ଦାଭୋଲ୍‌କର୍‌ ହତ୍ୟା ମାମଲା: ସମୁଦ୍ର ଶଯ୍ୟାରୁ ପିସ୍ତଲ୍‌ ଉଦ୍ଧାର କଲେ ନରୱେର ବୁଡ଼ାଳି

ନୂଆଦିଲ୍ଲୀ: ନରୱେର ବୁଡ଼ାଳି ଏବଂ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ‘ସିବିଆଇ’ ଆରବ ସାଗର ଶଯ୍ୟାରୁ ଏକ ପିସ୍ତଲ ଉଦ୍ଧାର କରିଛି। ଏହି ପିସ୍ତଲ ଦ୍ୱାରା ହେତୁବାଦୀ ଓ ସାମାଜିକ କର୍ମୀ ନରେନ୍ଦ୍ର ଦାଭୋଲ୍‌କର୍‌ଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ବରିଷ୍ଠ ସରକାରୀ ଅଧିକାରୀମାନେ କହିଛନ୍ତି। ୨୦୧୩ ଅଗଷ୍ଟ ମାସରେ କେତେକ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ଦାଭୋଲ୍‌କର୍‌ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା କି, ନାହିଁ ଜାଣିବାକୁ ଉଦ୍ଧାର କରାଯାଇଥିବା ପିସ୍ତଲଟିକୁ ଫୋରେନ୍‌ସିକ୍‌ ପରୀକ୍ଷା ଲାଗି ପଠାଯାଇଛି। ଥାନେ ନିକଟ ଖାରେଗାଓଁ ଜୋର ପାଖ ସମୁଦ୍ରରେ ପିସ୍ତଲଟିକୁ ଖୋଜିବା ଆବଶ୍ୟକ ବୋଲି ଅଗଷ୍ଟ ୨୦୧୯ରେ ‘ସିବିଆଇ’ ପୁଣେ ଅଦାଲତଙ୍କୁ ସୂଚନା ଦେଇଥିଲା।

ପିସ୍ତଲଟିକୁ ସମୁଦ୍ର ମଧ୍ୟରୁ ଖୋଜି ବାହାର କରିବାକୁ ‘ସିବିଆଇ’ ଦୁବାଇର ‘ଏନ୍‌ଭିଟେକ୍‌ ମେରାଇନ୍‌ କନ୍‌ସଲ୍‌ଟାଣ୍ଟ୍‌ସ୍‌’କୁ ମୁତୟନ କରିଥିଲା। ସମୁଦ୍ର ତଲାସ ପାଇଁ ଆବଶ୍ୟକ ଯନ୍ତ୍ରପାତି ଅଣାଯାଇଥିଲା ନରୱେରୁ। ସମୁଦ୍ର ଶଯ୍ୟା ତଲାସ ପାଇଁ ବିଶେଷଜ୍ଞମାନେ ଚୁମ୍ବକୀୟ ସ୍ଲେଜ୍‌ ବ୍ୟବହାର କରିଥିଲେ।

Representative Image Courtesy of Sputnik News

ସମୁଦ୍ରରୁ ପିସ୍ତଲଟିକୁ ଖୋଜି ପାଇବାକୁ ପ୍ରାୟ ୭. ୫ କୋଟି ଟଙ୍କା ବ୍ୟୟ ହୋଇଛି।

‘ସିବିଆଇ’ର ଦୁଇଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବହୁଦିନ ଧରି ତଲାସ କରିବା ପରେ ଆମେ ଏକ ପିସ୍ତଲ ପାଇଛୁ। ଦାଭୋଲ୍‌କର୍‌ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବା ଗୁଳିର ଆକାର ପ୍ରକାର ସହ ବାଲିଷ୍ଟିକ୍‌ ବିଶେଷଜ୍ଞମାନେ ଉଦ୍ଧାର ହୋଇଥିବା ପିସ୍ତଲକୁ ପରୀକ୍ଷା କରିବେ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ସକାଳ ବୁଲାରେ ଯାଉଥିବା ବେଳେ ଦାଭୋଲ୍‌କର୍‌ଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ଏଥିରେ ‘ସିବିଆଇ’ ସାତଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ବୀରେନ୍ଦ୍ର ତାଡ଼େ ନାମକ ଜଣେ ‘ଇଏନ୍‌ଟି’ ଡାକ୍ତର, ଆଡ୍‌ଭୋକେଟ୍‌ ପୁନାଲେକାର, ବିକ୍ରମ ଭାବେ, ଶରଦ କାଲାସ୍‌କର୍‌ ଏବଂ ସଚିନ ଆନ୍ଦୁରେ।

 

ସମ୍ବନ୍ଧିତ ଖବର