ହତ୍ୟାକାଣ୍ଡ ହେଉ କି ଆତ୍ମହତ୍ୟା କି ବ୍ଲାକ୍ମେଲ୍। ଚଳିତ ବର୍ଷ ଏଭଳି କିଛି ଅପରାଧକୁ ନେଇ ସାରା ରାଜ୍ୟ ଉଠିଥିଲା ପଡ଼ିଥିଲା। ବିଧାନସଭା ଘେରାଉ ଠାରୁ ରାସ୍ତାରୋକ, ହର୍ତାଳ କରି ବିରୋଧୀ ଘେରିଲେ। ଅପାରଧୀଙ୍କ ମୁଖା ଖୋଲିବା ପାଇଁ ସିବିଆଇ, କ୍ରାଇମ୍ବ୍ରାଞ୍ଚ ଏବଂ ଇଡି ତଦନ୍ତ ପାଇଁ ଦାବି କରାଗଲା। ତଦନ୍ତ ସଂସ୍ଥାକୁ ମାମଲା ବି ଗଲା। ଘଟଣା ଉପୁରୁ ପର୍ଦ୍ଦା ହଟିବ ବୋଲି ରାଜ୍ୟବାସୀ ନିଶ୍ଚିନ୍ତରେ ଥିଲେ। ହେଲେ ସେଭଳି କିଛି ଘଟିଲା ନାହିଁ। ସେ କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ହେଉ କି ଗୋବିନ୍ଦ ସାହୁ ଆତ୍ମହତ୍ୟା। କି ଅର୍ଚ୍ଚନା ନାଗଙ୍କ ବ୍ଲାକ୍ମେଲ୍ ମାମଲା। କୌଣସି ଗୋଟିଏ ଘଟଣା ଉପରୁ ପର୍ଦ୍ଦା ହଟିପାରିଲା ନାହିଁ। ପ୍ରଛଦପଟ୍ଟର ଖଳନାୟକ ଛବି ପଦାକୁ ଆସିଲାନି କି ମଳିନ ପଡ଼ିଲାନି। ସେହିପରି ଛାତ୍ରୀ ରୁଚିକାଙ୍କ ଠାରୁ ଆରମ୍ଭ କରି ରାଇମୋହନଙ୍କ ଆତ୍ମହତ୍ୟା ପର୍ଯ୍ୟନ୍ତ। ବର୍ଷ ବିତିଗଲା ଘଟଣା ପଛର ବାସ୍ତବ ସତ୍ୟ ପଦାକୁ ଆସିପାରିଲା ନାହିଁ। ଏମିତିକି ଅନେକ ଗୁଳିକାଣ୍ଡ, ହତ୍ୟା, ନିଶାମାଫିଆଙ୍କ ଭଳି ଅପାରାଧୀଙ୍କୁ ପୁଲିସ ଭେଦ କରିପାରିଲା ନହିଁ।
ସନ୍ଦେହ ଘେରରେ ରୁଚିକାଙ୍କ ଆତ୍ମହତ୍ୟା
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ସନ୍ଦେହଜନକ ଆତ୍ମହତ୍ୟାକୁ ନେଇ ରାଜ୍ୟ ଅଶାନ୍ତ ହୋଇପଡ଼ିଥିଲା। ଅପରାଧୀଙ୍କୁ ବାନ୍ଧିବା ପାଇଁ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ସବୁଠି ବିକ୍ଷୋଭ ପ୍ରଦର୍ଶନ ହେଲା। ଚାପ ପଡ଼ିବାରୁ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଶତାଧିକ ଛାତ୍ରଛାତ୍ରୀଙ୍କୁ ଜେରା କଲା। ସୁଇସାଇଡ୍ ନୋଟ୍ ଓ ତାଙ୍କ ମୋବାଇଲ୍ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍ ଲ୍ୟାବ୍ ଗଲା। ଏମିତିିକି ମୋବାଇଲ୍କୁ ସିଙ୍ଗାପୁର ପଠାଗଲା। ଏତେସବୁ ପରେ ମଧ୍ୟ ତାଙ୍କ ଆତ୍ମହତ୍ୟା ପଛରେ ୩ ସିନିଅର କିଏ? କେଉଁଆଡ଼େ ଅନ୍ତର୍ଧାନ ହୋଇଗଲେ? ତାହା ପଦାକୁ ଆସିଲା ନାହିଁ।
ମିଳିଲା ହାର୍ଡଡିସ୍କ ଲୁଚିଗଲା ଅଶ୍ଳୀଳ କେଳେଙ୍କାରୀ
ଯେଉଁ ଅଶ୍ଳୀଳ ଭିଡିଓ କେଳେଙ୍କାରୀ ପାଇଁ ସମ୍ପୂର୍ଣ୍ଣା ୱେବ୍ ପୋର୍ଟାଲ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କ ହତ୍ୟା କରାଗଲା। କେଳେଙ୍କାରୀ ପଛର ରହସ୍ୟ ରହସ୍ୟ ହୋଇ ରହିଗଲା। ଏକ ଅଶ୍ଳୀଳ ସିନେମା ସୁଟିଂ ବାବଦକୁ ୧୦ ହଜାର ଟଙ୍କା ନ ପାଇବାରୁ ମାନସ ଭିଡିଓ କ୍ଲିପ ନିଜ ପାଖରେ ରଖିଥିଲେ। ଭାଇରାଲ୍ ଭୟରେ ହତ୍ୟା ପାଇଁ ହୋଇଥିଲା ଯୋଜନା। ଫେବ୍ରୁଆରି ୭ରେ ଶର୍ମିଷ୍ଠା ଓ ତାର ସହଯୋଗୀ ରଞ୍ଜନ, ଭାଗ୍ୟଧର, ଝୁନା, ବିବେକ ଏବଂ ଅନ୍ୟ ଜଣେ ନାବାଳକ ମିଶି ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ବର ଦୟାଲ ଆଶ୍ରମ ଆଣିଥିଲେ। ଚିପ୍ ହାତେଇବାକୁ ଯାଇ ମାନସଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳିଥିଲା। ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। କ୍ରାଇମ୍ବ୍ରାଞ୍ଚ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ଖାସ୍ ବନ୍ଧୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, କେୟାର ଟେକର୍ ଝୁନା ଭୋଇ, ରଞ୍ଜନ କୁମାର ନାୟକ, ଭାଗ୍ୟଧର ନାୟକ, ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତ, କୃଷ୍ଣଚନ୍ଦ୍ର ନାୟକ ଏବଂ ଜଣେ ନାବାଳକଙ୍କୁ ଗିରଫ କରିଥିବା ବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଜବତ ହାର୍ଡଡିସ୍କ ଏସ୍ଏଫ୍ଏଲ୍ରେ ରିକଭର୍ ହୋଇଥିଲା। ଯେଉଁଥିରେ ୬୦ଟି କ୍ଷୁଦ୍ର ଅଶ୍ଳୀଳ ଭିଡିଓ ରହିଥିଲା। ହତ୍ୟାକାଣ୍ଡ ପଛର ମୂଳ କାରଣ କୁହାଯାଉଥିବା ଏହି କ୍ଷୁଦ୍ର ଅଶ୍ଳୀଳ ଭିଡିଓ କେଳେଙ୍କାରୀ ଘଟଣାକୁ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରୁ ନଥିବାରୁ ଆଜି ବି ହତ୍ୟାକାଣ୍ଡ ପଛର କାରଣ ରହସ୍ୟଜନକ ହୋଇ ରହିଛି।
ରାଇମୋହନଙ୍କ ମୃତ୍ୟୁ ପଛରେ କିଏ?
ଲୋକପ୍ରିୟ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଏବେ ବି ରହସ୍ୟ ହୋଇ ରହିଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉ ଥିଲେ ବି ପୁଲିସ ମୃତଦେହକୁ ସନ୍ଦେହଜନକ ସ୍ଥିତିରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ପରିବାରରଲୋକ ନଥିବା ବେଳେ ଘର କବାଟ ଖୋଲା ରହିବା, ରାଇମୋହନଙ୍କ ହ୍ବାଟ୍ସଆପ୍ରୁ ପରିବାରବର୍ଗଙ୍କୁ ମେସେଜ୍ ଯିବା ଭଳି ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ କେହି ସହଜରେ ଗ୍ରହଣ କରିପାରିନଥିଲେ। କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ? ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହୋଇଥିଲା। ବ୍ୟବଚ୍ଛେଦ ରିପୋର୍ଟ, ସିସିଟିଭି ଫୁଟେଜ୍ ଏବଂ ସିଡିଆର୍ ରିପୋର୍ଟ ପୁଲିସ ହାତରେ ଲାଗିଥିଲେ ମଧ୍ୟ ସେ କାହିଁକି ଆତ୍ମହତ୍ୟା କଲେ? ଆତ୍ମହତ୍ୟା ପଛରେ କିଏ? ତାହା ଲୋକଲୋଚନକୁ ଆସିପାରିଲା ନାହିଁ। ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଏବେ ବି ରହିଛି।
ଉପସ୍ଥାପନା: ହିତେଶ ନାୟକ