ଚାକିରି ଦେବା ନାମରେ ଲକ୍ଷାଧିକ ଠକେଇ, ପତି-ପତ୍ନୀ ଗିରଫ

ଭୁବନେଶ୍ୱର: ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ପତି-ପତ୍ନୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି। ମିଳିଥିବା ସୂଚନା ଅନୁସାରେ ବଡ଼ଗଡ଼ ଥାନା ଅଞ୍ଚଳର ସନ୍ତୋଷ କୁମାର ନାୟକଙ୍କ ଅଭିଯୋଗ କ୍ରମେ ପୁଲିସ ବଡ଼ଗଡ଼ସ୍ଥିତ ରାଜାରାଣୀ କଲୋନିରେ ରହୁଥିବା କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗଣ୍ଡରପୁର ନିବାସୀ ପାର୍ଥସାରଥୀ ମିଶ୍ର(୩୫) ଓ ତାଙ୍କର ପତ୍ନୀ ସଞ୍ଜୟଜ୍ୟୋତି ମହାପାତ୍ର(୩୧)ଙ୍କୁ ଗିରଫ କରିଛି। ଉଭୟ ପତି-ପତ୍ନୀ ସନ୍ତୋଷଙ୍କୁ ପାରାଦୀପରେ ଚାକିରି ଦେବା ନାମରେ ଲକ୍ଷାଧିକ ଟଙ୍କା ଠକିଥିଲେ।

ପତି-ପତ୍ନୀ ସନ୍ତୋଷଙ୍କୁ ପାରାଦୀପର ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ(ଆଇଓସିଏଲ)ରେ ଚାକିରି ଦେବାକୁ କହି ୧,୩୫,୦୦୦ ଟଙ୍କା ଲାଞ୍ଚ ନେଇଥିଲେ। ସେମାନେ ଏକ ନିଯୁକ୍ତି ପତ୍ର ଓ ପାସ ମଧ୍ୟ ଦେଇଥିଲେ, ଯାହାକି ପରେ ତଦନ୍ତ ବେଳେ ଜାଲିଆତି ଜଣା ପଡ଼ିଥିଲା। ସନ୍ତୋଷ ଏ ନେଇ ଥାନାରେ ଗତ ଅକ୍ଟୋବର ୨୩ରେ ଅଭିଯୋଗ ଆଣିଥିଲେ। ପୁଲିସ ଗୋଟିଏ ଲ୍ୟାପଟପ୍‌, ୨ଟି ମୋବାଇଲ ଓ ଗୋଟିଏ ପ୍ରିଣ୍ଟର ଜବତ କରିଛି।

ସମ୍ବନ୍ଧିତ ଖବର