ଲକ୍ଷ୍ମୌ: ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ବରଯାତ୍ରୀମାନେ ନାଚଗୀତ କରି ଆସୁଥିବା ସମୟରେ ଗଣ୍ଡଗୋଳ ହୋଇଯାଇଥିଲା। ଏହି ଗଣ୍ଡଗୋଳରେ କନ୍ୟାଘର ଲୋକ ଜଣେ ବରଯାତ୍ରୀଙ୍କୁ ମାଡ଼ମାରି ଗୁରୁତର କରିଥିଲେ।
ଯେତେବେଳେ ଉକ୍ତ ବରଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ମୃତ ବରଯାତ୍ରୀଙ୍କ ନାମ ସୁନୀଲ ଚୌହ୍ବାନ ବୋଲି ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଜିଲ୍ଲାର ରାମ ସାନହି ଘାଟ କୋଟୱାଲି ଅଞ୍ଚଳର ନାରାୟଣପୁର ଗ୍ରାମର ବାସିନ୍ଦା ସ୍ୱାମୀନାଥଙ୍କ ଝିଅର ବର ଓ ବରଯାତ୍ରୀ ସଫଦରଗଞ୍ଜର ସାଦେବାରୁ ଆସୁଥିଲେ। ବରଯାତ୍ରୀମାନେ ନାଚ ଓ ଗୀତ କରି କନ୍ୟା ଘରକୁ ଆସୁଥିଲେ । ରାତି ପ୍ରାୟ ୧୦ଟା ବେଳେ ଝିଅ ଘର ପକ୍ଷରୁ କିଛି ଯୁବକ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ।
ଏହି ସମୟରେ ଝିଅଘର ପକ୍ଷରୁ ଜଣେ ଯୁବକ ବରଯାତ୍ରୀଙ୍କ ସହିତ ନାଚିବାକୁ ଜିଦ୍ କରି ବସିଥିଲେ । ହେଲେ ବରପକ୍ଷର ଲୋକେ ମନା କରି ଦେଇଥିଲେ। ଏହି ଘଟଣାକୁ ନେଇ ଉଭୟ ବର ଓ କନ୍ୟା ପକ୍ଷର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା।
ଏହି ଗଣ୍ଡଗୋଳ ଏତେ ବଢ଼ି ଯାଇଥିଲା କି କନ୍ୟାପକ୍ଷ ଲୋକଙ୍କ ମାଡ଼ରେ ବରଯାତ୍ରୀ ସୁନୀଲ ଚୌହ୍ବାନ ଗୁରୁତର ଆହତ ହୋଇଥିଲେ। ଲୋକମାନେ ସୁନୀଲଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।