ନୂଆଦିଲ୍ଲୀ: ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିବା ବେଳେ ଟିମ ଇଣ୍ଡିଆର କ୍ରିକେଟର ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଗୋଟିଏ ଡିଭାଇଡର୍ରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି।
ସମ୍ପ୍ରତି ଖବର ଆସିଛି କି ଏହି କାରଦୁର୍ଘଟଣାର ଶିକାର ହେବାପରେ କ୍ରିକେଟର ଋଷଭ ପନ୍ତଙ୍କ ଜୀବନ ବଞ୍ଚାଇଥିବା ଯୁବକ ତାଙ୍କ ପ୍ରେମିକାଙ୍କ ସହ ମିଶି ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।
ଗୁରୁତର ଅବସ୍ଥାରେ ପ୍ରେମୀଯୁଗଳଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଦୁଃଖର ବିଷୟ ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନାଯୋଗ୍ୟ, ଶକରପୁର ଗ୍ରାମର ମଜରା ବୁଚ୍ଚା ବସ୍ତି ନିବାସୀ ସୁଶୀଲଙ୍କ ପୁଅ ରଜତ ଏବଂ ଉକ୍ତ ଗ୍ରାମର ସନ୍ତରାମଙ୍କ ୨୧ ବର୍ଷୀୟ କନ୍ୟା ମନୁଙ୍କ ମଧ୍ୟରେ ଗତ ପାଞ୍ଚ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା।
ଉଭୟଙ୍କ ପରିବାର ଦୁହିଁଙ୍କ ଏସମ୍ପର୍କରେ ରାଜି ନଥିଲେ ତେଣୁ ବିବାହ ପାଇଁ ଅନୁମତି ଦେଇ ନଥିଲେ। ପରିବାର ଲୋକେ ଉଭୟଙ୍କ ଭିନ୍ନ ଭିନ୍ନ ସ୍ଥାନରେ ବିବାହ ସ୍ଥିର କରି ନିର୍ବନ୍ଧ କରାଇ ଦେଇଥିଲେ। ଏହାପରେ ରଜତ ଓ ମନୁ ବିଷ ପିଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ।
ଚାଷ ଜମିରେ ଦୁହିଁଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ପରିବାରଲୋକ ଓ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ସମସ୍ତେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ।
ରଜତ ଓ ମନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ମନୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ରଜତଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି।
ମୃତ ମନୁଙ୍କ ମାଆ କମଲେଶ ପୁଲିସ ଷ୍ଟେସନରେ ରଜତ ଏବଂ ତାଙ୍କ ପରିବାର ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ ମୋ ଝିଅକୁ ରଜତ ବିଷ ଦେଇ ହତ୍ୟା କରିଛି। ଏଥିରେ ତାର ପରିବାରଲୋକ ବି ସାମିଲ ଅଛନ୍ତି।’
ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହେବାପରେ ରଜତ ଏବଂ ତାଙ୍କ ବନ୍ଧୁ ନିଶୁ ପନ୍ତଙ୍କୁ କାରରୁ ବାହାର କରି ହସ୍ପିଟାଲ ନେବାରେ ସାହାଯ୍ୟ କରିଥିଲେ।
ଏହି ସାହାଯ୍ୟ ହେତୁ ରିଷଭ ପନ୍ତ ଦୁଇ ମାସ ପୂର୍ବରୁ ରଜତ ଏବଂ ନିଶୁଙ୍କୁ ଏକ ସ୍କୁଟର ଉପହାର ଦେଇଥିଲେ। ପନ୍ତଙ୍କ ଠାରୁ ଉପହାର ପାଇବା ପରେ ରଜତ ଖବରକୁ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/12/o3rsz4yT6JhrNj26K2sm.jpg)