ଗୋରୁ ବୋଝେଇ ଟ୍ରକ୍‌ ଜବତ

ଖସିଗଲା କାର୍ପଟ୍‌ଦାର ଦିନା, ବେଣାପଞ୍ଜରୀରୁ ବାଲାଂଦେଶ ଭାୟା ବାଲେଶ୍ୱର

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ମିଳିତଭାବେ ଚଢ଼ଉ କରି ବେଣାପଞ୍ଜରୀ ନିକଟସ୍ଥ ହରିଡ଼ାମଡ଼ା ଗାଁରୁ ଏକ ଗୋରୁ ବୋଝେଇ ଟ୍ରକ୍‌ ଜବତ କରିଛନ୍ତି। ଟ୍ରକ୍‌ରୁ ୧୫ଟି ଗାଈ ଓ ବଳଦ ଉଦ୍ଧାର କରାଯାଇଛି। କିନ୍ତୁ ଚଢ଼ଉ ସୂଚନା ପାଇ ମୁଖ୍ୟ କାର୍ପଟ୍‌ଦାର ଦିନା ଓ ତା ପୁଅ ଖସିଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ଟ୍ରକ୍‌କୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଉଦ୍ଧାର ଗାଈବଳଦଗୁଡ଼ିକୁ ଦିନା ଓ ତା ପୁଅ ସ୍ଥାନୀୟ ଅଞ୍ଚଳରୁ ଚୋରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେହିଭଳି ଜବତ ଟ୍ରକ୍‌ରୁ କିଛି ବାଲାଂଦେଶୀ ମୁଦ୍ରା ମିଳିଥିବାରୁ ଗୋଚାଲାଣକାରୀମାନେ ଏହି ଚୋରା ଗାଈ ଓ ବଳଦଙ୍କୁ ବାଲେଶ୍ୱର ଦେଇ ବାଲାଂଦେଶକୁ ପଠାଉଥିବା ଅନୁମାନ କରାଯାଉଛି।

ସୂଚନାନୁସାରେ ଗତକାଲି ରାତିରେ ପାଟ୍ରୋଲିଂ ଡ୍ୟୁଟିରେ ଥିବା ଜଟଣୀ ଏଏସ୍‌ଆଇ ହାଡ଼ିବନ୍ଧୁ ଦାସ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ ବେଣାପଞ୍ଜରୀରୁ ଅଞ୍ଚଳରୁ ଏକ ଚୋରା ଗୋରୁବୋଝଇ ଟ୍ରକ୍‌ ଆସୁଛି। ତେଣୁ ସେ ତୁରନ୍ତ ଯାଁଳା ଫାଣ୍ଡି ପୁଲିସକୁ ସତର୍କ କରାଇଦେଇଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଦେଇ ଟ୍ରକ୍‌ଟି ଯିବାର ଥିବାରୁ ଯାଁଳା ଫାଣ୍ଡି ପୁଲିସ ଜଗି ରହିଥିଲା। ଏଣେ ଜଟଣୀ ଥାନା ପୁଲିସ ଟ୍ରକ୍‌କୁ ଖୋଜି ଖୋଜି ତିରୁମଲ୍ଲ ନିକଟସ୍ଥ ହରିଡ଼ାମଡ଼ା ଗାଁରେ ପହଞ୍ଚି ଯାଇଥିଲା। ସେତେବେଳକୁ ଦୀନା ଦାଣ୍ଡରେ ଏକ ଟ୍ରକ୍‌(ଓଡି୦୨ଏକ୍ସ-୮୭୮୭) ଠିଆ ହୋଇଥିଲା ଓ ସେଥିରେ ଗାଈ,ବଳଦ ଓ ଷଣ୍ଢ ମିଶି ପ୍ରାୟ ୧୫ଟି ଗୋରୁ ଥିଲେ। ଟ୍ରକ୍‌ରେ ସେମିତି ଚାବି ଲାଗିଥିଲା। ତେଣୁ ଟ୍ରକ୍‌ ନେଇ ପଳାଇବାକୁ ବସିଥିବାବେଳେ ପୁଲିସ ପହଞ୍ଚି ଯାଇଥିଲା ବୋଲି ଅନୁମାନ କରାଯାଉଛି। ପୁଲିସ ଟ୍ରକ୍‌କୁ ନେଇ ଯାଁଳା ଫାଣ୍ଡିରେ ପହଞ୍ଚିବା ପରେ ସେଥିରୁ ଗାଈବଳଦମାନଙ୍କୁ ବାହାର କରାଯାଇଥିଲା। ମାତ୍ର ଟ୍ରକ୍‌ରୁ ବାହାରିବା ମାତ୍ରେ କିଛି ଷଣ୍ଢ ଡିଅାଁ ମାରି ଗହୀର ଭିତରକୁ ଦୌଡ଼ି ପଳାଇଥିଲେ। ତେବେ ଗୋଟିଏ ଷଣ୍ଢ ଓ ଗାଈବଳଦ ମିଶି ୧୫ଟିକୁ ପୁଲିସ ରଖିଥିଲା। ପୁଲିସ ସୂଚନାନୁସାରେ ଦିନା ଓ ତା ପୁଅ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଗୋରୁ ଚୋର। ଜବତ ଟ୍ରକ୍‌ଟି ଯଦୁପୁର ଅଞ୍ଚଳର ଜଣେ ମାଲିକଙ୍କର ବୋଲି ଜଣାପଡ଼ିଛି। ତଦନ୍ତ ଶେଷ ହୋଇ ନଥିବାରୁ ପୁଲିସ ଗାଡ଼ି ମାଲିକ ଓ ବିଦେଶୀ ମୁଦ୍ରା ସମ୍ପର୍କରେ ବିଶେଷ ତଥ୍ୟ ଦେଇନାହିଁ। ଉଲ୍ଲେଖଯୋଗ୍ୟ ଯେ ଉଦ୍ଧାର ଗାଈବଳଦ ଭିତରେ ଚୋରି ଗୋରୁ ଥିବାରୁ ଆଜି ସନ୍ଧ୍ୟାରେ କିଛି ଲୋକ ସେମାନଙ୍କ ଚୋରି ହୋଇଥିବା ଗାଈ, ବଳଦ ଚିହ୍ନଟ କରିବାକୁ ଯାଁଳା ଫାଣ୍ଡିରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର