ସମ୍ବଲପୁର : ଠକେଇ ଅଭିଯୋଗରେ ଜେଲ୍‌ ଗଲେ ଅଧ୍ୟାପକ ଦମ୍ପତି

ଆସିକା : ପୁଣି ୨ ନକଲି ଶିକ୍ଷକ ବନ୍ଧା ହେଲେ

ସମ୍ବଲପୁର : ସମ୍ବଲପୁର ଚାରଭାଟି ଅଞ୍ଚଳରେ ଯମୁନାଦେବୀ ଯୁକ୍ତ ୨(କଳା) କଲେଜ କରି ୪୪ ଜଣ ଛାତ୍ରଛାତ୍ରୀଙ୍କଠାରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗରେ ଅଧ୍ୟକ୍ଷ ସମ୍ବଲପୁର ଧମା ଥାନା ନୂଆଗାଁର ତୁଷାର ରଞ୍ଜନ ବାରିକ ଓରଫ ତୋଷଧର ଏବଂ ଉପାଧ୍ୟକ୍ଷା ମଞ୍ଜରି ବାରିକ ଗିରଫ ହୋଇଛନ୍ତି। ଆ‌ଜି ଉଭୟଙ୍କୁ କୋର୍ଟ ଚଲାଣ କରାଯାଇଥିବାବେଳେ ଜାମିନ ନାମଂଜୁର ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଚାରଭାଟିସ୍ଥିତ ଭଡ଼ା ଘରେ ଚାଲିଥିବା କଲେଜ ପରିସରରୁ ପୁଲିସ୍‌ ଛାତ୍ରଛାତ୍ରୀଙ୍କ ଦଶମ ଶ୍ରେଣୀର ସମସ୍ତ ପ୍ରମାଣପତ୍ର ଓ ମାର୍କସିଟ୍‌ ଜବତ କରିଛି। ଏହାପରେ ଉକ୍ତ କଲେଜକୁ ସିଲ୍‌ କରାଯାଇଛି। ୧୫ ଦିନ ପରେ ଉଭୟଙ୍କୁ ପୁଲିସ୍‌ ରିମାଣ୍ଡରେ ଆଣି ପଚରାଉଚରା କରିବ। ତେବେ ଏହି ଘଟଣାରେ ଅନ୍ୟ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ମଧ୍ୟ ରହିଥିବା ନେଇ ପୁଲିସ୍‌ ସନ୍ଦେହ କରୁଥିବାବେଳେ ଭୁବନେଶ୍ବର ଲିଙ୍କ୍‌ ରହିଥିବା ଜଣାପଡ଼ିଛି। ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇପାରିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ପୁଣି ୨ ନକଲି ଶିକ୍ଷକ ବନ୍ଧା ହେଲେ
ଆସିକା : ଗତ ୨୯ ତାରିଖରେ ଆସିକା ପୁଲିସ ଏକ ବଡ଼ ଧରଣର ଜାଲ୍ ପ୍ରମାଣପତ୍ର ରାକେଟ୍ ଠାବ କରିଥିଲା। ଏଥିରେ ସଂପୃକ୍ତ ୨ଜଣ ଶିକ୍ଷକଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରା ଯାଇଥିଲା। ଆଜି ପୁଣି ଆଉ ଦୁଇ ଜଣ ନକଲି ଶିକ୍ଷକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକ୍ଷକମାନେ ହେଲେ, ମଣ୍ଟାପଡ଼ା ଉଚ୍ଚବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଶିକ୍ଷକ ତଥା ପାଟପୁର ଥାନା କଉଡ଼ିଆ ଗ୍ରାମ ବାସିନ୍ଦା ଓକିଲ ବିଷୋୟୀ (୫୫) ଓ କେନ୍ଦୁପଦର ପ୍ରକଳ୍ପ ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ମଣ୍ଟାପଡ଼ା ଗ୍ରାମ ବାସିନ୍ଦା ଅଶୋକ ସାହୁ (୪୩)। ଉଭୟ ଜାଲ୍ ପ୍ରମାଣପତ୍ର ଦାଖଲ କରି ଶିକ୍ଷକ ଚାକିରି ହାତେଇଥିବା ଅଭିଯୋଗ ହୋଇଥିଲା। ସେହିପରି ଅନ୍ୟ ନକଲି ଶିକ୍ଷକଙ୍କୁ ବି ଠାବ କରିବାକୁ ଛାନ୍‌ଭିନ୍‌ ଆରମ୍ଭ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର