ଭୁବନେଶ୍ୱର : ମଟନ୍ କିଣାକୁ ନେଇ ଜଣେ ଗ୍ରାହକଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ମଟନ ଦୋକାନୀକୁ ଗିରଫ କରିଛି। ସେ ହେଲା ଝାରପଡ଼ା ମୁସ୍ଲିମ୍ ବସ୍ତିର ମୀର ନିଜାମୁଦ୍ଦିନ୍ (୪୫)। ପୁଲିସ ସୂଚନା ମୁତାବକ, ରବିବାର ସକାଳେ ଗୟାଧର ପଟ୍ଟନାୟକ ନାମକ ଜଣେ ଗ୍ରାହକ ୟୁନିଟ୍-୪ ଅଞ୍ଚଳରେ ଥିବା ମୀର୍ ଦୋକାନରୁ ମଟନ୍ କିଣିବା ପାଇଁ ଆସିଥିଲେ। ତେବେ ମଟନ୍ ଦରକୁ ନେଇ ମୀର ଓ ଗୟାଧରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ଗୟାଧର ମଟନ୍ ନ ନେଇ ପଳାଉଥିଲେ। ମୀର ଉତ୍କ୍ଷିପ୍ତ ହୋଇ ଏକ ଛୁରିରେ ଗୟାଧରଙ୍କୁ ଆକ୍ରମଣ କରିବାରୁ ଗୟାଧରଙ୍କ ହାତ କଟି ଯାଇଥିଲା। ଏନେଇ ଗୟାଧର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।
ବିପିୟୁଟିର ଛାତ୍ରନେତାଙ୍କୁ ଆକ୍ରମଣ ଅଭିଯୋଗ
ଭୁବନେଶ୍ୱର : ରବିବାର ରାତି ପ୍ରାୟ ୮.୩୦ରେ ରକି ଦାସ ନାମକ ବିପିୟୁଟିର ଜଣେ ଛାତ୍ର ନେତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ରକି ଓ ତାଙ୍କର କିଛି ସାଙ୍ଗ ଇଡ୍କୋ ଟାଓ୍ଵାରଠାରେ ଥିବା ଓମଫେଡ୍ ଦୋକାନ ପାଖରେ ଗାଡ଼ି ରଖି ଚା’ ପିଉଥିଲେ। ଏହି ସମୟରେ ନାଲି ରଙ୍ଗର ଆଇ-୧୦ କାର୍ ଆସି ସେଠାରେ ଆଗରୁ ରଖାଯାଇଥିବା ରକିଙ୍କ କାର୍କୁ ପଛପଟୁ ଧକ୍କା ଦେଇଥିଲା। ଏହା ଦେଖି ରକି ଗାଡ଼ିକୁ ଅଟକାଇବାକୁ ଯାଇଥିଲେ। ତେବେ କାର୍ରେ ଥିବା ଶିବା ନାମକ ଯୁବକ ଗାଳିଗୁଲଜ କରିବା ସହ ନିଜ ଗାଡ଼ିରେ ରକି ଉପରେ ଚଢ଼ାଇ ଦବାକୁ ଚେଷ୍ଟା କରିଥିଲେ। ରକିଙ୍କ ଗୋଡ଼ରେ ଗାଡ଼ି ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ରକି ଏ ନେଇ ସହିଦନଗର ଥାନାକୁ ଫୋନ୍ କରି ଜଣାଇଥିଲେ। ଖବରପାଇ ଥାନାରୁ ଗାଡ଼ି ଯାଇ ରକିଙ୍କୁ ହସ୍ପିଟାଲ ନେଇଥିଲା। ରକି ହସ୍ପିଟାଲରୁ ଆସି ରାତି ୧୦.୩୦ରେ ଶିବାଙ୍କ ନାରେ ସହିଦନଗର ଥାନାରେ ଏତଲା ଦେଇଥିଲେ। ତେବେ ପୁଲିସ ଏହା ଉପରେ କିଛି କାଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ। ଯଦି ଶୀଘ୍ର ପୁଲିସ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରେ ଥାନା ଆଗରେ ଧାରଣାରେ ବସିବେ ବୋଲି ରକି ଧମକ ଦେଇଛନ୍ତି।
ପୁରୁଣା କାର୍ ଦେବା ନାଁରେ ୧୭ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ
ପୁରୁଣା ଭୁବନେଶ୍ୱର : ପୁରୁଣା କାର୍ ଦେବାକୁ କହି ୧୭ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସୋମବାର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା କଟକ ବାମ୍ଫି ସାହିର ପ୍ରଦୀପ କୁମାର ବଳ(୪୯)। ପୁଲିସ ସୂଚନା ଅନୁଯାୟୀ ପୁରୁଣା ଭୁବନେଶ୍ୱର ଶ୍ରୀରାମନଗରର ସରୋଜ କୁମାର ପ୍ରଧାନଙ୍କୁ ୩ଟି ପୁରୁଣା କାର୍ ଦେବା ପାଇଁ ପ୍ରଦୀପ ୧୭ଲକ୍ଷ ଟଙ୍କା ନେଇଥିଲା। ତେବେ ପ୍ରତିଶ୍ରୁତିରେ ଖିଲାପ ହେବା ଓ ପ୍ରଦୀପ ଦେଇଥିବା ଚେକ୍ ବାଉନ୍ସ ହେବାରୁ ସରୋଜ ଥାନାରେ ଅଭିଯୋଗ କରିିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ
ଭୁବନେଶ୍ୱର : ଧାର ଟଙ୍କା ପାଇଁ ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ୟୁନିଟ୍-୮ ମାଛ ମାର୍କେଟ ଅଞ୍ଚଳର ଆଲୋକ କୁମାର ମଲ୍ଲିକ ଓରଫ ଆଲୁ(୨୩)। କିଛିଦିନ ତଳେ ୟୁନିଟ୍-୮ ନେହେରୁବସ୍ତିର ରୀନା ମଲ୍ଲିକ ନାମକ ଜଣେ ମହିଳା ଆଲୋକଠାରୁ କିଛି ଟଙ୍କା ଉଧାର ନେଇଥିଲେ। ତେବେ ରବିବାର ସନ୍ଧ୍ୟାରେ ଆଲୋକ ନିଶାସକ୍ତ ଅବସ୍ଥାରେ ରୀନା ଘରକୁ ଯାଇ ଟଙ୍କା ମାଗିବା ସହ ଗାଳିଗୁଲଜ କରିଥିଲା। ରୀନା ପ୍ରତିବାଦ କରିବାରୁ ଆଲୋକ ତାଙ୍କୁ ମାଡ଼ ମାରିଥିଲା। ଏନେଇ ରୀନା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ଆଲୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ବ୍ୟାଟେରି ଚୋରି କରି ଜଣେ ଗିରଫ
ଭୁବନେଶ୍ୱର : ମଞ୍ଚେଶ୍ୱର ମହିନ୍ଦ୍ରା ସୋରୁମ୍ ନିକଟରୁ ବ୍ୟାଟେରି ଚୋରି ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ରବିବାର କିଷାନ ଗୁପ୍ତା (୩୮) ନାମକ ଜଣେ ଚୋରକୁ ଗିରଫ କରିବା ସହ ୨ଟି ବ୍ୟାଟେରି ଜବତ କରିଥିବା ବେଳେ ଆଜି ଜଣେ ନାବାକଳକୁ ଗିରଫ କରିଛି। ପୁଲିସ ତାଠାରୁ ୨ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବ୍ୟାଟେରି ଜବତ କରିଛି। ପୁଲିସ ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ କିଷାନ ଓ ନାବାଳକ ଜଣଙ୍କ ମିଶି ମଞ୍ଚେଶ୍ୱର ମହିନ୍ଦ୍ରା ସୋରୁମ୍ ନିକଟରେ ଥିବା ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ଦୁଇଟି ଗାଡ଼ିରୁ ବ୍ୟାଟେରି ଚୋରି କରିନେଇଥିଲା। ଏନେଇ ପ୍ରଶାନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ପ୍ରଶାନ୍ତକୁ ଗିରଫ କରିଥିଲା। ତେବେ ଆଜି ପୁଲିସ ନାବାଳକ ଜଣଙ୍କୁ ପଳାଶୁଣୀ ଅଞ୍ଚଳରୁ ଗିରଫ କରିଥିଲା। ତାକୁ ଥାନାରେ ପଚରାଉଚରା ପରେ ବାଳସୁଧାର ଗୃହରେ ଛଡ଼ାଯାଇଛି।
ଦାଦାବଟି ପାଇଁ ଦୋକାନୀଙ୍କୁ ଆକ୍ରମଣ : ଜଣେ ଗିରଫ, ଜଣେ ଫେରାର୍
ଖଣ୍ଡଗିରି : ଦାଦାବଟି ନ ମିଳିବାରୁ ଜଣେ ଦୋକାନୀଙ୍କୁ ମାଡ଼ ମାରିବା ସହ ଦୋକାନରୁ ଲୁଟ୍ପାଟ୍ କରିଥିବା ଅଭିଯୋଗରେ ସୋମବାର ଖଣ୍ଡଗିରି ଥାନା ପୁଲିସ ଭରତପୁରର ସୁନୀଲ କୁମାର ସାହୁ (୨୫)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ରିଙ୍କୁ ମହାରଣା ଫେରାର୍ ଅଛି।
ନୂଆପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି ବସ୍ତିରେ ରହୁଥିବା ପ୍ରଦୀପ୍ତ ମଲ୍ଲିକ ଭରତପୁର ନିକଟ ଗିରୀଶବିହାରରେ ଏକ ଛୋଟ ଭେରାଇଟି ଦୋକାନ କରିଛନ୍ତି। ସେଠାରେ ଦୋକାନ କରିବା ପାଇଁ ହେଲେ ମାସିକ ୩୦ ହଜାର ଟଙ୍କା ବଟି ଦେବାକୁ ପଡ଼ିବ ବୋଲି ରିଙ୍କୁ ଓ ସୁନୀଲ ତାଙ୍କୁ ବାରମ୍ବାର ଧମକଚମକ ଦେଉଥିଲେ। କିନ୍ତୁ ପ୍ରଦୀପ୍ତ ସେମାନଙ୍କ କଥାକୁ ଗୁରୁତ୍ୱ ଦେଉ ନଥିଲେ। ଗତ ମାସ ୧୬ ତାରିଖ ଅପରାହ୍ଣରେ ଅଭିଯୁକ୍ତ ଦ୍ୱୟ ଦୋକାନରେ ପହଞ୍ଚି ପୁଣି ବଟି ମାଗିଥିଲେ। ସେତେବେଳେ ଦୋକାନରେ ପ୍ରଦୀପ୍ତ ନଥିଲେ। ତାଙ୍କ ସ୍ତ୍ରୀ ବାସନ୍ତୀ ମଲ୍ଲିକ ଓ ତାଙ୍କ ଭାଇ ସୂର୍ଯ୍ୟ ବାହାଦୁର ଦୋକାନରେ ଥିଲେ। ବଟି ନ ମିଳିବାରୁ ଅଭିଯୁକ୍ତ ଦ୍ୱୟ ରାଗରେ ସୂର୍ଯ୍ୟଙ୍କୁ ମାଡ଼ ମାରି ଗୁରୁତର କରିବା ସହ ଦୋକାନ ଭିତରୁ ୧୫ ହଜାର ଟଙ୍କା ଓ ମୋବାଇଲ୍ ଫୋନ୍ ନେଇ ଫେରାର୍ ହୋଇ ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ରବିବାର ରାତିରେ ପୁଲିସ ଅଭିଯୁକ୍ତ ସୁନୀଲକୁ ତା ଘରୁ ଗିରଫ କରିଥିଲା।