ରାଜଭବନ କଲୋନିରେ ଠିକାଦାରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଭବନ କ୍ୟାମ୍ପସ ପରିସରରେ ଥିବା କର୍ମଚାରୀ କଲୋନିର ଏକ ଆଜବେଷ୍ଟସ୍‌ ଘରୁ ପୁଲିସ ଜଣେ ଠିକାଦାରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ତାଙ୍କ ନାଁ ଦିଲ୍ଲୀପ ନାୟକ। ନିଜ ଘର ଯାଜୁପରରେ। ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡାରେ ରୁହନ୍ତି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି। ଯେଉଁଥିରେ ସେ ବାକିଥିବା ବିଲ୍‌ ଟଙ୍କା ପାଇବାରେ ବିଳମ୍ବ ହେବା ଓ ତାଙ୍କଠାରୁ ହାତ ଉଧାର ନେଇଥିବା ଟଙ୍କା ଫେରି ନପାଇବା କାରଣରୁ ଘୋର ମାନସିକ ଅଶାନ୍ତି ମଧ୍ୟରେ ଥିଲେ ବୋଲି ଲେଖିଛନ୍ତି।

ମିଳିଥିବା ସୂଚନା ମୁତାବକ, ଦିଲ୍ଲୀପ ରାଜଭବନ ପରିସରରେ ଥିବା ଏକ କର୍ମଚାରୀ କଲୋନିର ବିଭିନ୍ନ ଘରର ମରାମତି କାମ କରୁଥିଲେ। ପୂର୍ତ ବିଭାଗ ପକ୍ଷରୁ ଏହି କାମ ଚାଲିଥିଲା। ଏଥିପାଇଁ ବିଭାଗ ପକ୍ଷରୁ କଲୋନିର କ୍ୱାର୍ଟର୍ସ ନମ୍ବର ଟୁ-ଆରଏ-୩୩ ଯୋଗାଇ ଦିଆଯାଇଥିଲା। ସେହି ଘରକୁ ଦିଲ୍ଲୀପ ଷ୍ଟୋର ଭାବେ ବ୍ୟବହାର କରୁଥିଲେ। ତେବେ ଆଜି ସକାଳୁ ଦିଲ୍ଲୀପଙ୍କ ନିକଟରେ କାମ କରୁଥିବା ଶ୍ରମିକମାନେ ଆସି ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଯେ ଦିଲ୍ଲୀପ ଆଜବେଷ୍ଟସରେ ଝୁଲିଛନ୍ତି। ଏନେଇ ସେମାନେ ତୁରନ୍ତ କ୍ୟାପିଟାଲ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ନେଇ ବ୍ୟବଚ୍ଛେଦ କରାଇଥିଲା।

ଯାହା ସୂଚନା ମିଳିଛି ଦିଲ୍ଲୀପଙ୍କ ପୂର୍ତ ବିଭାଗରେ କରିଥିବା ଏକାଧିକ କାମର ବିଲ୍‌ର ପେମେଣ୍ଟ୍‌ ବାକି ଅଛି। ଏ ନେଇ ସେ ବାରମ୍ବାର ଯନ୍ତ୍ରୀଙ୍କୁ କହିବା ପରେ ତାଙ୍କ ବିଲ୍‌ ପାସ ହେଉ ନ ଥିଲା। ଏହି କାରଣରୁ ଗତକାଲି ଜଣେ ଯନ୍ତ୍ରୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା ବୋଲି ଦିଲ୍ଲୀପଙ୍କ ନିକଟରେ କାମ କରୁଥିବା କେତେକ ଶ୍ରମିକ ଆଜି କହିଛନ୍ତି।
ଏହା ଛଡ଼ା ପୁଲିସ କହିଛି ଦିଲ୍ଲୀପ ଅନେକ ଲୋକଙ୍କୁ ହାତ ଉଧାର ଦେଇଥିଲେ। ଯେଉଁ ଟଙ୍କା ସେ ଫେରି ନ ପାଇ ମାନସିକ ଅସ୍ଥିରତା ଦେଇ ଗତି କରୁଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି। ସେହିପରି ବକେୟା ବିଲ୍‌ ନ ପାଇବା କାରଣରୁ ଦିଲ୍ଲୀପ ଆତ୍ମହତ୍ୟା କରିଥିବା ଅଭିଯୋଗର ତଦନ୍ତ ହେବ ବୋଲି ପୁଲିସ କହିଛି।

ଅନ୍ୟପକ୍ଷରେ ଅଲ୍‌ ଓଡ଼ିଶା ଠିକାଦାର ସଂଘର ସଭାପତି ପ୍ରଭାତ ଦାସ କହିଛନ୍ତି ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟ ସରକାର ୧୦ ପ୍ରତିଶତ କାଟି ପେମେଣ୍ଟ ଦେଉଛନ୍ତି। ଯାହା ଫଳରେ ଠିକାଦାରମାନେ ଆର୍ଥିକ ସମସ୍ୟାରେ ପଡ଼ୁଛନ୍ତି। ଜିଏସ୍‌ଟି ଲାଗୁ କରି ଠିକାଦାରମାନଙ୍କୁ ଆତ୍ମହତ୍ୟା କରିବାକୁ ଏକ ପ୍ରକାରର ବାଧ୍ୟ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ଦେଢ଼ ବର୍ଷ ତଳେ ବକେୟା ବିଲ୍‌ ପେମେଣ୍ଟ ବିଳମ୍ବ ଅଭିଯୋଗ କରି ସହିଦନଗର ଥାନା ଅଧୀନ ଇଡକୋ ଟାଓ୍ଵାର ଉପରୁ ଗଜେନ୍ଦ୍ର ଦାସ ନାମକ ଜଣେ ଠିକାଦାର ଡେଇଁ ପଡ଼ି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର