ରାଜ୍ୟରେ ମାତିଛନ୍ତି ସାଇବର ଠକ: ୨୫ ଲକ୍ଷ ଟଙ୍କା ଲଟେରିର ଲୋଭ ଦେଖାଇ ଠକିନେଲେ ୧୫ ହଜାର

ଭୁବନେଶ୍ବର: ପୁରୀ ଜିଲ୍ଲା ସତ୍ୟବାଦୀ ବାଗଲପୁର ଅଞ୍ଚଳର ବିମ୍ବାଧର ସ୍ୱାଇଁ । ବୃତ୍ତିରେ ଜଣେ ଅଟୋ ଡ୍ରାଇଭର । ୨୫ ଲକ୍ଷ ଟଙ୍କା ଲଟେରିର ଲୋଭ ଦେଖାଇ ତାଙ୍କଠାରୁ ୧୫ ହଜାର ଲୁଟି ନେଇଛି ଠକ । ହ୍ୱାଟ୍ସଆପ୍ ଜରିଆରେ ନକଲି ଚେକର କପି ପଠାଇ ବିମ୍ବାଧରଙ୍କ ବିଶ୍ୱାସ ଜିତିବା ପରେ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ଠକି ନିଆଯାଇଛି।

ଲଟେରି ଲୋଭ ଯୋଗୁଁ ଠକାମୀରେ ପଡିଛନ୍ତି ବିମ୍ବାଧର । ପ୍ରଥମେ ୫ ହଜାର ପରେ ସ୍ତ୍ରୀର ଗହଣା ବନ୍ଧା ପକାଇ ୧୦ ହଜାର ଟଙ୍କା ରଶ୍ମୀରଂଜନ ସେଠ୍ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ପଠାଇଥିଲେ । ଲଟେରି ଟଙ୍କା ତ ମିଳିଲା ନାହିଁ, ହେଲେ ଠକର ଲୋଭ ଏତିକିରେ ଥମି ନଥିଲା । ଆହୁରି ଟଙ୍କା ମାଗିଥିଲା ଠକ । ଆଉ ଟଙ୍କା ନଦେବାରୁ ଆରମ୍ଭ ହୋଇ ଯାଇଥିଲା ଗାଳି ଗୁଲଜ ଓ ଧମକ-ଚମକ ।

ଯେକୌଣସି ଲୋକ ପାଖକୁ ଆସିପାରେ ଏପରି ଫୋନ୍ କଲ୍ । ଗଣମାଧ୍ୟମ ପ୍ରତିନିଧିଙ୍କ ପାଖକୁ ମଧ୍ୟ ଆସିଥିଲା ଠକ କଲ୍ । ସେହି ଏକାକଥା, ବ୍ୟାଙ୍କ ଆକାଉଂଟରେ ୨୫ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ଇନକମ୍ ଟ୍ୟାକ୍ସ ପାଇଁ ଟଙ୍କା ଜମା କଲେ ଉଠାଇ ପାରିବେ ଟଙ୍କା । ବେଶ କିଛି ସମୟ ଧରି ଏଭଳି ମନଲୋଭା କଥା କହି ଭୁଲାଇବାକୁ ଚେଷ୍ଟା କରୁଛନ୍ତି ଫ୍ରଡ୍ ମାଷ୍ଟର ।

ସାଧାରଣ ଲୋକଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଉଦ୍ୟମ କରିଥାନ୍ତି । ଏପରିକି ସେମାନଙ୍କ ଗ୍ରୁପର କିଛି ସଦସ୍ୟ ଭିଡ଼ିଓ କରି ଟଙ୍କା ପାଇଥିବା କଥା ମଧ୍ୟ କହିଥାନ୍ତି । ଯିଏ ଲୋଭର ବଶବର୍ତ୍ତୀ ହୋଇ ସେମାନଙ୍କ ଜାଲରେ ପଡିଯାଆନ୍ତି, ସେମାନେ ମୋଟା ଅଙ୍କର ଲୁଟର ଶିକାର ହୁଅନ୍ତି ।

ସମ୍ବନ୍ଧିତ ଖବର