ଅପରାଧ/ଅଘଟଣ : ୧୭କୁ ବି ବଳିଗଲା

ହତ୍ୟା, ବୋମାମାଡ଼, ଚୋରି, ସିନ୍ଧିଚୋରି, ଛିନ୍‌ତାଇ, ଦୁର୍ଘଟଣା, ଲୁଟ୍…ଏସବୁ ଯେମିତି ରାଜଧାନୀବାସୀଙ୍କ ପାଇଁ ନିୟମିତ ହୋଇଯାଇଛି। ୨୦୧୮ରେ ବର୍ଷତମାମ ସହରର କୋଣ ଅନୁକୋଣରେ ଘଟିଛି ଏମିତି ଘଟଣା। ଏ ସବୁ କ୍ଷେତ୍ରରେ ବର୍ଷ ୨୦୧୭କୁ ବଳି ଯାଇଛି ୨୦୧୮। ସବୁ ଘଟଣାରେ ପୁଲିସ୍‌କୁ ଚକ୍‌ମା ଦେଇଛନ୍ତି ଅପରାଧୀ। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ କେତେବେଳେ ଦିନ ଦ୍ବିପ୍ରହରରେ ଲୁଟିଛନ୍ତି ତ କେତେବେଳେ ରାତିରେ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛନ୍ତି। ପୁଲିସ୍ ତନାଘନା କରିଛି, କିଛି ଘଟଣାରେ ସଫଳତା ମଧ୍ୟ ପାଇଛି। କିନ୍ତୁ ଅନେକ ଲୋମଟାଙ୍କୁରା ଅପରାଧ ଉପରୁ ବର୍ଷ ‌େଶଷ ପର୍ଯ୍ୟନ୍ତ ପରଦା ଉଠାଇପାରିନି। ଲୋକଙ୍କ ନିକଟତର ହେବାକୁ କମିସନରେଟ୍ ପୁଲିସ୍ ଢେର୍ ଉଦ୍ୟମ କରିଛି ସତ ହେଲେ, ସୁରକ୍ଷାର ଭରସା ମିଳି ନ ଥିବାରୁ ଲୋକଙ୍କ ବିଶ୍ବାସଭାଜନ ହୋଇପାରି ନାହିଁ। ସେହିପରି ରାଜଧାନୀର ନିଶା ବଳୟକୁ ଭେଦି ପାରିନାହିଁ କମିସନ୍‌ରେଟ୍‌ ପୁଲିସ। ବ୍ରାଉନସୁଗାର ଓ ଗଞ୍ଜେଇ ମାଫିଆମାନେ ଯୁବପିଢ଼ିଙ୍କୁ କରାୟତ୍ତ କରିବାକୁ ବେଶ୍ କସରତ୍ କରିଛନ୍ତି। ସହର ପାଇଁ ଏହା ଏକ ସାଂଘାତିକ ବିପଦ ଭାବେ ମୁଣ୍ଡ ଟେକିବାକୁ ଯାଉଛି, ଆଉ ପୁଲିସ୍ ପାଇଁ ବି ଏକ ଚ୍ୟାଲେଞ୍ଜ୍। ଏସବୁ ଭିତରେ କମିସନରେଟ୍ ପୁଲିସ୍‌ର ମୁଖିଆ ବଦଳିଛନ୍ତି। ନୂଆ କମିସନର୍ ଓ ଡିସିପି ଦାୟିତ୍ବ ନେଇଛନ୍ତି। ପୁଣି ପୁଲିସ୍‌କୁ ଆଶ୍ବାସନା ବି ମିଳିଛି, ହକି ବିଶ୍ବକପ୍ ଏବଂ ମେକ୍ ଇନ୍ ଓଡ଼ିଶା ପରି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ଇଭେଣ୍ଟରେ ସୁଚାରୁରୂପେ ଦାୟିତ୍ବ ତୁଲାଇବାର ପ୍ରଶଂସା।
୨୦୧୮ ସରି ଆ‌ସୁଥିଲା ବେଳେ କିଛି ଅଭୁଲା ଘଟଣା, ଦୁର୍ଘଟଣାକୁ ନେଇ ଆମର ଏହି ସ୍ବତନ୍ତ୍ର ଉପସ୍ଥାପନା…

୨୨ ହତ୍ୟା

ଚଳିତ ବର୍ଷ ରାଜଧାନୀରେ ୨୨ଟି ହତ୍ୟାକାଣ୍ତ ଘଟିଛି। ସେଥି ମଧୢରୁ ମଞ୍ଚେଶ୍ବର ଓ ନୂଆପଲ୍ଲୀ ଥାନା ଅଧୀନରେ ଘଟିଥିବା ଏକାଧିକ ହତ୍ୟାକାଣ୍ତର ଏଯାଏ ପର୍ଦାଫାସ ହୋଇ ପାରି ନାହିଁ। ହୋଟେଲ ହାଇେଵ-ଇନ୍‌ରେ ଜଣେ ମହିଳା ଲକ୍ଷ୍ମୀପ୍ରିୟା ବିଶ୍ବାଳଙ୍କୁ ହତ୍ୟା ଓ ନୂଆପଲ୍ଲୀ ଥାନା ପୂର୍ଣ୍ଣଚନ୍ଦ୍ର ନାୟକ ହତ୍ୟାକାଣ୍ତର ଏଯାଏ ରହସ୍ୟ ଉନ୍ମୋଚନ ହୋଇପାରିନାହିଁ। ଶ୍ରୀଲିଙ୍ଗରାଜ ଥାନା ଅଧୀନରେ କାର୍‌ ଭିତରେ ଜଣେ ମହିଳାଙ୍କୁ ତାଙ୍କ ପତ୍ନୀ ହତ୍ୟା କରିବା ଘଟଣା ମଧ୍ୟ କମ୍‌ ଚର୍ଚ୍ଚାରେ ନଥିଲା।

ଟାର୍ଗେଟ୍‌ରେ ନାବାଳିକା

ଚଳିତ ବର୍ଷ ବିଭିନ୍ନ ଥାନାରେ ୧୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଅଧିକାଂଶ ଘଟଣାର ପୀଡ଼ିତାମାନେ ନାବାଳିକା। ୯୦ ପ୍ରତିଶତ ଘଟଣାରେ ପୀଡ଼ିତାଙ୍କ ସମ୍ପର୍କୀୟ ଓ ପରିଚିତ ହିଁ ଥିଲେ ଅଭିଯୁକ୍ତ। କିନ୍ତୁ ପ୍ରାୟ ସବୁ ଘଟଣାରେ ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ କରିଥିବାରୁ ଏତେଟା ହୋ- ହାଲ୍ଲା ହୋଇ ନ ଥିଲା। ବର୍ଷ ୨୦୧୮ରେ ଅଧିକ ଚର୍ଚ୍ଚାରେ ଥିଲା ଚନ୍ଦକା, ଖଣ୍ତଗିରି, ସହିଦନଗର ଥାନା ଅଧୀନ‌ରେ ଘଟିଥିବା କିଛି ଦୁଷ୍କର୍ମ ଘଟଣା।

ହତ୍ୟା ନୁହେଁ ଅଘଟଣ

ଚଳିତ ବର୍ଷ ଦୁଇଟି ନୂଆଧରଣର ଅଘଟଣ ସାମ୍ନାକୁ ଆସିଥିଲା। ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ। ଭିଡିଓ ଭାଇରାଲକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରୁଥିଲେ ମଧୢ ପୁଲିସ ଏହାକୁ ଏକ ସୁପରିକଳ୍ପିତ ଆତ୍ମହତ୍ୟା ବୋଲି କହିଥିଲା। ଯାହା ଏବେ ବି ଅବିଶ୍ବସନୀୟ। ସେହିପରି ଖାରବେଳନଗର ଥାନା ଅଧୀନ ୟୁନିଟ-୪ ଅଞ୍ଚଳରେ ଗୋପୀନାଥ ମହାରଣା ନାମକ ଜଣେ ବ୍ୟକ୍ତିଙ୍କୁ କେହି ଗଳାକାଟି ହତ୍ୟା କରିଥିଲା। କିନ୍ତୁ ପୁଲିସ ତଦନ୍ତ କରି ଏହା ଏକ ଅଘଟଣ ବୋଲି ଗଣମାଧୢମକୁ ସୂଚନା ଦେଇଥିଲା। ଏହି ଘଟଣା ଏବେ ବି ରହସ୍ୟମୟ।

ଚର୍ଚିତ ଆତ୍ମହତ୍ୟା

କ୍ୟାପିଟାଲ ଥାନା ଅଧୀନ ଅଶୋକ ନଗରରେ ଥିବା ଏକ ହୋଟେଲରୁ ଦୁଇ ବଙ୍ଗୀୟ ମହିଳା ଓ ଯୁବକଙ୍କ ମୃତଦେହ ମିଳିବା ଢେର୍ ଚର୍ଚ୍ଚାର ବିଷୟ ଥିଲା। ରାଜ୍ୟ ବାହାରୁ ଆସି ଏଠାରେ ଆତ୍ମହତ୍ୟା କରିବା ଘଟଣା ଏବେ ବି ଚର୍ଚିତ ହୋଇ ରହିଛି। କେଉଁ ପରିସ୍ଥିତିରେ ଦୁହେଁ ଏଠାରେ ଆସି ଆତ୍ମହତ୍ୟା କଲେ, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ମଞ୍ଚେଶ୍ବର ଥାନା ଅଧୀନ ଶିଳ୍ପାଞ୍ଚଳରେ ଥିବା ଏକ ହୋଟେଲରେ ଜଣେ ଯୁବତୀ ଆତ୍ମହତ୍ୟା କରିବା ଘଟଣା ବି ଚର୍ଚାରେ ରହିଛି।

ଥରାଇଲା ବିସ୍ଫୋରଣ

ବର୍ଷ ତମାମ ବୋମାମାଡ଼ ଓ ବିସ୍ଫୋରଣରେ ରାଜଧାନୀ ଥରି ଉଠିଛି। କଥା କଥାକେ ଫୁଟିଛି ବୋମା। କେତେବେଳେ ଘର ଉପରେ ତ ରେସ୍ତୋରାଁ ଉପରକୁ ପୁଣି କେତେବେଳେ ରାଜନୈତିକ ଦଳ ଅଫିସ ଉପରେ। ବର୍ଷକ ମଧୢରେ ଘଟିଛି ଏଭଳି ୭ କାଣ୍ତ। କିନ୍ତୁ ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଏବର୍ଷର ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ଥିଲା। ଏହି ଘଟଣାରେ ମୃତ ଲକ୍ଷ୍ମୀପ୍ରିୟା ମିଶ୍ରଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ସ୍ଥାନରୁ ଖୋଜି ଖୋଜି ସଂଗ୍ରହ କରିଥିଲ। କିନ୍ତୁ ସ୍ବାମୀ ଜ୍ଞାନେନ୍ଦ୍ର ମିଶ୍ର ଆଜି ପର୍ଯ୍ୟନ୍ତ ଫେରାର୍‌ ଥିବାରୁ ବର୍ଷ ୨୦୧୮ରେ ଏହାର ରହସ୍ୟ ଉନ୍ମୋଚନ କରିବାରେ ପୁଲିସକୁ ସଫଳତା ମିଳି ପାରି ନାହିଁ।

ବଦଳିଲେ ପୁଲିସ କମିସନର ଓ ଡିସିପି

ଚଳିତବର୍ଷ କମିସନରେଟ୍‌ରେ ଦୁଇଦୁଇଟି ବଡ଼ଧରଣର ଅଦଳବଦଳ ହୋଇଥିଲା। ଉଭୟ ପୁଲିସ କମିସନର୍‌ ଓ ଡିସିପିଙ୍କ ବଦଳି ହୋଇଥିଲା। ପୂର୍ବତନ ପୁଲିସ କମିସନର ଵାଇ.ବି ଖୁରାନିଆଙ୍କ ସ୍ଥାନରେ ଏଡିଜି ପୁଲିସ ମୁଖ୍ୟାଳୟ ସତ୍ୟଜିତ୍‌ ମହାନ୍ତିଙ୍କୁ ଦ୍ବୈତନଗରୀ ପୁଲିସ କମିସନର ଭାବେ ଦାୟିତ୍ବ ଦିଆଯାଇଥିଲା। ସେହିପରି ପୂର୍ବତନ ଡିସିପି ସତ୍ୟବ୍ରତ ଭୋଇଙ୍କ ସ୍ଥାନରେ ଭଦ୍ରକ ଜିଲ୍ଲା ଏସ୍‌ପି ଅନୁପ ସାହୁଙ୍କୁ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ଵାଇ.ବି ଖୁରାନିଆ ଆଇଜି ବିଏସ୍‌ଏଫ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ସତ୍ୟବ୍ରତ ଭୋଇଙ୍କ ପଦୋନ୍ନତି ପରେ ଏବେ ଡିଆଇଜି ସମ୍ବଲପୁର ଦାୟିତ୍ବରେ ଅଛନ୍ତି।

ସମ୍ବନ୍ଧିତ ଖବର