ବିଲଡର୍‌ଙ୍କ ପତ୍ନୀଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ

ସିରିଡି ସାଇ ଇଷ୍ଟେଟ୍‌ ଠକେଇ ଘଟଣା

ଭୁବନେଶ୍ୱର: ଶିରିଡ଼ି ସାଇ ଇଷ୍ଟେଟ୍‌ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସଂପୃକ୍ତ ବିଲଡର୍‌ଙ୍କ ପତ୍ନୀଙ୍କୁ ଗିରଫ କରିଛି। ତାଙ୍କ ନାଁ ତପସ୍ୱିନୀ ପଣ୍ଡା। ଘର ସହିଦନଗର ଥାନା ଅଧୀନ ଦୁର୍ଗାପୁରପାଟଣାରେ। ଆଜି ତାଙ୍କୁ କଟକ ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି। ୨୦୧୧ ମସିହାରେ ଏହି ଠକେଇ ମାମଲାରେ ଗିରଫ ହୋଇଥିବା ତପସ୍ୱିନୀଙ୍କ ପତି ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶିରିଡ଼ି ସାଇ ଇଷ୍ଟେଟ୍‌ ଭୁବନେଶ୍ୱର ସମେତ ବାଲେଶ୍ୱର, ସୋର, ଭଦ୍ରକ, ବାରିପଦା, ଚନ୍ଦନପୁର, ବୀରମିତ୍ରପୁର ଓ ପୁରୀ ଆଦି ସ୍ଥାନରେ ଶାଖା ଖୋଲିଥିଲା। ସଂସ୍ଥା ପକ୍ଷରୁ ଭୁବନେଶ୍ୱର, କଟକ ଓ ପୁରୀରେ ଫ୍ଲାଟ୍‌ ଯୋଗାଇ ଦେବାକୁ କହି ଜମାକାରୀଙ୍କଠାରୁ ପାଖାପାଖି ୫ କୋଟି ଟଙ୍କା ସଂଗ୍ରହ କରିଥିଲା। କିନ୍ତୁ କାହାରିକୁ ସଂସ୍ଥା ଫ୍ଲାଟ୍‌ ଯୋଗାଇ ପାରି ନ ଥିଲା। ଏ ନେଇ ଲକ୍ଷ୍ମଣ କୁମାର ପଣ୍ଡା ନାମକ ଜଣେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପରେ କ୍ରାଇମ୍‌ବ୍ରାଞ୍ଚ ପ୍ରଥମେ ପ୍ରକାଶଙ୍କୁ ଗିରଫ କରିଥିଲା। ଆଜି ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର