ୟୁପି: ନାଚୁ ନାଚୁ ଅଧାରୁ ଅଟକିଯିବାରୁ ନୃତ୍ୟଶିଳ୍ପୀଙ୍କୁ ଗୁଳିମାଡ଼

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚିତ୍ରକୋଟରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନୃତ୍ୟଶିଳ୍ପୀ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରୁ କରୁ ଅଟକିଯିବାରୁ ତାଙ୍କୁ ଗୁଳି ମରାଯାଇଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଏପରି ଦୃଶ୍ୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପୀଡ଼ିତାଙ୍କୁ ବର୍ତ୍ତମାନ କାନପୁର ସହରର ଏକ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି।

ଭିଡିଓରେ ଦେଖିବାକୁ ମିଳିଛି ନୃତ୍ୟଶିଳ୍ପୀ ଜଣକ ଚିତ୍ରକୋଟରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅନ୍ୟ ଜଣେ ସହ-ଶିଳ୍ପୀଙ୍କ ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। କାର୍ଯ୍ୟକ୍ରମ ମଝିରେ ହିଁ ସେ ନୃତ୍ୟ କରି ଥକି ପଡ଼ିବାକୁ ଟିକେ ଅଟକି ଯାଇଛନ୍ତି। ପଛରୁ ଜଣେ ପୁରୁଷଙ୍କ କଣ୍ଠସ୍ବର ଶୁଣିବାକୁ ମିଳିଛି। ପୁରୁଷ ଜଣକ ରାଗରେ ଆସି କହିଛନ୍ତି ଯେ ତୁମକୁ ନାଚ ବନ୍ଦ କରିବା ଉଚିତ ନଥିଲା। ସେହି ସମୟରେ ହିଁ ଏକ ଗୁଳି ଆସି ନୃତ୍ୟଶିଳ୍ପୀଙ୍କ ଶରୀରରେ ବାଜୁଛି। ତେବେ, ସୁଧୀର ନାମକ ଜଣେ ଯୁବକ ଏପରି କାଣ୍ଡ କରିଥିବା ଅନୁମାନ କରାଯାଉଛି। ଡିସେମ୍ବର ୧ ତାରିଖରେ ଏକ ସ୍ଥାନୀୟ ପରିବାରର ଝିଅ ବାହାଘର ଉତ୍ସବରେ ଆୟୋଜିତ ହୋଇଥିଲା ଏହି ନୃତ୍ୟ କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର