ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୨୩ବର୍ଷ ବୟସ୍କା ଯୁବତୀଙ୍କୁ ୫ଜଣ ଯୁବକ ବସିଥିବା ଏକ କାର କିଛି କିଲୋମିଟର ଟାଣି ନେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଏବେ ଆପ୍ ଏକ ବଡ଼ ଅଭିଯୋଗ ଆଣିଛି। ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ଅଛନ୍ତି ବୋଲି କହିଛନ୍ତି ଆପ୍ ମୁଖପାତ୍ର ସୌରବ ଭରଦ୍ବାଜ।
ସେ କହିଛନ୍ତି ଗିରଫ ୫ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ମଧ୍ୟ ଅଛନ୍ତି। ତାଙ୍କ ନାଁ ହେଉଛି ମନୋଜ ମିତ୍ତଲ। ସୁଲତାନପୁରୀରେ ତାଙ୍କର ଏକ ରାସନ ଦୋକାନ ଅଛି। ଏହା ସହିତ ତାଙ୍କର ପୋଷ୍ଟରଗୁଡିକ ଏହି ଅଞ୍ଚଳରେ ଲଗାଯାଇଛି। ଏଥିରେ ମନୋଜ ମିତ୍ତଲଙ୍କୁ ବିଜେପି ୱାର୍ଡ-୪୨ ମଙ୍ଗୋଲପୁରୀର ସହ-ସଂଯୋଜକ କରିଥିବାରୁ ଦଳର ସର୍ବୋଚ୍ଚ ନେତୃତ୍ୱଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ତେବେ ମନୋଜ ବିଜେପି ନେତା ହୋଇଥିବାରୁ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି।
ଅନ୍ୟପକ୍ଷରେ ଘଟଣା ସମୟର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଥିବା ବେଳେ ଗାଡ଼ି ତଳେ ଯୁବତୀଜଣକ ଘୋଷାଡି ହୋଇଯାଉଥିବା ଦେଖାଯାଇଛି। ତେବେ କେବଳ ଦୁର୍ଘଟଣା ନୁହେଁ ବରଂ ଯୁବତୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ।
ଉଲ୍ଲେଖଯୋଗ୍ୟ, ୨୩ବର୍ଷୀୟ ଯୁବତୀଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ। କାମ ସାରି ଘରକୁ ସ୍କୁଟିରେ ଫେରୁଥିବା ବେଳେ ୫ଜଣ ଯୁବକ ବସିଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ପରେ କାରଟି ସୁଲତାନପୁରରୁ କଞ୍ଜାୱାଲା ପର୍ଯ୍ୟନ୍ତ ପ୍ରାୟ ୪କିଲୋମିଟର ଯାଏ ଯୁବତୀଙ୍କୁ ଘୋଷାଡି ନେଇଥିଲା। ଏହି କାରଣରୁ ରାସ୍ତାରେ ଘସି ହୋଇ ଯୁବତୀଙ୍କ ଶରୀରରୁ ପିନ୍ଧିଥିବା ପୋଷାକ ଅଲଗା ହୋଇଯାଇଥିଲା। ଏତେ ବାଟ ଘୋଷାଡି ହୋଇ ଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।