ବାଲିପାଟଣା-ବାଲିଅନ୍ତା ଅଞ୍ଚଳରେ ଅପରାଧ-ଅଘଟଣ

ଏସିଡ୍‌ ପିଇ ମହିଳାଙ୍କ ମୃତ୍ୟୁ

ବାଲିପାଟଣା : ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ମଝିହରା ଗ୍ରାମର ବେଣୁଧର ବେହେରାଙ୍କ ପତ୍ନୀ ହେମଲତା ପ୍ରାଣ ହରାଇଛନ୍ତି। କୌଣସି କାରଣରୁ ଘରେ ଥିବା ଏସିଡ୍‌ ପିଇ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ବାଲିପାଟଣା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ତେବେ ଏହା ଏକ ଆକସ୍ମିକ ଅଘଟଣ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର କରାଇଛନ୍ତି। ସୂଚନାନୁସାରେ ହେମଲତା କୌଣସି କାରଣରୁ ଗତକାଲି ପ୍ରାୟ ସାଢେ ୧୨ ସମୟରେ ଘରେ ଥିବା ଏସିଡ୍‌ ପିଇ ଦେଇଥିଲେ। କଥା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଅବକାରୀ ଚଢ଼ଉ, ଜଣେ ଗିରଫ
ବାଲିଅନ୍ତା :ବାଲିଅନ୍ତା ଥାନା ଅଧୀନ ଯଶୁଆପୁର ଗ୍ରାମରେ ଆଜି ରାତି ୮ଟା ସମୟରେ ସ୍ଥାନୀୟ ଅବକାରୀ ମୋବାଇଲ ଟିମ ଅତର୍କିତ ଚଢ଼ଉ କରି ୩୦ ବୋତଲ ବିଦେଶୀ ମଦ ଜବତ କରିବା ସହ ଜଣେ ଚୋରାମଦ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି। ଗିରଫ ମଦ ବ୍ୟବସାୟୀ ଅଜୟ ସ୍ବାଇଁ (୩୫)ଠାରୁ ୫୦ ବୋତଲ ମଦ ଓ ୨୦୦୦ ଟଙ୍କା ଜବତ ହୋଇଛି। ଅଜୟକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସ୍ଥାନୀୟ କାର୍ଯ୍ୟାଳୟର ଏସଆଇ ଅଂଶୁମାନ ଜେନାଙ୍କ ତତ୍ବାବଧାନରେ ଚଢ଼ଉ କରାଯାଇଥିଲା।

ଦୁର୍ଘଟଣାରେ ବୃଦ୍ଧ ଗୁରୁତର
ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ମହାତ୍ମା ସେତୁ ନିକଟରେ ବାଇକ୍‌ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ, ସ୍ଥାନୀୟ ଭୁବନପୁର ଗ୍ରାମର ଅଲେଖ ଚନ୍ଦ୍ର ସାହୁ(୬୫)। ପରିବାରଲୋକ ତାଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଅଲେଖଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେବାରୁ ଘଟଣାସ୍ଥଳରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ସୂଚନା ଅନୁଯାୟୀ, ଅଲେଖ ବାଲିଅନ୍ତା ବଜାରରୁ କାମ ସାରି ସାଇକେଲରେ ଘରକୁ ଫେରୁଥିବା ବେଳେ ମହାତ୍ମା ସେତୁ ନିକଟରେ ପଛରୁ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର