ବୁରାଡ଼ି ମାମଲା: ତାନ୍ତ୍ରିକ ବାବାକୁ ଖୋଜୁଛି ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ବୁରାଡ଼ିରେ ଏକ ଘରୁ .ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଘଟଣାରେ ତାନ୍ତ୍ରିକ ବାବା ଜନେଗାଦିଙ୍କ ସଂପୃକ୍ତି ଥିବା ସନ୍ଦେହ କରି ପୁଲିସ୍‌ ଉକ୍ତ ତାନ୍ତ୍ରିକଙ୍କୁ ଖୋଜିବା ଆରମ୍ଭ କରିଛି। ପୁଲସର୍‌ ପ୍ରାଥମିକ ତଦନ୍ତରୁ ଏହା ଏକ ଗଣ ଆତ୍ମହତ୍ୟା ବୋଲି ସୂଚନା ମିଳିଥିଲେ ବି ମୃତକଙ୍କ ସଂପର୍କୀୟମାନେ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି।

ମୃତକମାନଙ୍କର ସୁଜାତା ନାମ୍ନୀ ଜଣେ ସଂପର୍କୀୟ କହିଛନ୍ତି କି ‘ସେମାନେ ଖୁବ୍‌ ଶାନ୍ତିପ୍ରିୟ ପରିବାର ଥିଲେ। ସେମାନେ କେବେ ବି ବାବାମାନଙ୍କୁ ବିଶ୍ୱାସ କରୁନଥିଲେ। ମୁଁ ବିଶ୍ୱାସ କରିପାରୁନି ଯେ ସେମାନେ ଆତ୍ମହତ୍ୟା କରିଛନ୍ତି। ସମସ୍ତେ ଖୁବ୍‌ ଖୁସି ଥିଲେ। କେହି ଜଣେ ସେମାନଙ୍କୁ ମାରି ଦେଇଛି ଏବଂ ପୁଲିସ୍‌କୁ ଦୋଷୀକୁ ଖୋଜି ପାଇବାକୁ ହେବ।’

ରବିବାର ପୁଲିସ୍‌ ହାତରେ ସେହି ଘରେ ଫଡ଼ିଥିବା ଏକ ହାତଲେଖା ମିଳିଥିଲା। ସେଥିରେ ଆତ୍ମହତ୍ୟା କରିବାର ତରିକାରୁ ନେଇ ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସବୁ କିଛି ଲେଖାଥିଲା। ଏହି ଘଟଣାକୁ ପୁଲିସ୍‌କୁ ସନ୍ଦେହ ହୋଇଥିଲା ଯେ ଏମାନେ ସମସ୍ତେ କୌଣସି ଧାର୍ମିକ ଭାବନାକୁ ଭୁଲ୍‌ ଭାବେ ପ୍ରୟୋଗ କରି ନିଜ ପ୍ରାଣ ହରାଇଛନ୍ତି।

ଉଲ୍ଲେଖଯୋଗ୍ୟ, ରବିବାର ସକାଳ ସମୟରେ ହଠାତ ଉତ୍ତର ଦିଲ୍ଲୀର ବୁରାଡ଼ି ଅଞ୍ଚଳର ଏକ ଘର ମଧ୍ୟରୁ ୧୧ ଜଣଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ମୃତକ ୧୧ ଜଣଙ୍କ ମଧ୍ୟରୁ ୭ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ। ସେଥିରେ କେତେ ଜଣ ପିଲାଙ୍କ ମୃତଶରୀର ବି ଦେଖିବାକୁ ମିଳିଥିଲା। ପଡ଼ୋଶୀମାନେ ଘଟଣା ସଂପର୍କରେ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର