ଭୋପାଳ: ୧୮ ବର୍ଷୀୟ ଝିଅ ଓ ତା’ର ୨୧ ବର୍ଷିୟ ପ୍ରେମିକଙ୍କୁ ଗୁଳି ମାରି ହତ୍ୟା କରିବା ପରେ ସେମାନଙ୍କ ଶବକୁ ଓଜନିଆ ପଥରରେ ବାନ୍ଧି ପରିବାର ଲୋକେ ବହୁସଂଖ୍ୟକ କୁମ୍ଭୀର ଥିବା ନଦୀରେ ଫିଙ୍ଗି ଦେଇଥିବା କଥା ଆଜି ମଧ୍ୟପ୍ରଦେଶ ପୁଲିସ କହିଛି।
ଘଟଣାଟି ଘଟିଛି ମୋରେନା ଜିଲ୍ଲା ଅନ୍ତର୍ଗତ ରତନବସାଇ ଗାଁ’ରେ। ଶିବାନୀ ତୋମାର୍ ନାମ୍ନୀ ଉକ୍ତ ୧୮ ବର୍ଷୀୟ ଝିଅର ପାଖ ଗାଁ ବାଲୁପୁରନିବାସୀ ୨୧ ବର୍ଷିୟ ରାଧେଶ୍ୟାମ ତୋମାର୍ଙ୍କ ସହିତ ସ୍ନେହ ସମ୍ପର୍କ ଥିଲା। କିନ୍ତୁ, ଝିଅ ପରିବାର ଲୋକେ ସେମାନଙ୍କ ସମ୍ପର୍କକୁ ତୀବ୍ର ବିରୋଧ କରୁଥିଲେ।
ପୁଲିସ କହିଛି, କିଛି ଦିନ ହେବ ପତ୍ତା ମିଳୁ ନ ଥିବାରୁ ପୁଅ ଓ ସେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ରାଧେଶ୍ୟାମଙ୍କ ବାପା ସ୍ଥାନୀୟ ଥାନାରେ ଅଭିଯୋଗ କଲେ। କିନ୍ତୁ, ଦୁହେଁ ଗାଁରୁ ପଳାଇ ଯାଇଥାଇପାରନ୍ତି ବୋଲି ପ୍ରଥମେ ପୁଲିସର ସନ୍ଦେହ ହୋଇଥିଲା। ହେଲେ, ସେମାନେ ଗାଁରୁ ପଳାଇଯାଇଥିବା କଥା କେହି ଜଣେ ହେଲେ ଦେଖି ନ ଥିଲେ।
ଏଥର ପୁଲିସ ଶିବାନୀର ବାପା ଓ ଆତ୍ମୀୟସ୍ବଜନଙ୍କୁ ଡକାଇ ପଚରା ଉଚରା କରିବାରୁ ସେମାନେ ଅପରାଧ କରିଥିବା କଥା ସ୍ବୀକାର କଲେ। ପୁଲିସକୁ ଶିବାନୀଙ୍କ ପରିବାର ଲୋକେ କହିଲେ ଯେ, ଜୁନ୍ ୩ ତାରିଖ ଦିନ ଶିବାନୀ ଓ ରାଧେଶ୍ୟାମଙ୍କୁ ଗୁଳି ମାରି ହତ୍ୟା କରାଯାଇଛି ଓ ସେମାନଙ୍କ ଶବକୁ ଓଜନିଆ ପଥରଖଣ୍ଡମାନଙ୍କରେ ବାନ୍ଧି ଚମ୍ବଲ୍ ନଦୀରେ ଫିଙ୍ଗିଦିଆଯାଇଛି।
ପୁଲିସ ଉଦ୍ଧାରକାରୀଙ୍କ ସହାୟତାରେ ଚମ୍ବଲ୍ ନଦୀରୁ ଶିବାନୀ ଓ ରାଧେଶ୍ୟାମଙ୍କ ଶବ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଚମ୍ବଲ୍ ଘଡ଼ିଆଳ ଅଭୟାରଣ୍ୟରେ ୨୦୦୦ରୁ ଅଧିକ ଘଡ଼ିଆଳ ଓ ୫୦୦ ମଧୁରଜଳରେ ବାସ କରୁଥିବା କୁମ୍ଭୀର ଅଛନ୍ତି।