଚୟ ଠିକ୍‌ ଭାବେ ଦେଇପାରିନଥିବା ବେଳେ ଲୁଟ୍‌ ହୋଇଥିବା କଣ୍ଟେନରର ନମ୍ବର ମଧ୍ୟ ସ୍ପଷ୍ଟ କହିପାରିନଥିଲେ। ପୁଲିସକୁ ଆଉ ଅପେକ୍ଷା ନକରି ଉଭୟଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ନେଇ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ।

ଏବେ ପ୍ରଶ୍ନ ଉଠୁଛି, ନିକଟରେ ପୁଲିସ ଡିଜି ଅଭୟ ବାଲେଶ୍ବର ଗସ୍ତରେ ଆସି ସୀମାରେ ସୁରକ୍ଷା ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରି ୨୪ ଘଣ୍ଟା ନଜର ରଖାଯାଇଥିବା କହିଥିଲେ। ତେବେ ଗତକାଲିର ତେଲ କଣ୍ଟେନର ଲୁଟ୍‌ ଭଳି ଘଟଣା ୬୦ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଘଟୁଛି। ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ଏହି ରାସ୍ତା। କରୋନା କଟକଣାକୁ ଆଳ କରି ପୁଲିସ ସାଧାରଣ ଲୋକଙ୍କଠାରୁ ଜରିମାନା ଆଦାୟ କରୁଥିବା ବେଳେ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଲାଣି। ଛିନ୍‌ତାଇ, ଗାଡ଼ିଲୁଟ୍‌, ମାରଣାସ୍ତ୍ର ଦେଖାଇ ବଟି ଆଦାୟ ଭଳି ଘଟଣା ନିୟମିତ ହେଲାଣି। ସ୍ଥାନୀୟ ଅଞ୍ଚଳର ଏକ ସଂଗଠିତ ଦଳ ଏପରି ଅପରାଧିକ କାର୍ଯ୍ୟକଳାପ କରୁଥିବା ବେଳେ ସେମାନଙ୍କ ପଛରେ ରାଜନୈତିକ ପୃଷ୍ଠପୋଷକତା ମଧ୍ୟ ରହିଥିବା ଜଣାଯା‌ଇଛି।

ଗତ ସପ୍ତାହରେ ଲକ୍ଷ୍ମଣନାଥ ଅଞ୍ଚଳରୁ ୨ ଯୁବକଙ୍କୁ ରାଜପଥରେ ଯାନବାହାନ ଚାଳକଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଆଦି ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ମାତ୍ର ଏବେ ସେମାନେ ବାହାରେ ଆସି ବୁଲୁଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ଅଞ୍ଚଳର ୩ ଜଣ ହୋମଗାର୍ଡଙ୍କ ରାଜପଥ ଲୁଟପାଟରେ ଲିଙ୍କ ଥିବା ଜିଲ୍ଲା ପୁଲିସକୁ ପ୍ରମାଣ ଦିଆଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଦୁର୍ଭାଗ୍ୟଜନକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର