ରଘୁନାଥନଗରରେ ପୁଣି ଆକାଶ ଆତଙ୍କ! ବ୍ୟବସାୟୀଙ୍କୁ ବିଚ୍ ବଜାରରେ ଆକ୍ରମଣ

ଖଣ୍ଡଗିରି: ଆଜି ଅପରାହ୍ଣ ପ୍ରାୟ ୪ଟାବେଳେ ଡୁମୁଡୁମା ରଘୁନାଥନଗରରେ ୪ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଯୁବକ ହେଲେ, ସ୍ଥାନୀୟ ଏମ୍‌ସ ନଗରରେ ରହୁଥିବା ଖୋର୍ଧା ରାଜସୁନାଖଳାର କେଶବ ସାହୁ। କେଶବ ତାଙ୍କ ଅଭିଯୋଗରେ ଆକ୍ରମଣକାରୀମାନଙ୍କ ନାମ ଉଲ୍ଲେଖ କରି ନଥିଲେ ମଧ୍ୟ ଏହା ଆକାଶ ଓ ବଳିଆ ଗ୍ୟାଙ୍ଗ୍‌ର କାମ ବୋଲି ଚର୍ଚ୍ଚା ହେଉଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନିଥିଲେ ବି ଭୟରେ କେଶବ ସେମାନଙ୍କ ନାମ ପ୍ରକାଶ କରୁନଥିବା‌ ଲୋ‌କେ ଆଲୋଚନା କରୁଛନ୍ତି। ଏମିତିକି କିଛି ଦୋକାନୀ ଏହି ଆକ୍ରମଣ ମାମଲାକୁ ସ୍ବଚକ୍ଷୁରେ ଦେଖିଥିଲେ ବି ଭୟରେ ମୁହଁ ଖୋଲୁନାହାନ୍ତି। କେଶବଙ୍କର ଦୁଇଟି ଗାଡ଼ି(ମିନିଟ୍ରକ୍) ରହିଛି ଓ ସେ ରଘୁନାଥନଗର ଷ୍ଟାଣ୍ଡରେ ଗାଡ଼ି ଲଗାନ୍ତି। ଆଜି ସେ ଉକ୍ତ ଷ୍ଟାଣ୍ଡ ନିକଟସ୍ଥ ଏକ ଜଳଖିଆ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ସରକନ୍ତରା ଗାଁ ଆଡ଼ୁ ୨ଟି ବାଇକ୍‌ରେ ୪ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଠିକ୍‌ ସେତିକିବେଳକୁ ପାଟ୍ରୋଲିଂରେ ଥିବା ପିସିଆର୍ ଭ୍ୟାନ୍‌ ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ପଳାଇଥିଲେ। ପୁଲିସ ସେମାନଙ୍କୁ କିଛି ବାଟ ପିଛା କରିଥିଲେ ବି ଧରିବାରେ ବିଫଳ ହୋଇଥିଲା। ପରେ ପୁଲିସ କେଶବକୁ ଭୁବନେଶ୍ବର ଏମ୍‌ସ ନେଇ ଚିକିତ୍ସା କରାଇଥିଲା। ସ୍ଥାନୀୟ କିଛି ଦୋକାନୀଙ୍କ କହିବା ଅନୁସାରେ ଗତ ଦୁଇ ଦିନ ହେଲା ଏହି ଅଞ୍ଚଳରେ ଆକାଶ ଷଡ଼ଙ୍ଗୀ ବୁଲୁଛି। ସୋମବାର ରାତିରେ ସେ ଜଣେ ଦୋକାନୀଙ୍କୁ ଧମକ ଦେଇଥିଲା। ତେଣୁ ଆଜିର କାଣ୍ଡ ଆକାଶ ଗ୍ୟାଙ୍ଗ୍‌ର ବୋଲି ସେମାନେ ସନ୍ଦେହ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୩୦ ଓ ଅକ୍ଟୋବର ୧ ତାରିଖରେ ରଘୁନାଥନଗରରେ ଘଟିଥିବା ଗଣ୍ଡଗୋଳ ମାମଲାରେ ଅଗ୍ନି ଷଡ଼ଙ୍ଗୀ ଗିରଫ ହୋଇଥିବା ବେଳେ ଆକାଶ ଓ ବଳିଆ ଫେରାର୍ ଅଛନ୍ତି।

ସମ୍ବନ୍ଧିତ ଖବର