ଘରେ ପଶି ମହିଳାଙ୍କୁ ବାହା ହେବାକୁ ଧମକ, ଅଭିଯୁକ୍ତ ଫେରାର

ଧଉଳି : ଧଉଳି ଥାନା ଅଧୀନ ଗଙ୍ଗେଶ୍ୱରପୁର ଶାସନ ଗ୍ରାମରେ ଜଣେ ମହିଳାଙ୍କୁ ବଳପୂର୍ବକ ବିବାହ କରିବାକୁ ଗ୍ରାମର ଜଣେ ବ୍ୟକ୍ତି ଘରେ ପଶି ଧମକଚମକ ଦେଉଥିବା ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ମହିଳା ଜଣକ ରବିବାର ଧଉଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଧଉଳି ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରିକି ପରିବାର ଲୋକ ଏହାର ବିରୋଧ କରିବାରୁ ଅଭିଯୁକ୍ତ ବ୍ୟକ୍ତିର ମାଡ଼ରେ ଅଭିଯୋଗକାରୀ ମହିଳାଙ୍କ ବାପା ଆହତ ହୋଇ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିଲେ। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁକୁ କରି ହାତବାନ୍ଧି ବସିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗ୍ରାମର ଏ ବ୍ୟକ୍ତିଙ୍କର ୨ଟି ପିଲା ଅଛି। ଏବଂ ସେ ମହିଳାଙ୍କର ସଂପର୍କରେ ମାମୁ। ପୂର୍ବରୁ ଏହି ମହିଳା ଡ୍ରେସ୍‌ ଶୁଖାଇବାକୁ ଛାତ ଉପରକୁ ଯାଇଥିବା ବେଳେ ଅସଦାଚରଣ କରି ଗ୍ରାମର ଅନ୍ୟ ଜଣେ ଯୁବକ ଜେଲ ଯାଇଥିଲେ। ଏହାପରେ ଯୁବତୀ ଜଣକଙ୍କ ତାଙ୍କ ପରିବାର ଲୋକ ଅନ୍ୟତ୍ର ବିବାହ କରି ଦେଇଥିଲେ। ହେଲେ ସେ ଶାଶୂଘରେ ବେଶିଦିନ ରହିପାରି ନଥିଲେ। ସେ ବାପ ଘରକୁ ଚାଲି ଆସିବା ପରେ ଏହି ମହିଳାଙ୍କ ସମେତ ପରିବାର ଲୋକ ସେମାନଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଟିମ୍‌ ଦୁଇ ଦୁଇ ଥର ଚଢ଼ଉ କରିଥିଲେ ହେଁ ସେ ଫେରାର ଥିବାରୁ ସମ୍ଭବ ହୋଇପାରି ନଥିବା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର