ଭୋଜି ପାଇଁ କୁକୁଡ଼ା ନଦେବାରୁ ଯୁବକଙ୍କୁ କୋଦାଳରେ ଆକ୍ରମଣ

Advertisment

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ବାଲିଗୁଣ୍ଡି ଗ୍ରାମ ନିକଟରେ ରବିବାର ରାତିରେ ଏକ କୁକୁଡ଼ା ଫାର୍ମ ନିକଟରେ ଦୁଇଜଣ ଯୁବକ ଫାର୍ମର ଜଣେ କର୍ମଚାରୀଙ୍କୁ କୋଦାଳରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତି କରାଯାଇଛି। ଆହତ କର୍ମଚାରୀ ଜଣକ ହେଲେ କାଳନ୍ଦୀ ମହାପାତ୍ର (୪୦)। କାଳନ୍ଦୀଙ୍କ ମୁଣ୍ଡ ଓ ଛାତିରେ ଗଭୀର କ୍ଷତ ସୃଷ୍ଟି ହେଇଛି। ବାଲିଗୁଣ୍ଡି ଗ୍ରାମର ଦୁଇ ଜଣ ଯୁବକ କାଳନ୍ଦୀଙ୍କୁ ମିଳିତ ଆକ୍ରମଣ କରଥିବା ଜଣାପଡ଼ିଛି। ତେବେ ତାଙ୍କ ପରିବାର ପକ୍ଷରୁ ଏଯାଏ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ କୁକୁଡ଼ା ଫାର୍ମର ମାଲିକଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ। ଅଭିଯୁକ୍ତ ଦ୍ୱୟ ଗତକାଲି ରାତିରେ କାଳନ୍ଦୀଙ୍କୁ ନୂଆବର୍ଷ ଭୋଜି ପାଇଁ କୁକୁଡ଼ା ମାଗିଥିଲେ। ଏ ନେଇ ସେମାନଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ତାଙ୍କୁ କୋଦାଳରେ ଆକ୍ରମଣ କରିଥିବା କେତେଜଣ ଗ୍ରାମବାସୀ କହିଛନ୍ତି। କାଳନ୍ଦୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାରେ ପହଞ୍ଚି କାଳନ୍ଦୀଙ୍କୁ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ପରେ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।

ମନ୍ଦିର ଭିତରୁ ମହିଳାଙ୍କ ପର୍ସ ଚୋରି

ପୁରୁଣା ଭୁବନେଶ୍ୱର : ଆଜି ନୂଆବର୍ଷରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡ଼ର ସୁଯୋଗ କେହି ଦୁର୍ବୃତ୍ତ ଜଣେ ମହିଳାଙ୍କ ପର୍ସ ଚୋରାଇ ନେଇଛି। ପର୍ସରେ ମହିଳାଙ୍କ ଏକ ସୁନା ଚେନ୍‌ ଓ ୨ହଜାର ଟଙ୍କା ଥିଲା। ମହିଳା ଜଣଙ୍କ ଭବାନୀପାଟଣାରୁ ଆସି ମହତାବରୋଡ୍‌ରେ ରହୁଥିଲେ। ଭିଡ଼ ଯୋଗୁ ସେ ବେକରୁ ଚେନ୍‌ ବାହାର କରି ପର୍ସରେ ରଖିଥିଲେ। ମାତ୍ର ମନ୍ଦିର ଗର୍ଭଗୃହରୁ କେହି ତାଙ୍କ ପର୍ସ ନେଇ ପଳାଇଥିଲା। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ ବୋଲି ପୁଲିସ କହିଛି।

ଥାନା ସାମ୍ନାରୁ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : କୌଣସି ନିକାଞ୍ଚନ ସ୍ଥାନ ନୁହେଁ। ଦୁଇ ଦୁର୍ବୃତ୍ତ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ଜନଗହଳିପୂର୍ଣ କ୍ୟାପିଟାଲ ଥାନା ସାମ୍ନାରୁ ଜଣେ ବ୍ୟକ୍ତିଙ୍କ ମୋବାଇଲ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ମହମ୍ମଦ ନୌସବ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ନୌସବ(୪୭)ଙ୍କ ୧ନମ୍ବର ମାର୍କେଟ ବିଲଡିଂରେ ଏକ ଲୁଗା ଦୋକାନ ରହିଛି। ଗତକାଲି ରାତିରେ ସେ ତାଙ୍କ ଦୋକାନ ବନ୍ଦ କରି ବଡ଼ଗଡ଼ କେନାଲ ରୋଡ଼ ନିକଟରେ ଥିବା ନିଜ ଘରକୁ ଫେରୁଥିଲେ। ସେ କ୍ୟାପିଟାଲ ଥାନା ସମ୍ମୁଖରେ ଠିଆ ହୋଇ ଗାଡ଼ିକୁ ଅପେକ୍ଷା କରିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଦାମୀ ମୋବାଇଲ ଫୋନ୍‌ଟିକୁ ଛଡ଼ାଇ ନେଇ ଦ୍ରୁତଗତିରେ ପଳାଇଥିଲେ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୂର୍ବ ଶତ୍ରୁତାରୁ ଘରେ ପଶି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁନେଶ୍ୱର : ଯୁବତୀଙ୍କ ସହିତ ଯୁକ୍ତିତର୍କ ଓ ପରେ ରାଗ ସୁଝାଇବାକୁ ଯାଇ ଜଣେ ଯୁବକ ତାଙ୍କୁ ଅସଦାଚରଣ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଯୁବତୀଙ୍କ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ଦୀର୍ଘ ଦିନ ହେଲା ବିଜେବିନଗରରେ ରହି ଆସୁଛନ୍ତି। ଗତ ରବିବାର ଦିନ କୌଣସି କାରଣରୁ ଯୁବତୀଙ୍କ ସହ ତାଙ୍କ ପଡ଼ୋଶୀଙ୍କର ଝଗଡ଼ା ହୋଇଥିଲା। ଏଥିରେ ରାଗ ରଖି ପଡ଼ୋଶୀଙ୍କ ପୁଅ ଧରଣୀଧର ସ୍ୱାଇଁ ସେହିଦିନ ଯୁବତୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରିବା ସହ ଜୋରରେ ଚିତ୍କାର କରିବାରୁ କିଛି ଦୂରରେ ଥିବା ତାଙ୍କ ଭଉଣୀ ଦୌଡ଼ିି ଆସିଥିଲେ। ତାଙ୍କୁ ଦେଖି ଧରଣୀ ଉତ୍ତ୍ୟକ୍ତ ହୋଇ ଦୁଇ ଭଉଣୀଙ୍କୁ ଆକ୍ରମଣ କରିଥିଲେ ଏବଂ ଘଟଣା ବିଷୟରେ କାହାରିକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଜଣକ ପ୍ରଥମେ ମହିଳା ଓ ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି।