ଛିନତାଇ କରି ଜେଲ ଗଲେ ଯୁବକ

ବାଲିଅନ୍ତା : ଏକ ଛିନତାଇ ମାମଲାରେ ପାହାଳ ଫାଣ୍ଡି ଅଧୀନ ବଙ୍ଗୁଆରି ଗ୍ରାମର ଡମ୍ବରୁଧର ବେହେରା (୨୦) ଏବଂ ସାହାବାଜର ଅରୁଣ ବାରିକଙ୍କୁ ବାଲିଅନ୍ତା ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ପୁଲିସ ୪୦୦ ଟଙ୍କା ମଧ୍ୟ ଜବତ କରିଛି। ଏ ସଂକ୍ରାନ୍ତରେ କଟକ ଜିଲ୍ଲା କନ୍ଦରପୁର ଥାନା ଅଞ୍ଚଳର ବିପ୍ଳବ ମହାନ୍ତି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ବିପ୍ଳପ ରବିବାର ସନ୍ଧ୍ୟାରେ ବାଇକରେ କଟକ ଯାଉଥିବାବେଳେ ଅରୁଣ ଓ ଡମ୍ବରୁ ତାଙ୍କୁ ଜାତୀୟ ରାଜପଥର ପୁରୀ ମୁଖ୍ୟ କେନାଲ ବ୍ରିଜ୍‌ ନିକଟରେ ଅଟକାଇ ମାଡ଼ମାରି ୬୦୦୦ ଟଙ୍କା, ଏଟିଏମ କାର୍ଡ ଓ ମନିପର୍ସ ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ। ଆଜି ପୁଲିସ ଡମ୍ବରୁ ଓ ଅରୁଣଙ୍କ ଘରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।

ନାବାଳିକାକୁ କମେଣ୍ଟ ମାରି ଜେଲ ଗଲେ ଯୁବକ

ବାଲିଅନ୍ତା : ନାବାଳିକାଙ୍କୁ ଫୋନ୍‌ରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତାରେ ଅଟକାଇ ହଇରାଣ ହରକତ କରିବା ମାମଲାରେ ସୀମାଞ୍ଚଳ ଓରଫ ବବୁଲ ପ୍ରଧାନ(୩୦) ନାମକ ଜଣେ ଯୁବକକୁ ପାହାଳ ଫାଣ୍ଡି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ମୁତାବକ ଆଜି ଅପରାହ୍‌ଣ ପ୍ରାୟ ଗୋଟାଏରେ କଟକ ସଦର ଥାନା ଅଧୀନ ଗୁଆଳି ଗ୍ରାମର ବବୁଲ ପାହାଳ ଫାଣ୍ଡି ଅଧୀନ ଜୟପୁରର ଜଣେ ଯୁବତୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। କିଛିଦିନ ତଳେ ସେ ଏହି ଯୁବତୀଙ୍କ ମାଉସୀ ଝିଅ ଭଉଣୀଙ୍କୁ ଅପହରଣ କରିନେଇ ଫେରାର ହୋଇଯାଇଥିଲା। ଏନେଇ ତାଙ୍କ ବାପା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ବବୁଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ୍‌ରେ ଆସି ସେ ନାବାଳିକାକୁ ପ୍ରେମ ନିବେଦନ କରି ଆସୁଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଛି ।

ରାଜଧାନୀ କଲେଜ ଛାତ୍ରଙ୍କୁ ଆକ୍ରମଣ

ଖଣ୍ଡଗିରି : ଗତ କିଛି ଦିନ ହେଲା ରାଜଧାନୀ କଲେଜରେ ପ୍ରାକ୍‌ ନିର୍ବାଚନୀ ଗଣ୍ଡଗୋଳ ଲାଗିରହିଛି। ଆଜି ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରତିପକ୍ଷ ଗୋଷ୍ଠୀର କିଛି ଛାତ୍ର ଓ ଅଣ ଛାତ୍ର କଲେଜର ଯୁକ୍ତ ୩ ପ୍ରଥମ ବାର୍ଷିକ ଛାତ୍ର ପ୍ରଶାନ୍ତ ଦଳେଇଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଛି। ଛାତ୍ର ସଂସଦ ନିର୍ବାଚନରେ ସେ ଉପ ସଭାପତି ପ୍ରାର୍ଥୀ ହେଉଥିବାବେଳେ ପ୍ରତିପକ୍ଷ ତାଙ୍କୁ ଏଥିରୁ ଓହରି ଯିବାକୁ ଧମକ ଦେଇ ଆସୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ କଲେଜରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ବି ଉତ୍ତେଜନା ଲାଗି ରହିଛି। ଏହି ମାମଲାରେ ପୁଲିସ ସ୍ଥାନୀୟ ବାହାଦଲପୁରର ଧନଞ୍ଜୟ ସେଠୀ ନାମକ ଜଣେ ଅଣଛାତ୍ରକୁ ଗିରଫ କରିଥିଲା। କିନ୍ତୁ ପରେ ଜଣାଗଲା ଯେ ସେ ଏୟାର୍‌ଫିଲ୍‌ଡ ଥାନାର ଟିଟନ ହତ୍ୟା ମାମଲାରେ ଜଡ଼ିତ। ତେଣୁ ତୁରନ୍ତ ଧନଞ୍ଜୟକୁ ଖଣ୍ଡଗିରି ଥାନାରୁ ଏୟାରଫିଲ୍‌ଡ ଥାନାକୁ ହସ୍ତାନ୍ତର କରାଯାଇଥିଲା।

ଛାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ

ପୁରୁଣା ଭୁବନେଶ୍ୱର : ବିଜେବି କଲେଜ ଛାତ୍ରାବାସରେ ପଶି କିଛି ଅଣଛାତ୍ର ଜଣେ ଛାତ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେବା ସହିତ ତାଙ୍କଠାରୁ ଟଙ୍କା ଛଡ଼ାଇ ନେଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଏପରିକି ଆସନ୍ତା କଲେଜ ନିର୍ବାଚନରେ ଭାଗ ନନେବାକୁ ତାଙ୍କୁ ଧମକ ଦିଆଯାଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ ବିଜେବି କଲେଜରେ ଯୁକ୍ତ ୩ ବିଜ୍ଞାନ ବିଭାଗର ଛାତ୍ର ଗୌରବ ଦାସ କଲେଜର ଜେନେରାଲ ହଷ୍ଟେଲ୍‌ର ରୁମ୍‌ ନମ୍ବର ୧୮ରେ ଶୋଇଥିବା ବେଳେ ସକାଳ ପ୍ରାୟ ୬ଟାରେ ଜଣେ ଛାତ୍ର ତାଙ୍କୁ ଡାକିଥିଲା। ସେ ଉଠିପଡ଼ିବାରୁ ତାଙ୍କୁ ସଂପୃକ୍ତ ଅଣଛାତ୍ରମାନେ ନିକଟସ୍ଥ ଏକ ରୁମ୍‌କୁ ଡକାଇ ନେଇ ଚାପୁଡ଼ା ମରିଥିଲେ। ସେମାନେ ତାଙ୍କୁ ପରିସ୍ରା ପିଇବାକୁ ବାଧ୍ୟ କରିବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ନିର୍ବାଚନ ସମୟରେ କଲେଜ ନଯିବାକୁ ଧମକାଇଥିଲେ। ଏହା ପରେ ସେମାନେ ପକେଟ୍‌ରେ ଥିବା ୧୪୨୦ଟଙ୍କା ନେଇଯାଇଥିଲେ ବୋଲି ଗୌରବ ଅଭିଯୋଗ କରିଛନ୍ତି। ଏନେଇ ଆଜି କଲେଜରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଘଟଣାର ସତ୍ୟାସତ ଜାଣିବାକୁ ତଦନ୍ତ ଆରମ୍ଭ କରିଛି। ତେବେ କଲେଜ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଜେବି କଲେଜରେ ପୂର୍ବପରି ବିବାଦ ଆରମ୍ଭ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ଅପହର୍ତା ଗିରଫ, ନାବାଳିକା ଉଦ୍ଧାର

ଭୁବନେଶ୍ୱର : ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଅନୀଲ ଦିଗଲ(୨୭)କୁ ଗିରଫ କରିଛି। ଏଠାରେ ସାଲିଆସାହି ଶକ୍ତିବିହାରରେ ରହି ଏକ ଘରୋଇ ସଂସ୍ଥାରେ କାମ କରୁଥିଲା। କିଛିମାସ ହେବ ଅନୀଲ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଏକ ତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରୁଥିଲା। ଗତ ଜୁଲାଇ ୧୮ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ଟ୍ୟୁସନ୍‌ରୁ ଘରକୁ ଫେରୁଥିବା ବେଳେ ଅନୀଲ ତାଙ୍କୁ ଅପହରଣ କରି କନ୍ଧମାଳ ନେଇଯାଇଥିଲା। ସେଠାରେ ଏକ ଘରେ ରଖି ଦୁଷ୍କର୍ମ କରିଥିଲା। ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅନୀଲର ଫୋନ୍‌ ନମ୍ବର ଟ୍ରାକିଂ କରି ରବିବାର ବିଳମ୍ବିତ ରାତିରେ ପୁଲିସ ସାଲିଆସାହିରୁ ତାକୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ନାବାଳିକାଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି।

ସମ୍ବନ୍ଧିତ ଖବର