ଦଳିତ ପୁଅକୁ ବିବାହ କଲେ ମୁସ୍‌ଲମାନ ଝିଅ; ପଞ୍ଚାୟତ ଫଇସଲା ପରେ ଭୂଇଁରେ ଛେପ ପକାଇ ଚାଟିଲେ ପୁଅର ବାପ

ବୁଲନ୍ଦସର: ଉତ୍ତରପ୍ରଦେଶର ବୁଲନ୍ଦସରଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଳାର ଜଣେ ଦଳିତ ବ୍ୟକ୍ତିଙ୍କ ପୁଅ ଜଣେ ମୁସ୍‌ଲମାନ ଝିଅକୁ ବିବାହ କରିବାରୁ ସ୍ଥାନୀୟ ଲୋକେ ଉକ୍ତ ବ୍ୟକ୍ତିଙ୍କୁ ଭୂଇଁରେ ଛେପ ପକାଇ ନାକ ଘୋଷରାଇଥିବା ଅଭିଯୋଗ ହୋଇଛି।

ଏହି ଦଣ୍ଡ ପଞ୍ଚାୟତ ପକ୍ଷରୁ ନିଆଯାଇଛି। ଏପରିକି ବ୍ୟକ୍ତି ଜଣଙ୍କୁ ତାଙ୍କ ପରିବାର ନେଇ ପଞ୍ଚାୟତ ଛାଡ଼ିଦେବା ପାଇଁ ମଧ୍ୟ ବାଧ୍ୟ କରାଯାଇଛି।

ବ୍ୟକ୍ତି ଜଣକ କହିଛନ୍ତି କି ‘ମୋ ପୁଅ ଜଣେ ମୁସ୍‌ଲମାନ ଝିଅକୁ ବିବାହ କରିବାକୁ ମୋତେ ପଞ୍ଚାୟତ ବୈଠକରେ ଛେପ ପକାଇ ସେ ପଡ଼ିଥିବା ଛେପକୁ ଚାଟିବା ପାଇଁ କୁହାଯାଇଥିଲା। ଦଣ୍ଡବିଧାନ ପରେ ପଞ୍ଚାୟତ ମୋତେ ମୋ ପରିବାର ନେଇ ପଞ୍ଚାୟତ ଛାଡ଼ିଦେବା ପାଇଁ କହିଛନ୍ତି।’

ସେ ଆହୁରି ବି କହିଛନ୍ତି କି ତାଙ୍କ ପତ୍ନୀ ଏବଂ ଝିଅକୁ ଏକରକମର ଉଲଗ୍ନ କରାଯାଇଥିଲା। ପୀଡ଼ିତ ଜଣକ କହିଛନ୍ତି ଯେ ତାଙ୍କ ପୁତ୍ର ଓ ଉକ୍ତ ମୁସ୍‌ଲାମାନ ଝିଅର ବିବାହକୁ କୋର୍ଟ ମଞ୍ଜୁର କରିଛନ୍ତି। କିଛି ଦିନ ପୂର୍ବରୁ ସେ ଦୁହେଁ ପରସ୍ପରକୁ କୋର୍ଟରେ ବିବାହ କରିଥିଲେ ବୋଲି ପ୍ରମାଣପତ୍ର ବି ରହିଛି। ବୁଲନ୍ଦସରର ଏସ୍‌ପି କହିଛନ୍ତି କି ସେ ଅଭିଯୋଗ ଗ୍ରହଣ କରିଛନ୍ତି। ଏହି ମାମଲାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର