ପୁଲିସ କର୍ମଚାରୀଙ୍କ ବୋହୂ ମୃତ୍ୟୁ ଘଟଣା: ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ନବବିବାହିତାଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ ଭୁବନେଶ୍ୱର କମିସନରେଟ ପୁଲିସ ତମାଣ୍ଡୋ ଥାନାର ଜଣେ ପୁଲିସ କର୍ମଚାରୀ ବିଜୟ ଗୋଚ୍ଛାୟତଙ୍କ ପୁଅ ଯାମିନୀକାନ୍ତ ଗୋଚ୍ଛାୟତଙ୍କୁ ଗିରଫ କରିଛି । ଶ୍ୱଶୁର ଘର ପରିବାର ଲୋକଙ୍କ ଏତଲା କ୍ରମେ ପୁଲିସ ଯାମିନୀକାନ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି । ସୂଚନାଯୋଗ୍ୟ, ନବବିବାହିତା ବନ୍ଦନା ଜେନାଙ୍କ ମୃତଦେହ ଗତ ଶନିବାର ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ତମାଣ୍ଡୋ ଥାନାରେ ବନ୍ଦନାଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୁଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।  ଗତ ୧୯ ତାରିଖରେ ତାଙ୍କ ଝିଅଙ୍କ ମୃତଦେହ ଶାଶୁ ଘରର ଏକ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବନ୍ଦନା ଜେନା ଓ ଯାମିନୀକାନ୍ତ ଗତ ଫେବ୍ରୁଆରି ୧୬ରେ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ବନ୍ଦନାର ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଉଥିଲେ ବୋଲି ସୂଚନା ଦେଇଛନ୍ତି ମୃତଙ୍କ ପରିବାର ଲୋକ।

ପାରିପାରିକ କଳହର ସମାଧାନ ପାଇଁ ବନ୍ଦନାଙ୍କ ପରିବାର ଲୋକେ ଶନିବାର ଦିନ ତାଙ୍କ ଶାଶୁ ଘରକୁ ଯାଇଥାନ୍ତେ । କିନ୍ତୁ ଏହା ପୂର୍ବରୁ ବନ୍ଦନାଙ୍କ ମୃତ୍ୟୁ ସଂପର୍କରେ ଟେଲିଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର