ଗୋଟେ ପିସ୍ତଲରୁ ପାଞ୍ଚ ପ୍ରକାରର ଗୁଳି ! ହତ୍ୟାକାରୀ ଚିହ୍ନଟ କରିବାକୁ ପୁଲିସକୁ ଲାଗିଲା ୪ ବର୍ଷ, ଅ‌ାଶ୍ଚର୍ଯ୍ୟ ହୋଇଗଲେ ଅସ୍ତ୍ର ବିଶାରଦ

ନୂଆଦିଲ୍ଲୀ: ଗୋଟିଏ ରିଭଲଭରରୁ କେବଳ ଗୋଟିଏ ଆକାରର ଗୁଳି ବାହାରି ପାରିବ । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପଞ୍ଜାବ ପୋଲିସ ଏମିତି ଏକ ରିଭଲଭର ଜବତ କରିଥିଲା ଯେଉଁଥିରୁ ପାଞ୍ଚ ପ୍ରକାର ଆକାରର ଗୁଳି ବାହାରି ପାରୁଥିଲା । ଯାହାକୁ ଦେଖି ଆମେରିକାର ଅସ୍ତ୍ର ବିଶାରଦଙ୍କ ମଧ୍ୟରେ ଚହଳ ପଡି ଯାଇଥିଲା । ଘଟଣାଟି ଏମିତି ଥିଲା ।

ମେ ୧୬, ୧୯୯୬ , ସ୍ଥାନ ପଞ୍ଜାବ, ଲୁଧିଆନାର ରାଜଗୁରୁ ନଗର, ସମୟ ଦିନ ୨ଟା ପାଖାପାଖି ହେବ । ପ୍ରତିଷ୍ଠିତ ବ୍ୟବସାୟୀ ରାଜ ସିଙ୍ଘାନିଆଙ୍କ ଘରର ସମସ୍ତ ସଦସ୍ୟ ମଧ୍ୟାହ୍ନ ଭୋଜନ ସାରି ବିଶ୍ରାମ ନେଉଥାନ୍ତି। ମୁଖ୍ୟଦ୍ଵାର ଖୋଲା ଥାଏ, ହଠାତ ପାଞ୍ଚ ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘର ଭିତରକୁ ପଶି ଆସନ୍ତି । ବନ୍ଧୁକ ଦେଖାଇ ଆଲମାରି ଚାବି ମାଗନ୍ତି । ସିଙ୍ଘାନିଆ ପରିବାର ନ ଡରି ବିରୋଧ କରନ୍ତି । ଧସ୍ତାଧସ୍ତି ମଧ୍ୟରେ ଜଣେ ଦୁର୍ବୁତ୍ତ ରାଜ ସିଙ୍ଘାନିଆଙ୍କ ଛାତିକୁ ଲକ୍ଷ୍ୟ କରି ଢୋ ଢୋ କରି ଲଗାତର ଦୁଇ ରାଉଣ୍ଡ ଗୁଳି ମାରେ। ରାଜ ସିଙ୍ଘାନିଆଙ୍କ ସେଇଠି ହିଁ ଟଳି ପଡନ୍ତି । ସିଏ ମରିଗଲେ ଭାବି ଦୁର୍ବୁତ୍ତମାନେ ଘାବରେଇ ଯାଇ ଯାହା ହାତରେ ପଡିଲା ନେଇକି ଘଟଣାସ୍ଥଳରୁ ତୁରନ୍ତ ଫେରାର ହେଇଯାନ୍ତି । ଘରଲୋକ ପୋଲିସକୁ ଫୋନ କରନ୍ତି । ପୋଲିସ ଆସି ତୁରନ୍ତ ରାଜ ସିଙ୍ଘାନିଆଙ୍କୁ ମେଡିକାଲ ପଠାଇ ଯାଞ୍ଚ ଆରମ୍ଭ କରନ୍ତି ଏବଂ ଘରଲୋକଙ୍କର ଜମାନବନ୍ଦୀ ନିଅନ୍ତି । ମେଡିକାଲରେ ଡାକ୍ତର ରାଜ ସିଙ୍ଘାନିଆଙ୍କୁ ମୃତ ଘୋଷଣା କରନ୍ତି । ନାଁ କରା ବ୍ୟବସାୟୀ, ତେଣୁ ପୋଲିସ ମଧ୍ୟ ଚଳଚଞ୍ଚଳ ହେଇ ଉଠେ । ସେତେବେଳେ ସିସିଟିଭି ନଥିଲା । ତେଣୁ ପୋଲିସ ତାର ପାରମ୍ପରିକ ଶୈଳୀରେ ତଦନ୍ତ ଆରମ୍ଭ କରେ ।

ସିଙ୍ଘାନିଆ ପରିବାରର ବୟାନ ଓ ରାଜ ସିଙ୍ଘାନିଆଙ୍କ ମୃତଦେହରୁ କଢା ଯାଇଥିବା ଦୁଇଟି ଗୁଳି ଛଡା ପୋଲିସ ହାତରେ ଆଉ କିଛି ପ୍ରମାଣ ନ ଥିଲା । ତେଣୁ ପୋଲସ ଗୁଳି ଦୁଇଟିକୁ ଚଣ୍ଡିଗଡସ୍ଥିତ ଫୋରେନ୍ସିକ ଲାବୋରଟୋରିକୁ ପଠେଇ ଦେଇ ରିପୋର୍ଟକୁ ଅପେକ୍ଷା କରେ । କିଛିଦିନ ପରେ ରିପୋର୍ଟ ଆସିଯାଏ । ରିପୋର୍ଟ ଦେଖି ଫୋରେନ୍ସିକ ବିଭାଗ ସହ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଏ । କାରଣ ରିପୋର୍ଟ ଅନୁସାରେ ଦୁଇଟି ଯାକ ଗୁଳି ଦୁଇଟି ଅଲଗା ଅଲଗା ରିଭଲଭରରୁ ଫୁଟା ଯାଇଛି। କିନ୍ତୁ ସିଙ୍ଘାନିଆ ପରିବାର ବୟାନ ଅନୁସାରେ ଜଣେ ହିଁ ଦୁର୍ବୃତ୍ତ ଗୋଟିଏ ରିଭଲଭରରୁ ଦୁଇ ରାଉଣ୍ଡ ଗୁଳି ମାରିଥିଲା । ସ୍ଵାଭାବିକ ଭାବେ ପୋଲିସର ସନ୍ଦେହ ପରିବାର ଉପରେ ହୁଏ । ପୋଲିସ ପୁଣି ଥରେ ପରିବାର ସଦସ୍ୟ ଓ ପ୍ରତ୍ୟକ୍ଷଦର୍ଶୀମାନଙ୍କର ଅଲଗା ଅଲଗା ବୟାନ ନିଏ । କିନ୍ତୁ ସମସ୍ତ ସେହି ଏକା କଥା ଦୋହରାନ୍ତି । “ ଜଣେ ହିଁ ଦୁର୍ବୃତ୍ତ ଗୋଟିଏ ରିଭଲଭରରୁ ଦୁଇ ରାଉଣ୍ଡ ଗୁଳି ଚଳେଇଛି “।

Times Now ( Representational)

ଗୋଟେ ବନ୍ଧୁକରୁ ଦୁଇ ପ୍ରକାର ଗୁଳି !! ଅତ୍ୟନ୍ତ ଅସମ୍ଭବ କଥା । ତେବେ ଏ ଘଟଣା ବୁଝିବା ପାଇଁ ଆସନ୍ତୁ ଜାଣିବା ରିଭଲଭର ତିଆରି ଓ କାମ କରିବାର ବୈଷୟିକ ଜ୍ଞାନ ବିଷୟରେ । ତଳେ ଦିଆ ଯାଇଥିବା ଫୋଟୋ ଅନୁସାରେ ।
୧-ଯେଉଁ ନଳୀ ଦେଇ ଗୁଳି ବାହାରେ ତାକୁ ‘ମଜଲ୍’ କହନ୍ତି ।
୨- ଯେଉଁଠି ଗୁଳି ରୁହେ ତାକୁ ‘ଚାମ୍ବର’ କହନ୍ତି ।
୩- ଯେଉଁ ନଳୀ ଦେଇ ଗୁଳି ବାହାରେ ତାର ଭିତର ଗୋଳେଇକୁ ‘ବୋର’ କୁହାଯାଏ ।

ଏହି ଅନୁସାରେ ରିଭଲଭରର ସବୁ ଚାମ୍ବରରେ ସମାନ ସାଇଜର ଗୁଳି ରୁହେ । ଗୋଟେ ବନ୍ଧୁକରେ ଅନ୍ୟ ଗୋଟେ ସାଇଜର ଗୁଳି ପଶି ପାରିବନି । ସବୁ ବନ୍ଧୁକର ଗୁଳି ଅଲଗା ଅଲଗା ସାଇଜର କିନ୍ତୁ ଆମେ ଏଠି ଯେଉଁ ବନ୍ଧୁକ କଥା କହିବାକୁ ଯାଉଛୁ ସେ ରିଭଲଭରରୁ ପାଞ୍ଚ ପ୍ରକାର ଗୁଳି ବାହାରି ପାରୁଥିଲା ।

ଏ ଘଟଣାର ପ୍ରାୟ ନ ଦଶ ମାସ ପରେ ଆଉ ଏକ ଘଟଣା ପଞ୍ଜାବର ହୋଶିଆରପୁରରେ ଘଟେ । ଜଣେ ବ୍ୟକ୍ତି ନିଜ କାରରେ ଯାଉଥିବା ସମୟରେ ବାଟରେ ଦୁର୍ବୁତ୍ତ ମାନେ ଗାଡି ଅଟକାଇ ତାଙ୍କଠୁ ଲୁଟ କରନ୍ତି । ବିରୋଧ କରିବା ଯୋଗୁଁ ଉକ୍ତ ବ୍ୟକ୍ତିଙ୍କୁ ଗୁଳି ମାରି ହତ୍ୟା କରି ଫେରାର ହୋଇଗଲେ । ଫୋରେନସିକ ଯାଞ୍ଚ ସମୟରେ ଅତି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଲା । ଯେଉଁ ବନ୍ଧୁକରୁ ରାଜ ସିଙ୍ଘାନିଆଙ୍କୁ ଗୁଳି ମରା ଯାଇଥିଲା। ସେହି ବନ୍ଧୁକରୁ ହିଁ ହୋଶିଆରପୁରରେ ସେ ବ୍ୟକ୍ତିଙ୍କୁ ହତ୍ୟା ଯାଇଥିଲା । ଫୋରେନସିକ ସାଇନ୍ସ ଜ୍ଞାନ ଅନୁସାରେ ଫୁଟା ଯାଇଥିବା ଗୁଳିକୁ ପରୀକ୍ଷା କରି ଏହା ଜାଣିହୁଏ ଯେ ଏହା କେଉଁ ବନ୍ଧୁକରୁ ଫୁଟା ଯାଇଛି । ଯେପରି ଦୁଇ ଜଣ ମଣିଷଙ୍କର ଆଙ୍ଗୁଠି ଛାପ ସମାନ ହେଇ ପାରେନି ଠିକ ସେହିପରି ବନ୍ଧୁକ ତିଆରି ବେଳେ ନଳୀର ଭିତରପଟେ କିଛି ମାର୍କ ଆପେ ଆପେ ତିଆରି ହେଇଯାଏ । ଯାହା କେବେ ବି ଏକାପରି ହେଇ ପାରେନି । ଗୁଳି ଯେତେବେଳେ ନଳୀ ଦେଇ ବାହାରକୁ ଆସେ, ଘଷି ହେଇ ସେହି ମାର୍କ ସବୁ ଗୁଳି ଦେହରେ ରହିଯାଏ । ଯାହାକୁ ପରୀକ୍ଷା କରି ତାହା କେଉଁ ବନ୍ଧୁକରୁ ଫୁଟିଛି ତାହା ଜାଣିହୁଏ । ଏଠି ଆଶ୍ଚର୍ଯ୍ୟ ହେବାର କାରଣ ହେଲା ଯେ ପୂର୍ବରୁ ରାଜ ସିଙ୍ଘାନିଆଙ୍କୁ ମରା ଯାଇଥିବା ଦୁଇଟି ଗୁଳିର ସାଇଜଠୁ ଏ ଗୁଳିର ସାଇଜ ସମ୍ପୂର୍ଣ ଅଲଗା ଥିଲା । ସମସ୍ତଙ୍କ ଅକଲ ଗୁଡ଼ୁମ ! ପୋଲିସ ତଦନ୍ତରୁ ଅନୁମାନ କରେ ଯେ ଏହା ଗୋଟିଏ ଗ୍ୟାଙ୍ଗର କାମ। ୧୯୯୬ ରୁ ୧୯୯୯ ହେଇଗଲା କିନ୍ତୁ କେଶ ଯେମିତିକୁ ସେମିତି ହିଁ ରହିଗଲା।

Representational

୨୫ ନଭେମ୍ବର ୧୯୯୯ ହିମାଚଳ ପ୍ରଦେଶର ଉନା ସହର, ସନ୍ଧ୍ୟା ସମୟ । ସୁଷମା ନାମ୍ନୀ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଘରକୁ ଫେରୁଥାନ୍ତି, ଶୂନଶାନ ରାସ୍ତା । ବାଟରେ କିଛି ଦୁର୍ବୃତ୍ତ ଲୁଟ ଉଦ୍ଦେଶ୍ୟରେ ତାଙ୍କୁ ଅଟକାଇ ଗହଣାପତ୍ର ଛଡ଼େଇବା ସମୟେ ସୁଷମା ଦୌଡ଼ି ପଳେଇ ପାଖରେ ଥିବା ବଜାରରେ ଯାଇ ଏକଥା କହିଲେ । କିଛି ଲୋକ ଦଳବଦ୍ଧ ହେଇ ଘଟଣାସ୍ଥଳକୁ ଅସିଲାବେଳକୁ ଦୁର୍ବୃତ୍ତମାନେ ଅନ୍ୟ ଶିକାର ଅପେକ୍ଷାରେ ସେଇଠି ହିଁ ଥିଲେ । ଭିଡକୁ ଦେଖି ସେମାନଙ୍କ ମଧ୍ୟରୁ ଦୁଇ ଜଣ ଦୌଡ଼ି ଫେରାର ହେଇଗଲେ। କିନ୍ତୁ ଜଣେ ଧରା ପଡିଗଲା । ଲୋକମାନେ ତାକୁ ଉତ୍ତମ ମଧ୍ୟମ ଦେଲା ପରେ ପୋଲିସକୁ ହସ୍ତାନ୍ତର କରିଦେଲେ । ପୋଲିସ ତାକୁ ପଚରାଉଚରା କରିବା ସମୟରେ ଏ ତଥ୍ୟ ଆସିଲା ଯେ ତାଙ୍କରି ଗ୍ୟାଙ୍ଗର ଲୋକମାନେ ଆହୁରି ବହୁତ ଲୁଟପାଟ ଓ ହତ୍ୟା ଅପରାଧରେ ସଂଶ୍ଲିଷ୍ଟ ଅଛନ୍ତି । ଲୁଧିଆନା ଓ ହୋଶିଆରପୁର ଘଟଣାରେ ଏହି ଗ୍ୟାଙ୍ଗ ସମ୍ପୃକ୍ତି ଥିବାର ତଥ୍ୟ ପଦାକୁ ଆସିଲା । ପଞ୍ଜାବ ପୋଲିସକୁ ଖବର ଦିଆହେଲେ । ଆସାମୀକୁ ଲୁଧିଆନା ନେଇ ପଚରାଉଚୁରା ପରେ ତା’ଠାରୁ ମିଳିଥିବା ତଥ୍ୟ ଅନୁସାରେ ସେମାନଙ୍କ ଗ୍ୟାଙ୍ଗର ଆହୁରି ବହୁତ ଲୋକ ଧରା ପଡିଲେ । ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହେଲା । ଜବତ ଅସ୍ତ୍ର ମଧ୍ୟରେ ସେହି ରିଭଲଭର ମଧ୍ୟ ଥିଲା । ତୁରନ୍ତ ସେହି ରିଭଲଭରକୁ ଫୋରେନସିକ ଯାଞ୍ଚ ପାଇଁ ଚଣ୍ଡିଗଡ଼ ଲ୍ୟାବକୁ ପଠାଇ ଦିଅନ୍ତି ଏବଂ ବିଶେଷ ନିବେଦନ କରନ୍ତି ଯେ ପୂର୍ବର ସେହି ତିନୋଟି ଗୁଳି ସହ ଏହି ରିଭଲଭରକୁ ମ୍ୟାଚ କରେଇବା ପାଇଁ । ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସେ । ସେହି ଏକା ରିଭଲଭରରୁ ହିଁ ସେ ତିନୋଟି ଯାକ ଗୁଳି ଫୁଟା ଯାଇଥିଲା। ଆହୁରି ଆଶ୍ଚର୍ଯ୍ୟଜନକ କଥା ହେଲା ଯେ ଏହାର ବାକି ଦୁଇଟି ଚାମ୍ବର ମଧ୍ୟ ଅଲଗା ଅଲଗା ସାଇଜର । ଏହାର ଅର୍ଥ ହେଲା ଯେ ପାଞ୍ଚଟି ଯାକ ଚ୍ୟାମ୍ବର ପାଞ୍ଚଟି ସାଇଜର । କେବଳ ଫୋରେନସିକ ଯାଞ୍ଚ ନୁହେଁ ପୋଲିସ ସେ ରିଭଲଭରକୁ ଯେତେବେଳେ ଚଲେଇକି ପରୀକ୍ଷା କଲା। ଏହା ଦେଖିବାକୁ ପାଇଲା ଯେ କେବଳ ଅଲଗା  ଚ୍ୟାମ୍ବର ତିଆରି ହେଇନି ଗୁଳି ମଧ୍ୟ ନିର୍ଭୁଲ ଭାବେ ଲକ୍ଷ୍ୟଭେଦ କରି ପାରୁଛି । ଏଥିରୁ ଫୁଟି ପାରୁଥିବା ଗୁଳିର ବିବରଣୀ ନିମ୍ନରେ ଦିଆଗଲା-
୧- ୭.୬୨ (ଏକେ -୪୭ )
୨- ୦.୩୦
୩- ୦.୩୨
୪-୦.୩୨(ଲଙ୍ଗ ବୋର)
୫-୭.୬୫ (ପିସ୍ତଲ)
ଏହାର ଅର୍ଥ ହେଲା ଯେ ସେହି ରିଭଲଭରରୁ ଏକେ -୪୭ରୁ ନେଇକି ପିସ୍ତଲର ଗୁଳି ମଧ୍ୟ ଚାଲି ପାରୁଥିଲା । ଫୋରେନସିକ ବିଭାଗ ପାଇଁ ସେ ବନ୍ଧୁକ ଏକ ରକମର ଗବେଷଣାର ବିଷୟ ହେଇଯାଏ । ୩ ମାର୍ଚ୍ଚ ୨୦୦୪ରେ ଉକ୍ତ ରିଭଲଭରର ସମସ୍ତ ତଥ୍ୟ ଆମେରିକାର ସବୁଠୁ ବଡ଼ ଆର୍ମ ଡାଟା ବ୍ୟାଙ୍କକୁ ଦିଆଯାଏ, ଯାହା ପୃଥିବୀର ସବୁଠୁ ବଡ ଅସ୍ତ୍ରଶସ୍ତ୍ରର ତଥ୍ୟ ରଖୁଥିବା ସଂସ୍ଥା । ସେମାନେ ତ ସେ ବନ୍ଧୁକର ତଥ୍ୟକୁ ଦେଖି ପ୍ରଥମେ ହସିଥିଲେ । କିନ୍ତୁ ଯେତେବେଳେ ଯାଞ୍ଚ ପରେ ସେମାନେ ଦେଖିଲେ ଯେ ସେଥିରୁ ଭିନ୍ନ ଭିନ୍ନ ଆକାରର ଗୁଳି ଚଳଯାଇ ପାରୁଛି, ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଇଗଲେ ଯେ କେମିତି ଲୋକର କାମ ଇଏ ??

ଉପସ୍ଥାପନା : ବେଦଦତ୍ତ ଜେନା

ସମ୍ବନ୍ଧିତ ଖବର