ଶ୍ବଶୁରକୁ ବନ୍ଧୁକ ଦେଖାଇ ଜେଲ ଗଲେ ଜ୍ବାଇଁ

ବାଲିଅନ୍ତା: ଶ୍ବଶୁରଙ୍କୁ ବନ୍ଧୁକ ଦେଖାଇ ଗଣ୍ଡଗୋଳ କରିବା ମାମଲାରେ ପାହାଳ ଫାଣ୍ଡି ପୁଲିସ ଆଜି ଜ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜ୍ବାଇଁ ହେଲା କଟକ ଜିଲ୍ଲା ଓଲଟପୁର ଥାନା ଅଧୀନ ବାଗଲପୁର ଗ୍ରାମର ପ୍ରସନ୍ନଜିତ୍ ପ୍ରଧାନ। କୋର୍ଟରେ ପ୍ରସନ୍ନଜିତ୍‌ର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଏଥିସହିତ ପୁଲିସ ପ୍ରସନ୍ନଜିତ୍‌ଠାରୁ ଗୋଟିଏ ରିଭଲଭର ସହିତ ୩ଟି ଗୁଳି ଜବତ କରିଛି। ପ୍ରସନ୍ନଜିତ୍‌ ବିରୋଧରେ ପାହାଳ ଫାଣ୍ଡି ଅଧୀନ ଜୟରଶାସନ ଗ୍ରାମର ତାଙ୍କ ଶ୍ବଶୁର କାହ୍ନୁ ଚରଣ ଦାଶ ଲିଖିତ ଅଭିଯୋଗ କରିଥିଲେ। କାହ୍ନୁଙ୍କ ଅଭିଯୋଗକୁ ଭିତ୍ତିକରି ବାଲିଅନ୍ତା ଥାନାରେ ନଂ ୨୨୪/୧୯ରେ ଏକ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ମୁତାବକ, ବାଗଲପୁର ଗ୍ରାମର ପ୍ରସନ୍ନଜିତ୍‌ ଗତ ୪ ମାସ ତଳେ ଜୟରଶାସନ ଗ୍ରାମର କାହ୍ନୁଚରଣଙ୍କ ଝିଅ କବିତା ପ୍ରଧାନଙ୍କୁ ବିବାହ କରିଥିଲେ। ହେଲେ ଉଭୟ କବିତା ଓ ପ୍ରସନ୍ନଜିତ୍‌ଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ତେଣୁ କବିତା ବାପଘର ଜୟରଶାସନ ଗ୍ରାମକୁ ପଳାଇ ଆସିଥିଲେ। ଗତ ୯ ତାରିଖ ସଂଧ୍ୟାରେ ପ୍ରସନ୍ନଜିତ୍‌ ଶ୍ବଶୁର ଘରେ ପହଞ୍ଚି କବିତାଙ୍କୁ ସାଙ୍ଗରେ ନେଇଯିବାକୁ ଜିଦ୍‌ କରିଥିଲେ। ଏନେଇ ଶ୍ବଶୁର କାହ୍ନୁଚରଣ ଓ ପ୍ରସନ୍ନଜିତ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରସନ୍ନଜିତ୍‌ ତାଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହେଲେ ଶ୍ବଶୁରଘର ଲୋକ ପ୍ରସନ୍ନଜିତ୍‌ଙ୍କ ହାତରୁ ବନ୍ଧୁକ ଛଡ଼ାଇ ନେଇ ତାଙ୍କୁ ଅଟକ ରଖି ପାହାଳ ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର