‘ଟୁଲକିଟ୍‌’ ମାମଲାର ଅଭିଯୁକ୍ତ ଦିଶା ରବିଙ୍କୁ ଜାମିନ୍‌ ପ୍ରଦାନ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ‘ଟୁଲକିଟ୍‌’ ମାମଲାର ଅଭିଯୁକ୍ତ ଦିଶା ରବିଙ୍କୁ ମଙ୍ଗଳବାର ଜାମିନ୍‌ ପ୍ରଦାନ କରିଛନ୍ତି ଦିଲ୍ଳୀର ଏକ କୋର୍ଟ। ଏହି ୨୨ ବର୍ଷୀୟା ପରିବେଶ କାର୍ଯ୍ୟକର୍ତ୍ତାଙ୍କୁ ଚଳିତ ମାସ ଆରମ୍ଭରେ ‘ଟୁଲକିଟ୍‌’ ମାମଲାରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଥିଲା। ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍‌ ଜଜ୍ ଧର୍ମେନ୍ଦ୍ର ରାଣା ତାଙ୍କ ଜାମିନ ଆବଦନର ଶୁଣାଣି କରି ଦିଶାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ ଦିଶା ରବିଙ୍କୁ ୧ ଲକ୍ଷ ଟଙ୍କାର ଜମା ସହ ଓ ୨ ଜାମିନଦାରଙ୍କ ବଦଳରେ ପ୍ରଦାନ କରିଛନ୍ତି।

ଏପଟେ ଦିଶା ରବିଙ୍କ ଓକିଲ୍‌ କୋର୍ଟଙ୍କୁ କହିଛନ୍ତି କି ତାଙ୍କ ପରିବାର ୧ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ। ତାଙ୍କ ପାଇଁ ଏହା ଏକ ବଡ଼ ରକମ ଅଟେ । ଦିଶା ରବିଙ୍କୁ ଯେତେବେ‌ଳେ କୋର୍ଟ ରୁମ୍‌କୁ ନିଆଯାଇଥିଲା ସେ ତାଙ୍କ ସଂପର୍କୀୟଙ୍କୁ ଦେଖି ଭାବବିହ୍ବଳ ହୋଇ କୁଣ୍ଢାଇ ଧରିଥିଲେ।

ଅନ୍ୟ ପକ୍ଷରେ ଦିଲ୍ଲୀ ପୁଲିସ୍‌ ମଙ୍ଗଳବାର ଦିନ ପଟିଆଲା ହାଉସ କୋର୍ଟରେ ଏକ ପିଟିସନ ଦାଖଲ କରି ଦିଶା ରବିଙ୍କ ପୁଲିସ୍‌ ହେପାଜତକୁ ଆଉ ଚାରି ଦିନ ବୃଦ୍ଧି କରିବାକୁ ଆବେଦନ କରିଥିବା ବେଳେ ଅଦାଲତ ଏହାକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ଫେବ୍ରୁଆରି ୨୨ତାରିଖରେ ଦିଲ୍ଲୀ କୋର୍ଟ ଦିଶା ରବିଙ୍କ ବିଚାରବିଭାଗୀୟ ହେପାଜତକୁ ୨୪ ଘଣ୍ଟା ପାଇଁ ବୃଦ୍ଧି କରିଥିଲେ।

ସମ୍ବନ୍ଧିତ ଖବର