ମହାକାଳ ମନ୍ଦିରରେ କେକ୍‌ କାଟି ଫସିଗଲେ ଦୁଇ ମହିଳା

ଭୋପାଳ: ଉଜ୍ଜୟିନୀର ପ୍ରସିଦ୍ଧ ମହାକାଳ ମନ୍ଦିର ପ୍ରତି ସାଧାରଣରେ ରହିଛି ବେଶ୍‌ ଆଗ୍ରହ। ଆଉ ଏହି ମହାକାଳ ମନ୍ଦିରକୁ ନିଜ ବିବାହ ବାଷିର୍କୀ ଅବସରରେ ନିଜ ବାନ୍ଧବୀଙ୍କ ସହିତ ଯାଇ କେକ୍‌ କାଟିଥିିବା ମହିଳା ଫସି ଯାଇଛନ୍ତି। ମନ୍ଦିରର ଶାନ୍ତି ଓ ପବିତ୍ରତା ନଷ୍ଟ କରାଯାଇଥିିବା ଅଭିଯୋଗ ଆସିଛି ଦୁଇ ମହିଳାଙ୍କ ବିରୋଧରେ। ଉଭୟ ଆସନ୍ତା ୨୫ ତାରିଖରେ ମନ୍ଦିର ପରିଚାଳନା ଦାୟିିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହେବା ସହିତ ଏଥିପାଇଁ ୧ ଲକ୍ଷ ଟଙ୍କାର ବଣ୍ଡ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବାକୁ ମହିଳାଦ୍ୱୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଉଜ୍ଜୟିନୀର ମହାକାଳ ମନ୍ଦିରର ପରିଚାଳାନା ଦାୟିିତ୍ୱ ଜିଲ୍ଲା ପ୍ରଶାସନର। ତେବେ ଗତ ୭ ତାରିଖ ଦିନ ଉଜ୍ଜୟିନୀ ସହରର ନନ୍ଦିନୀ ଯୋଷୀ ଓ ସାଧନା ଉପାଧ୍ୟାୟ ମହାକାଳ ମନ୍ଦିରକୁ ଯାଇଥିଲେ। ସେଦିନ ସାଧନାଙ୍କ ବିବାହ ବାର୍ଷିକୀ ଥିଲା। ତେଣୁ ସେମାନେ ସାଙ୍ଗରେ ନେଇଥିବା ଏକ କେକ୍‌କୁ ମନ୍ଦିରର ଗର୍ଭଗୃହ ନିକଟରେ ଥିବା ନନ୍ଦିଗୃହରେ କାଟିଥିଲେ। ଏହି ଖବର ଗଣମାଧ୍ୟମ ଜରିଆରେ ପ୍ରଚାର ହେବା ପରେ ମହିଳାଦ୍ୱୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇ ମହିଳା ଦ୍ୱୟଙ୍କୁ ନୋଟିସ ଜାରି କରିଛି। କେବଳ ସେତିକି ନୁହେଁ, ମହିଳାଦ୍ୱୟ ଯେତେବେଳେ କେକ୍‌ କାଟିବାକୁ ଉଦ୍ୟମ କରୁଥିଲେ ସେଠାରେ ମୂତୟନ ଥିବା ହୋମଗାର୍ଡ଼ ମୀନା ପ୍ରଜାପତି ସେମାନଙ୍କୁ ବାଧା ନ ଦେଇ ସହଯୋଗ କରିଥିବାରୁ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଜିିଲ୍ଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କୁ ଜିଲ୍ଲା ପ୍ରଶାସନ ଚିଠି ଲେଖିଛି। କେବଳ ସେତିକି ନୁହେଁ ୧ ମାସ ପାଇଁ ମହିଳାଦ୍ୱୟଙ୍କମନ୍ଦିର ପ୍ରବେଶ ଉପରେ ମଧ୍ୟ ଅଙ୍କୁଶ ଲଗାଇଛି ଜିଲ୍ଲା ପ୍ରଶାସନ। ତେବେ ଏ ନେଇ ନନ୍ଦିନୀ ଯୋଷୀ କହିଛନ୍ତି ଯେ କେଉଁ ବହି ଓ କେଉଁ ଆଇନାର ମନ୍ଦିର ପରିସରରେ କେକ୍‌ କାଟିବା ଉପରେ ରୋକ ଲଗାଇଛି ତାହା ସେ ଜାଣିବା ଆବଶ୍ୟକ। ମନ୍ଦିରରେ କେକ୍‌ ନ କାଟିବା ପାଇଁ କେଉଁଠାରେ ଲେଖାଯାଇ ନାହିଁ। ସେହିପରି ୧ ଲକ୍ଷ ଟଙ୍କାର ବଣ୍ଡ ଜିଲ୍ଲା ପଶାସନ ପାଖରେ ଦାଖଲ କରିବା କଥା ବିଲକୁଲ ଗ୍ରହଣୀୟ ନୁହେଁ ବୋଲି ନନ୍ଦିନୀ ଯୋଷୀ କହିଛନ୍ତି।ତେବେ ସେମାନେ ଜିଲ୍ଲା ପ୍ରଶାସନର ନୋଟିସର ଉତ୍ତର ଦେବେ ବୋଲି ନନ୍ଦିନୀ କହିଛନ୍ତି।

ସମ୍ବନ୍ଧିତ ଖବର