ଗୁଳି ଫୁଟାଇ ଲୁଟିଲେ ଦୁର୍ବୃତ୍ତ: ସୁନା ଗହଣା ବ୍ୟବସାୟୀଙ୍କୁ ଭୁଜାଲି ଚୋଟ

ଚନ୍ଦ୍ରଶେଖରପୁର : ଆଜି ରାତି ପ୍ରାୟ ସାଢ଼େ ଏଗାରଟା ବେଳେ ମଞ୍ଚେଶ୍ୱର ଥାନା ଅଧୀନ ରଂଗମାଟିଆ ଗ୍ରାମ ନିକଟରେ କିଛି ଦୁର୍ବୃତ୍ତ ଫାଙ୍କା ଗୁଳି ଫୁଟାଇ ଓ ଭୁଜାଲିରେ ଆକ୍ରମଣ କରି ସୁନା ଗହଣା ବ୍ୟବସାୟୀ ବାପା-ପୁଅଙ୍କୁ ଲୁଟପାଟ କରିଛନ୍ତି। ବ୍ୟବସାୟୀ ଦୁହେଁ ହେଲେ ଗାଡ଼କଣ ଗ୍ରାମର ଲକ୍ଷ୍ମଣ ସାହୁ ଓ ତାଙ୍କ ବାପା। ଲକ୍ଷ୍ମଣଙ୍କ ବାପା ଟଙ୍କା ବ୍ୟାଗ୍‌ ଦୁର୍ବୃତ୍ତଙ୍କୁ ନଦେବାରୁ ଭୁଜାଲି ଚୋଟରେ ଆହତ ହୋଇଛନ୍ତି। ଏହାପରେ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍‌ ସହ ବାଇକ୍‌ ଯୋଗେ ଗାଡ଼କଣ ରେଲେଓ୍ଵ କଲୋନି ଦିଗକୁ ପଳାଇଥିଲେ। ବ୍ୟାଗ୍‌ରେ ପ୍ରାୟ ୬୦ ହଜାର ଟଙ୍କା ଓ କିଛି ସୁନା ଗହଣା ଥିଲା। ସୂଚନା ପାଇ ମଞ୍ଚେଶ୍ୱର ଥାନାର ଦୁଇଟି ଭ୍ୟାନ୍‌ ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଟି ଭ୍ୟାନ୍‌ ସହିତ ସହିଦନଗର ଥାନାରୁ ଗୋଟିଏ ଭ୍ୟାନ୍‌ରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲକ୍ଷ୍ମଣଙ୍କ ବାପାକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ପୁଲିସ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଗାଡ଼ି ଚେକିଂ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗାଡ଼କଣର ଲକ୍ଷ୍ମଣ ଭିଏସ୍‌ଏସ୍‌ ନଗରରେ ଏକ ସୁନା ଗହଣା ଦୋକାନ କରିଛନ୍ତି। ଦୋକାନ ବନ୍ଦ କରି ସେ ନିଜ ବାପାଙ୍କ ସହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ସେମାନଙ୍କୁ ଦୁଇଟି ବାଇକ୍‌ ଅନୁସରଣ କରିଥିଲା। ମଞ୍ଚେଶ୍ୱର ଷ୍ଟେସନ୍‌ ପାର୍‌ ହେବା ମାତ୍ରେ ରଂଗମାଟିଆ ଆପାର୍ଟମେଣ୍ଟ ଛକ ନିକଟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଘେରିଯାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଲକ୍ଷ୍ମଣ ସେମାନଙ୍କୁ ପ୍ରତିରୋଧ କରିବାରୁ ଲୁଟେରାମାନେ ବନ୍ଧୁକରୁ ଫାଙ୍କା ଗୁଳି ଫୁଟାଇଥିଲେ ଏବଂ ତାଙ୍କ ବାପାଙ୍କୁ ଏକ ଭୁଜାଲିରେ ହାଣି ଟଙ୍କା ବ୍ୟାଗ୍‌ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର